ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ତଳଗଲୁରୁ ପଞ୍ଚାୟତ ଅନ୍ତର୍ଗତ ମେଟାପାଡ଼ୁ ଗାଁରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଗତକାଲି ସୁଦ୍ଧା ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ଆଜି ପୁଣି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତଙ୍କ ଚିକିତ୍ସା ପଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜାରି ରହିଛି।

Advertisment

ଅନ୍ୟପକ୍ଷରେ ଝାଡ଼ାବାନ୍ତି ବ୍ୟାପିବା ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଆଜି ମହାମାରୀ ବିଶେଷଜ୍ଞ ଡାକ୍ତର ସୁନିତା ଜେନା, ସୁପରଭାଇଜର କାମରାଜୁ ପୋଲାଇ ଗାଁରେ ପହଞ୍ଚିଥିଲେ। ଝାଡ଼ାବାନ୍ତି ବ୍ୟାପିବାର କାରଣ ଖୋଜିବା ସହ ନିରାକରଣ ନିମନ୍ତେ ପଦକ୍ଷେପ ନେଇଥିଲେ। ସେହିପରି ପଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୀମାରାଣୀ ସାହୁ, ଫାର୍ମାସିଷ୍ଟ ସୁଖଦେବ ଜେନା, ପିଏଚ୍‌ଇଓ ବିଜୟ କୁମାର ଖିଲ, ଏଏନ୍‌ଏମ୍‌ କୁମୁଦିନୀ ପୂଜାରୀ, ସୁଜାତା ତନ୍ତି ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଥିଲେ। ଆକ୍ରାନ୍ତ ଗଲରୀ ଅଭିଙ୍କ ଚିକିତ୍ସା କରିଥିଲେ। ଅନ୍ୟ ଗାଁକୁ ଯେମିତି ଝାଡ଼ାବାନ୍ତି ନବ୍ୟାପିବ ସେଥିପାଇଁ ମେଟାପାଡ଼ୁ ସମେତ ୩ କିଲୋମିଟର ଦୂର ଏପାଲପାଡ଼ୁ ଗାଁରେ ବ୍ଲିଚିଂ ପାଉଡର ପକାଇବା ସହ ଗ୍ରାମ ସଫେଇକୁ ଗୁରୁତ୍ବ ଦିଆଯାଇଛି। ପ୍ରଶାସନ ପକ୍ଷରୁ ପିଇଓ, ଜିଆରଏସ୍‌, ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଗାଁକୁ ଆସି ତଥ୍ୟ ସଂଗ୍ରହ କରିଛନ୍ତି।

ସୂଚନାଯୋଗ୍ୟ, ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଏହି ଗାଁକୁ ଦୁଇ ଦିନ ତଳେ ଆନ୍ଧ୍ରରୁ ଜଣେ ସଂପର୍କୀୟ ଆସିଥିଲେ। ତାଙ୍କ ରହଣି ସମୟରେ ହିଁ ଗାଁରେ ଝାଡ଼ାବାନ୍ତି ବ୍ୟାପିଥିଲା। ଉକ୍ତ ବ୍ୟକ୍ତି ନିଜ ଗାଁକୁ ଫେରିବା ପରେ ତାଙ୍କ ଗାଁରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିଥିବା ଗ୍ରାମବାସୀ କହିଛନ୍ତି। ଏପରିକି ସଂପୃକ୍ତ ବ୍ୟକ୍ତିଙ୍କ ବାପା ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଆଜି ସୁଦ୍ଧା ପଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ସେଥିମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। କିନ୍ତୁ ପରିବାର ଲୋକ ଏଥିପାଇଁ ରାଜି ହେଉନଥିବା ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିଛି। ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଆଜି ଗସ୍ତ କରିବା ପରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି। କେଉଁ କାରଣରୁ ଝାଡ଼ାବାନ୍ତି ବ୍ୟାପିଲା ସ୍ପଷ୍ଟ ହୋଇପାରୁନି। ସପ୍ତାହେ ଧରି ଗାଁ ଉପର ନଜର ରହିବ ଏବଂ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଗାଁକୁ ଯାଇ ଚିକିତ୍ସା ସହ ସଚେତନ କରିବ ବୋଲି କୁହାଯାଇଛି।