ରାଜ୍ୟରେ କମିଲାଣି, ଖୋର୍ଧାରେ କମୁନି କରୋନା

କେବଳ ଖୋର୍ଧାରେ ଶହେରୁ ଅଧିକ ଆକ୍ରାନ୍ତ, ୧୦୯୬ ପଜିଟିଭ୍, ୬୪ ମୃତ

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ପ୍ରକୋପ କମି ଆସିଲାଣି। ଏପରିକି ସରକାରଙ୍କ ଚିନ୍ତା ବଢ଼ାଇଥିବା ଉପକୂଳ ଓଡ଼ିଶାରେ ମଧ୍ୟ କରୋନା ତଳମୁହାଁ ହେଲାଣି। ‌ରାଜ୍ୟର ଅନ୍ୟତମ ପ୍ରମୁଖ କରୋନା ହଟସ୍ପଟ୍‌ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳେ। ହେଲେ ଖୋର୍ଧା ଜିଲ୍ଲାରେ ସଂକ୍ରମଣ କମୁନାହିଁ। ରାଜ୍ୟର ଏକମାତ୍ର ଜିଲ୍ଲା ଭ‌ାବେ ଖୋର୍ଧାରେ ସଂକ୍ରମିତଙ୍କ ସଂଖ୍ୟା ଓ ସଂକ୍ରମଣ ହାର ଉଭୟ ଅଧିକ ରହିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଷ୍ଟ୍ରାଟେଜି ସଂକ୍ରମଣ କମାଇବାରେ ସଫଳ ହେଉଥିବା ଭଳି ଲାଗୁନାହିଁ। ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ ଅଧିକ ସର୍ଭେଲାନ୍‌ସ ଓ ନମୁନା ପରୀକ୍ଷା କରାଯାଉଛି ବୋଲି ସରକାର କହୁଛନ୍ତି। ଏହାସହ ଭୁବନେଶ୍ବରରେ ଶତପ୍ରତିଶତ ଟିକାକରଣ ହୋଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହା ସତ୍ତ୍ବେ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନାହିଁ।

ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି ଯେ ଖୋର୍ଧାରେ ସଂକ୍ରମଣ ସ୍ଥିର ରହିଛି। ବ୍ୟସ୍ତ ହେଲା ଭଳି ପରିସ୍ଥିତି ନାହିଁ। ଜିଲ୍ଲାରେ ହସ୍ପିଟାଲ ଆଡମିସନ୍‌ ସଂଖ୍ୟା କମିଛି। ଏହାସହ ରାଜ୍ୟରେ କୋଭିଡ୍‌ ସ୍ଥିତିରେ ଲଗାତାର ଉନ୍ନତି ଘଟୁଛି। ଦୈନିକ ସଂକ୍ରମଣ ସଂଖ୍ୟା କମୁଛି। ଚିକିତ୍ସାଧୀନ ସଂଖ୍ୟା କମି ୧୨ହଜାର ତଳକୁ ଆସିଛି। ଖୋର୍ଧାରେ ଅଧିକ ଡାକ୍ତରଖାନା ଥିବାରୁ କେସ୍ ଫାଟାଲିଟି ରେଟ୍‌ ଅଧିକ ରହୁଥିବା ଡା. ମିଶ୍ର କହିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୩୮୯ ଆକ୍ରାନ୍ତ ବାହାରିଛନ୍ତି। ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫୨ହଜାର ୫୬୫କୁ ବୃଦ୍ଧି ପାଇଛି। ସେହିପରି କଟକରୁ ୯୨, ବାଲେଶ୍ବର ୭୭, ଯାଜପୁର ୬୮, ଜଗତସିଂହପୁର ୫୮, ପୁରୀ ୪୮, କେନ୍ଦ୍ରାପଡ଼ା ୩୬, ଅନୁଗୁଳ ୪୦, ମୟୂରଭଞ୍ଜ ୩୨ ଓ ଷ୍ଟେଟ୍‌ ପୁଲରୁ ୮୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୫ହଜାର ୮୨୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୪ଜଣଙ୍କ କରୋନାରେ ମୃତ୍ୟୁ ଘୋଷଣା ହୋଇଛି। ଏଥିରେ ଖୋର୍ଧାରୁ ୨୭, କଟକ ୧୭, ବାଲେଶ୍ବର ଓ କେନ୍ଦୁଝରରୁ ୪ ଲେଖାଏଁ, ମୟୂରଭଞ୍ଜ ୩, ଅନୁଗୁଳ, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ନୟାଗଡ଼ ଓ ପୁରୀରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତ। ମୋଟ ମୃତ୍ୟୁ ସଂଖା ୬୩୬୬ରେ ପହଞ୍ଚିଛି। ରାଜ୍ୟରେ ଆଜି ୧୫୨୫ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୬୮ହଜାର ୪୫୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୧୦,୯୫୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର