ବଢ଼ୁଛି ଅଜଣା ଗାଡ଼ି ଧକ୍କାରେ ମୃତକଙ୍କ ସଂଖ୍ୟା, କାହା ପାଇଁ ଖୋଲିଛି ସୋଲାସିୟମ୍‌ ଫଣ୍ଡ୍‌?

ସଚେତନତା ନାହିଁ, ଆବେଦନ ବି ନୈରାଶ୍ୟଜନକ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପରିବହନ ବିଭାଗ ୨୦୧୮ ମେ’ରୁ ସୋଲାସିୟମ ଫଣ୍ଡ୍ ଗଠନ କରିଛନ୍ତି। ଯେଉଁମାନଙ୍କର ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟୁଛି, ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଯେଉଁମାନେ ଆହତ ହେଉଛନ୍ତି, ସେମାନଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉଛି। କିନ୍ତୁ ଦୁଃଖର ବିଷୟ, ରାଜ୍ୟ ସରକାରଙ୍କ ଏହି ଫଣ୍ଡ୍‌ ସମ୍ପର୍କ‌ରେ ଅନେକ ଅବଗତ ନାହାନ୍ତି। କ୍ଷତିପୂରଣ ପାଇବା ପାଇଁ ଯେଉଁ ଆବେଦନ ହୋଇଛି, ତାହା ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ। ଦୁର୍ଘଟଣା ପରେ ପୁଲିସ କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷ ବି ଏ ସଂପର୍କରେ ମଧ୍ୟ ମୃତକଙ୍କ ପରିବାରଲୋକଙ୍କୁ ଅବଗତ କରାଉନାହାନ୍ତି।

ରାଜ୍ୟ ପରିବହନ ବିଭାଗଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ସାରା ରାଜ୍ୟରେ ୩ବର୍ଷରେ ଅଜଣା ଗାଡ଼ି ଧକ୍କାରେ ୩୦୨୦ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ୩୦୯୨ ପଙ୍ଗୁ ହୋଇଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ ମାତ୍ର ୫୮୧ଜଣ ଏହି ଫଣ୍ଡ୍‌ରୁ କ୍ଷତିପୂରଣ ବାବଦ ଟଙ୍କା ପାଇବାକୁ ଆବେଦନ କରିଥିଲେ। ଆଉ ସେମାନଙ୍କ ମଧ୍ୟରୁ ପାଇଛନ୍ତି ମାତ୍ର ୩୫୦ ଜଣ।

କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି ମାତ୍ର ୫୮୧ ଜଣ
୩ ବର୍ଷରେ ଯାଇଛି ୩୦୨୦ ଜୀବନ , ୩୦୯୨ ପଙ୍ଗୁ

 

Hari Bhoomi

୨୦୧୯ ମସିହାରେ ୧୧୦୮ଜଣଙ୍କ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିବା ବେଳେ ୧୨୫୦ଜଣ ଗୁରୁତର ଆହତ ହୋଇଥିଲେ। କିନ୍ତୁ ସେହି ବର୍ଷ କ୍ଷତିପୂରଣ ପାଇବା ପାଇଁ କେହି ଆବେଦନ କରି ନଥିଲେ। ଏହା ପରେ ୨୦୨୦ ମସିହା। ଏହି ବର୍ଷ କରୋନା ମହାମାରୀ ବ୍ୟାପିଥିଲା। ଗାଡ଼ି ମୋଟର ଚଳାଚଳ ବନ୍ଦ ଥିଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଅଜଣା ଗାଡ଼ି ଧକ୍କା ଓ ମୃତକଙ୍କ ସଂଖ୍ୟା ବଢ଼ି ଯାଇଥିଲା। ଅଜଣା ଗାଡ଼ି ଧକ୍କାରେ ୯୦୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦୨ଜଣ ଗୁରୁତର ଆହତ ହୋଇଥିଲେ। ସେହି ବର୍ଷ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। କ୍ଷତିପୂରଣ ପାଇବା ପାଇଁ ଜଣେ ହେଲେ ବି ଆବେଦନ କରି ନଥିଲେ। ୨୦୨୧ ମସିହାରେ ଅଜଣା ଗାଡ଼ି ଧକ୍କାରେ ୧୦୦୫ଜଣଙ୍କ ଜୀବନ ଯାଇଥିବା ବେଳେ ୯୪୦ଜଣ ଗୁରୁତର ଆହତ ହୋଇଥିଲେ। ତେବେ ଏହି ବର୍ଷ ୩୨୦ଜଣ କ୍ଷତିପୂରଣ ବାବଦ ଟଙ୍କା ପାଇଁ ଆବେଦନ କରିଥିବା ବେଳେ ୧୬୦ଜଣଙ୍କୁ ଏହି କ୍ଷତିପୂରଣ ବାବଦ ଟଙ୍କା ମିଳି ସାରିଛି। ସେହିପରି ଚଳିତ ବର୍ଷ ୨୬୧ଜଣ ଆବେଦନ କରିଥିବା ବେଳେ ୧୯୦ଜଣଙ୍କୁ କ୍ଷତିପୂରଣ ବାବଦ ଟଙ୍କା ମିଳି ସାରିଛି।

ବଡ଼ କଥା ହେଉଛି, ବର୍ଷକୁ ଏତେ ପରିମାଣର ଜୀବନ ଯାଉଥିଲେ ମଧ୍ୟ ସ‌େଚତନତା ଅଭାବରୁ ସରକାରଙ୍କ ଏହି ଫଣ୍ଡ ସମ୍ପର୍କରେ ଅନେକ ଅବଗତ ନାହାନ୍ତି। ଏ ସମ୍ପର୍କରେ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏ ନେଇ ବିଭାଗ ପକ୍ଷରୁ ସଚେତନତା ବାର୍ତ୍ତା ପ୍ରତ୍ୟେକ ଥାନା, ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହ ନିକଟରେ ମରାଯାଇଛି। ଜିଲ୍ଲା ପରିବହନ ବିଭାଗ ଓ ଥାନାରେ ଏହି ସୋଲାସିୟମ୍‌ ଫଣ୍ଡ୍‌ ଫର୍ମ ମିଳୁଛି। ଏବେ ଜିଲ୍ଲାସ୍ତରରେ ମଧ୍ୟ କ୍ଷତିପୂରଣ ବାବଦ ଟଙ୍କା ଦିଆଗଲାଣି।

ସମ୍ବନ୍ଧିତ ଖବର