କରୋନା ପରଠୁ ଗଞ୍ଜାମକୁ କମିଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା

ଗଞ୍ଜାମ: ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଗଞ୍ଜାମ ଜିଲ୍ଲାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ଗଞ୍ଜାମ ଜିଲ୍ଲାରେ ବହୁ ଐତିହାସିକ ପର୍ଯ୍ୟଟନସ୍ଥଳୀ ରହିଛି। ପ୍ରତିବର୍ଷ ହଜାରହଜାର ସଂଖ୍ୟାରେ ପର୍ଯ୍ୟଟକ ସେଠାକୁ ଭ୍ରମଣ ପାଇଁ ଆସିଥାନ୍ତି। ଏମାନଙ୍କ ମଧ୍ୟରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ରହିଥା’ନ୍ତି। କିନ୍ତୁ କରୋନା ପରଠୁ ଗଞ୍ଜାମ ଜିଲ୍ଲାକୁ ପର୍ଯ୍ୟଟକଙ୍କ ଆଗମନ ବିଶେଷ ମାତ୍ରାରେ ହ୍ରାସ ପାଇଥିବା ରେକର୍ଡ଼ କହୁଛି। କରୋନା ପାଇଁ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି। ଗତ ୨୦୨୦ରେ ଗଞ୍ଜାମ ଜିଲ୍ଲାକୁ ମୋଟ ୭ଲକ୍ଷ ୧୦ହଜାର ୫୫୫ ପର୍ଯ୍ୟଟକ ଭ୍ରମଣ ପାଇଁ ଆସିଥିଲେ। ସେଥିରୁ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୭ଲକ୍ଷ ୧୦ହଜାର ୨୩୯ ରହିଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର ୩୧୬ ରହିଥିବା ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। କରୋନା ପରେ ପର୍ଯ୍ୟଟନ ଶିଳ୍ପର ବିକାଶ ଦିଗରେ ରାଜ୍ୟ ସରକାର ନାନା ପଦକ୍ଷେପ ଗ୍ରହଣ କରିଛନ୍ତି। ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କାମ ହାତକୁ ନିଆଯାଇଛି। ତନ୍ମଧ୍ୟରେ ଗୋପାଳପୁର, ତାମ୍ପରା, ତପ୍ତପାଣି, ଘୋଡ଼ାହାଡ଼, ପାତିସୁନାପୁର ରହିଛି। ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

go2india.in

ଗଞ୍ଜାମ ଜିଲ୍ଲା ପର୍ଯ୍ୟଟନ ବିଭାଗର ତାଲିକାରେ ୨୨ଟି ମୁଖ୍ୟ ପର୍ଯ୍ୟଟନସ୍ଥଳୀ ରହିଛି। ପ୍ରଥମ ସ୍ଥାନରେ ଗୋପାଳପୁର ରହିଛି। ପର୍ଯ୍ୟଟକ ବର୍ଷକୁ ୧୨ମାସ ଗୋପାଳପୁର ବୁଲିବାକୁ ଆସିଥାନ୍ତି। ଗୋପାଳପୁରରେ ଥିବା ନୀଳ ସମୁଦ୍ର ଜଳରାଶି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସେହିପରି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ତପ୍ତପାଣି, ଚିଲିକା(ରମ୍ଭା), ନାରାୟଣୀ, ନିର୍ମଳଝର, ତାରାତାରିଣୀ, ମହୁରୀକାଳୁଆ, ପୋତାଗଡ଼, ନିଜବା‌େଙ୍କଶ୍ବରୀ ପ୍ରଭୃତି ରହିଛି। ଏହି ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଅଧିକାଂଶ ସମୟରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ବିଶେଷ କରି ନଭେମ୍ବରରୁ ଫେବ୍ରୁଆରି ମଧ୍ୟରେ ପର୍ଯ୍ୟଟକଙ୍କ ଆଗମନ ଅଧିକ ରହିଥାଏ। କିନ୍ତୁ ୨୦୨୦ ମାର୍ଚ୍ଚ ମାସରୁ କରୋନା ଯୋଗୁଁ ଜିଲ୍ଲାକୁ ପର୍ଯ୍ୟଟକଙ୍କ ଆଗମନ କମିଛି। ଯାହାକି ଜିଲ୍ଲାର ପର୍ଯ୍ୟଟନ ଶିଳ୍ପକୁ ପଛକୁ ଠେଲି ଦେଇଛି। କରୋନା ସରିବା ପରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ କାମ ହାତକୁ ନିଆଯାଇଛି। ପାତିସୁନାପୁର ବେଳାଭୂମିକୁ ବ୍ଲୁ-ଫ୍ଲାଗ୍‌ ମାନ୍ୟତା ପ୍ରଦାନ ପାଇଁ କାମ ଆରମ୍ଭ ହୋଇଥିବା ବେଳେ ତାମ୍ପରା, ଘୋଡ଼ାହାଡ଼, ଗୋପାଳପୁର ଭଳି ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇଛି। ତଥାପି ପର୍ଯ୍ୟଟକ ଏଥିପ୍ରତି ଆକୃଷ୍ଟ ହେଉ ନଥିବା ଲକ୍ଷ୍ୟ କରାଯାଉଛି। ପୂର୍ବରୁ ପ୍ରତିବର୍ଷ ଦୁଇ ହଜାରରୁ ଅଢ଼େଇ ହଜାର ବିଦେଶୀ ପର୍ଯ୍ୟଟକ ଜିଲ୍ଲାକୁ ଆସୁଥିଲେ। କିନ୍ତୁ ୨୦୨୦ ଠାରୁ ଏହି ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି। ଏପରିକି ପାତି ସୁନାପୁର ବେଳାଭୂମିରେ ଗତବର୍ଷ ରାଜ୍ୟ ସରକାରଙ୍କ ତରଫରୁ ଅସ୍ଥାୟୀ ଇକୋ ରିଟ୍ରିଟ୍‌ ସେଣ୍ଟର୍‌ କରାଯାଇଥିଲା। ହେଲେ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରି ନଥିଲା। ଏହାର ଦର ଅଧିକ ରହିଥିବା ବେଳେ ଆବଶ୍ୟକ ଆନୁ‌ଷଙ୍ଗିକ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ଏଠାକୁ ଆସି ନଥିଲେ।

ଗୋପାଳପୁର ବେଳାଭୂମି ବିଦେଶୀ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ରହିଥାଏ। ଏଠାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେଧୀରେ ବଢ଼ୁଥିଲା। ୨୦୧୬ରେ ୧୨୧୭ ବିଦେଶୀ ପର୍ଯ୍ୟଟକ ଗୋପାଳପୁର ଆସିଥିବା ବେଳେ ୨୦୧୭ରେ ୧୬୫୭, ୨୦୧୮ରେ ୧୭୮୨ ଓ ୨୦୧୯ରେ ୧୮୧୩ ପର୍ଯ୍ୟଟକ ଆସିଥିଲେ। କିନ୍ତୁ ୨୦୨୦ରେ ମାତ୍ର ୨୮୦ ବିଦେଶୀ ପର୍ଯ୍ୟଟକ ଗୋପାଳପୁର ଆସିଥିବା ରେକର୍ଡ଼ କହୁଛି। ସେହିପରି ୨୦୨୧ରେ ମଧ୍ୟ ପର୍ଯ୍ୟଟକଙ୍କ ସଂଖ୍ୟା ବିଶେଷ ମାତ୍ରାରେ କମିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର