୫ ଜିଲ୍ଲାରେ କୋଭିଡ ଶଯ୍ୟା ସଂଖ୍ୟା ବଢ଼ିବ

ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ, ସାଧାରଣ ଶଯ୍ୟା, ଆଇସିୟୁ, ଏଚ୍‌ଡିୟୁ ସଂଖ୍ୟା ବଢ଼ିଲା

ଭୁବନେଶ୍ବର : ରାଜ୍ୟର ୫ଟି ଜିଲ୍ଲାରେ ଥିବା କୋଭିଡ୍ କେୟାର ସେଣ୍ଟର୍‌, ହୋମ୍ ଓ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇବ। କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବୈଷୟିକ କମିଟି ପ୍ରସ୍ତାବ ଦେବା ପରେ ମୁଖ୍ୟମନ୍ତ୍ରୀ ଏହାକୁ ଅନୁମୋଦନ ଦେଇଛନ୍ତି। ଯେଉଁଠାରେ ପୂର୍ବରୁ ରହିଛି ସେଠାରେ ଅତିରିକ୍ତ ଶଯ୍ୟା ଓ କେତେକ ସ୍ଥାନରେ ନୂତନ କୋଭିଡ ହସ୍ପିଟାଲ ପାଇଁ ଅନୁମତି ଦିଆଯାଇଛି। ଆସନ୍ତା ୩ ମାସ ପାଇଁ ଏହିସବୁ ବ୍ୟବସ୍ଥା କାର୍ଯ୍ୟ କରିବ। ଏଥିପାଇଁ ହେବାକୁ ଥିବା ଖର୍ଚକୁ ବିଭିନ୍ନ ଉତ୍ସ ଜରିଆରେ ଭରଣା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଭୁବନେଶ୍ବର, କଟର ନଗର ନିଗମକୁ ଚିଠି ଜାରି ହୋଇଛି। ଅନୁଗୁଳର ଇଏସ୍‌ଆଇ ହସ୍ପିଟାଲରେ ସାଧାରଣ ଶଯ୍ୟା ୧୨୦ ଓ ଆଇସିୟୁ ୩୦ ଶଯ୍ୟା ରହିଛି। ନାଲକୋ ଦ୍ବାରା ଏହା ପରିଚାଳିତ ହେବ। ସେହିପରି କଟକରେ ମିଡିଏରା ହସ୍ପିଟାଲ ଓ ରିସର୍ଚ ଇନଷ୍ଟିଚ୍ୟୁଟ୍‌ରେ ସାଧାରଣ ଶଯ୍ୟା ୪୦, ଆଇସିୟୁ ୨୫, ଏଚ୍‌ଡିୟୁ ୬୦, ଡାଏଲିସିସ ୨ ଶଯ୍ୟା ରଖାଯାଇଛି। ଡିଏଚ୍‌ସି ଜିମସାରରେ ୧୫ ଆଇସିୟୁ, ଏଚ୍‌ଡିୟୁ ୨୫, ସାଧାରଣ ଶଯ୍ୟା ୧୦ର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହାର ଖର୍ଚ ଭରଣା ହେବ। ଖୋର୍ଧାର ସମ୍ କୋଭିଡ ହସ୍ପିଟାଲରେ ପୂର୍ବରୁ ୧୭୯ ଆଇସିୟୁ ଶଯ୍ୟା ଥିବା ବେଳେ ଆହୁରି ୪୦ ସାମିଲ ହେବ। ଫଳରେ ସମୁଦାୟ ଆଇସିୟୁ ସଂଖ୍ୟା ୨୧୯କୁ ବୃଦ୍ଧି ପାଇବ। ଏମ୍‌ସିଏଲ ଦ୍ବାରା ଏହାର ପରିଚାଳିତ ହେବ। ସଂଜୀବନୀ ମେଡିକେୟାର ହସ୍ପିଟାଲରେ ସାଧାରଣ ଶଯ୍ୟା ୪୩, ଆଇସିୟୁ ୨୪, ଏଚ୍‌ଡିୟୁ ୩୩ ଶଯ୍ୟା ରହିବ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହାକୁ ଭରଣା କରାଯିବ। କିମ୍‌ସ କୋଭିଡ ହସ୍ପିଟାଲରେ ଅତିରିକ୍ତ ୧୫୦ ସାଧାରଣ ଶଯ୍ୟା, ଆଇସିୟୁ ୨୫ ଓ ଏଚ୍‌ଡିୟୁ ୨୫ଶଯ୍ୟା ଅତିରିକ୍ତ ଶଯ୍ୟା ରହିବ। ଓଏମ୍‌ସି ଏହାର ଖର୍ଚ ଭରଣା କରିବ। ସୁନ୍ଦରଗଡ଼ର ଜୟପ୍ରକାଶ ହସ୍ପିଟାଲରେ ପୂର୍ବରୁ ୨୦୦ ଆଇସିୟୁ ଶଯ୍ୟା ଥିବା ବେଳେ ଅତିରିକ୍ତ ୫୦ଶଯ୍ୟା ବୃଦ୍ଧି ହୋଇଛି। ସେହିପରି ହାଇଟେକ୍ ଏମ୍‌ସିଏଚ୍‌ ହସ୍ପିଟାଲରେ ପୂର୍ବରୁ ୧୭୫ ସାଧାରଣ ଶଯ୍ୟା ଥିବା ବେଳେ ଆହୁରି ୧୦୫ଶଯ୍ୟା ମିଶି ୨୮୦କୁ ବୃଦ୍ଧି ପାଇବ। ସେଠାରେ ପୂର୍ବରୁ ୨୫ ଆଇସିୟୁ ଶଯ୍ୟା ଥିବା ବେଳେ ଆହୁରି ୨୫ ଶଯ୍ୟାକୁ ସାମିଲ କରାଯିବ। ଏଚ୍‌ଡିୟୁ ୨୦ଶଯ୍ୟା ରହିବ। ଢେଙ୍କାନାଳର ଖଡ଼ଗପ୍ରସାଦ ଓଡ଼ପଡ଼ାରେ ଥିବା କୋଭିଡ କେୟାର ସେଣ୍ଟରରେ ୧୦୦ ସାଧାରଣ ଶଯ୍ୟା ରହିବ।

ସାଧାରଣ ଶଯ୍ୟା ପାଇଁ ଜଣେ ରୋଗୀ ପିଛା ଦୈନିକ ୩ହଜାର ଟଙ୍କା ସହିତ ୧୭୫୦ଟଙ୍କା ଅନ୍ୟାନ୍ୟ ଖର୍ଚକୁ ମିଶାଇ ସମୁଦାୟ ୪୭୫୦ ଟଙ୍କା ଦିଆଯିବ। ଆଇସିୟୁ ପାଇଁ ଦୈନିକ ୫ହଜାର ଟଙ୍କା ସହିତ ଅନ୍ୟାନ୍ୟ ଖର୍ଚ ୧୨ହଜାରକୁ ମିଶାଇ ସମୁଦାୟ ୧୭ହଜାର, ଏଚ୍‌ଡିୟୁ ପାଇଁ ଦୈନିକ ୩୫ଶହ ଟଙ୍କା ସହିତ ୧୦ହଜାର ଅନ୍ୟାନ୍ୟ ଖର୍ଚ ମିଶି ୧୩ହଜାର ୫ଶହ ଓ ଡାଏଲିସିସ୍ ପାଇଁ ଦୈନିକ ୨୫ଶହ ଟଙ୍କା ସହିତ ଅନ୍ୟାନ୍ୟ ଖର୍ଚ ୧୫ଶହ ଟଙ୍କାକୁ ମିଶାଇଲେ ୪ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ର ଜୟପ୍ରକାଶ ହସ୍ପିଟାଲରେ ଭେଣ୍ଟି‌ଲେଟର୍‌ ବାବଦରେ ଦୈନିକ ୧୩ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକସ୍ଥିତ ମିଡିଏରା ହସ୍ପିଟାଲ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନରେ ପଞ୍ଜୀକୃତ ହୋଇନାହିଁ। ହସ୍ପିଟାଲରେ ଏ ପର୍ଯ୍ୟନ୍ତ ଅଗ୍ନିସେବା ସୁବିଧା ନ ଥିବା ବେଳ‌େ ତାହା ଏବେ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିନାହିଁ। ଏହି କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବା ସହିତ ଅଗ୍ନି ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା ଲାଗି ଉଦ୍ୟମ କରାଯାଉଛି। ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍‌ ପାଇବା ପରେ ଅଧିକରୁ ଅଧିକ କୋଭିଡ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରାଯାଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର