ଭୁବନେଶ୍ୱର: ଭାରତୀୟ ନାରୀର ଆଭୂଷଣ ସମଗ୍ର ବିଶ୍ବରେ ନିଆରା। ଭାରତୀୟ ମହିଳାଙ୍କ ପୋଷାକ ଓ ଅଳଙ୍କାର ବିଶ୍ବରେ ସବୁଠୁ ସୁନ୍ଦର। ଗହଣା ପିନ୍ଧି ସଜେଇହେବା ଭାରତୀୟ ନାରୀର ବଡ଼ ସଉକ। ତେଣୁ ଭାରତୀୟ ନାରୀ ପାଇଁ ଶିଙ୍ଗାର ଯୁଗେଯୁଗେ ମହତ୍ତ୍ବ ରଖିଆସିଛି। ପାଦର ପାଉଁଜି ଓ ଝୁଣ୍ଟିଆଠାରୁ ଆରମ୍ଭ କରି ମଥାର ମଥାପଟି ବା ସିନ୍ଥି ପର୍ଯ୍ୟନ୍ତ ଭାରତୀୟ ନାରୀ ପିନ୍ଧେ କାରୁକାର୍ଯ୍ୟପୂର୍ଣ୍ଣ ସୁନାରୁପାର ଗହଣା। ନାରୀର ଶିଙ୍ଗାରରେ ନାକ ବି ବାଦ୍‌ ପଡ଼େନି। ମହିଳାମାନେ ନାକଚଣା ବା ନୋଥ ପିନ୍ଧିବା ବହୁ ପ୍ରାଚୀନ ପ୍ରଥା। ତଥାକଥିତ ୧୬ ଶିଙ୍ଗାର ମଧ୍ୟରୁ ଗୋଟେ ହେଉଛି ନୋଥ ପିନ୍ଧା। ଯୁଗ ବଦଳିଛି। ପାଶ୍ଚାତ୍ୟ ସଭ୍ୟତା ଓ ସଂସ୍କୃତି ପ୍ରଭାବରେ ମହିଳାଙ୍କ ପୋଷାକ ପରିଧାନ ବଦଳିଛି। କିନ୍ତୁ ଗହଣା ପ୍ରତି ମହିଳାଙ୍କ ମୋହ ତୁଟିନି। ସେଦିନର ନୋଥ ଆଜି ନୋଜ୍‌ ରିଙ୍ଗ୍‌ ଭାବେ ତା’ର ସ୍ଥାନ ବଜାୟ ରଖିଛି। ମଜାର କଥା ହେଉଛି ଏବେ ନୋଜ୍‌ ରିଙ୍ଗ୍‌ ଆଉ କେବଳ ବିବାହିତା ଓ କୁମାରୀମାନଙ୍କ ଗହଣା ହୋଇରହିନାହିଁ। କିଛି କିଛି ପୁରୁଷ କଳାକାର ବି ନୋଜ୍‌ ରିଙ୍ଗ୍‌ ପିନ୍ଧିବା ଦେଖାଯାଉଛି। ବର୍ତ୍ତମାନ ପପ୍ କଲ୍‌ଚର୍‌ ଯୁଗରେ ପୁରୁଷ ସିନେ ତାରକା, କଣ୍ଠଶିଳ୍ପୀ ମଧ୍ୟ ନୋଜ୍‌ ରିଙ୍ଗ୍‌ ପରିଧାନ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ରିଲ୍‌ସ କରୁଥିବା ଯୁବତୀମାନେ ନୋଜ୍‌ ରିଙ୍ଗ୍‌ ପିନ୍ଧିବା ଦେଖିବାକୁ ମିଳୁଛି। ଅବଶ୍ୟ ସେକାଳର ନାକଚଣା ଆଜି ଭିନ୍ନଭିନ୍ନ ରୂପ ନେଇ ନୋଜ୍‌ ରିଙ୍ଗ୍‌ ଭାବେ ଆଦୃତ ହୋଇପାରିଛି। ବର୍ତ୍ତମାନର ପସନ୍ଦ ‘ନୋଜ୍‌ ରିଙ୍ଗ୍’କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା। 

Advertisment