ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ଶହ ଟପିଲା

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ସଂକ୍ରମଣ ଜାରି ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ଟପିଛି। ଖୋର୍ଧା, କଟକ ଓ ସୁନ୍ଦରଗଡ଼କୁ ବାଦ୍ ଦେଲେ ପୁ‌ରୀରେ ମଧ୍ୟ ସଂକ୍ରମଣ ବଢ଼ିବାକୁ ଆରମ୍ଭ କଲାଣି। ନିୟମିତଭାବେ ଏବେ ପ୍ରାୟ ୨୦ଟି ଜିଲ୍ଲାରୁ ଦୈନିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨ହଜାର ମୁହାଁ ହୋଇଛି।

କରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ନିକଟରେ କୋଭିଡ ଟେଷ୍ଟିଂକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଧୀରେ ଧୀରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୫,୦୯୭ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୪୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ବା ଟିପିଆର ରହିଛି ୨.୬୬ ପ୍ରତିଶତ। ଏହି ସମୟରେ ଖୋର୍ଧା ଜିଲ୍ଲାରେ ଏହା ୮.୫ ପ୍ରତିଶତ, ପୁରୀ ୬.୬ ଓ କଟକ ଜିଲ୍ଲାରେ ୫.୪ ପ୍ରତିଶତ ରହିଛି। ତେଣୁ ପୂର୍ବରୁ ଆସିଥିବା କରୋନାର ୩ଟି ଲହରରେ ଏହି ଦୁଇ ଜିଲ୍ଲା ଯେଉଁଭଳି ଭାବେ କରୋନା ହଟସ୍ପଟ୍‌ ପାଲଟିଥିଲା ଚତୁର୍ଥ ଲହରରେ ମଧ୍ୟ ସମାନ ନଜରକୁ ଆସିଲାଣି।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୯୪, କଟକ ୬୪, ସୁନ୍ଦରଗଡ଼ ୧୯, ପୁରୀ ୧୪ ଓ ଷ୍ଟେଟ୍‌ ପୁଲରୁ ୪୬ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଯଦିଓ ଦୈନିକ ସଂକ୍ରମଣ ବଢ଼ୁଛି, ହେଲେ କୌଣସି ନୂଆ ମୃତ୍ୟୁ ଘୋଷଣା ହୋଇନାହିଁ। ସରକାରୀଭାବେ କୋଭିଡ ମୃତ୍ୟୁ ୯୧୨୬ରେ ସ୍ଥିର ରହିଛି। ରାଜ୍ୟରେ ଆଜି ୧୫୦ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୮୦୭ ରହିଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ତେବେ ଅନୁଗୁଳ ଓ ନରବଙ୍ଗପୁର ଜିଲ୍ଲା କୋଭିଡମୁକ୍ତ ରହିଛି।

ସମ୍ବନ୍ଧିତ ଖବର