ଯାଜପୁରସଦର : ଯାଜପୁର ଜିଲ୍ଲାରେ ଗତ ଦୁଇ ଦଶନ୍ଧି ଧରି ଯେଉଁ ହାରରେ ଝିଅ ସଂଖ୍ୟା ହ୍ରାସ ପାଉଛି, ତାହା ଆଗକୁ ଜଟିଳ ଆକାର ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଛି। ଏବେ ପ୍ରତି ହଜାରେ ପୁଅରେ ମାତ୍ର ୮୯୮ ଝିଅ ଅଛନ୍ତି। ଏହି ଉଦବେଗଜନକ ସ୍ଥିତିକୁ ନେଇ ଏବେ ବିଶେଷଜ୍ଞ ମହଲ ଚିନ୍ତା ପ୍ରକଟ କଲାଣି। ଆଗକୁ ଆଉ ବିବାହ ପାଇଁ ଝିଅ ମିଳିବେ ନାହିଁ ବୋଲି ଅନେକ ପୁରୁଖା ବ୍ୟକ୍ତି ପ୍ରକାଶ କରିଛନ୍ତି।

Advertisment

୨୦୧୯ ରୁ ୨୦୨୧ ନ୍ୟାସନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ ରିପୋର୍ଟ ଅନୁସାରେ ଝିଅ ଜନ୍ମ ଅନୁପାତ କମ୍‌ ରହିଛି। ‌ରିପୋର୍ଟ ଅନୁସାରେ ଭାରତରେ ହଜାରେ ପୁଅରେ ୯୨୯ ଝିଅ ରହିଥିବା ବେଳେ ଓଡ଼ିଶାରେ ଏହି ହାର ଯଥେଷ୍ଟ କମ୍ ରହିଛି। ଏଠି ପ୍ରତି ହଜାର ପୁଅରେ ୮୯୪ ଝିଅ ଜନ୍ମ ନେଉଚନ୍ତି। ସେହି ଆଧାରରେ ଯାଜପୁର ଜିଲ୍ଲା‌ରେ ଏହି ସଂଖ୍ୟା ୮୯୮। ଏହା ଅତ୍ୟନ୍ତ ଉଦବେଗଜନକ ବୋଲି କୁହାଯାଉଛି। ପୁଅ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ୧୦୨ ରହିଛି। ଏପରି ବ୍ୟବଧାନ ଲାଗି ରହିଲେ ଆଉ ୩୦ ବର୍ଷ ପରେ ପୁଅଙ୍କ ତୁଳନାରେ ଝିଅଙ୍କ ଜନ୍ମ ସଂଖ୍ୟା ସାଂଘାତିକ ସ୍ଥିତିକୁ ଖସି ଯିବାର ଆଶଙ୍କା ଦେଖାଦେଇଛି।

publive-image Dhaka Tribune

୨୦୦୧ ଜନଗଣନା ରିପାର୍ଟ ଅନୁସାରେ ଯାଜପୁର ଜିଲ୍ଲାରେ ହଜାରେ ପୁଅରେ ୯୩୭ ଝିଅ ଜନ୍ମ ହୋଇଥିଲେ। ୨୦୧୧ ବେଳକୁ ଏହି ସଂଖ୍ୟା‌ ୯୨୬ କୁ ଖସି ଆସିଛି। ଏହି ସଂଖ୍ୟା କମିବାର ମୁଖ୍ୟ କାରଣ ବେଆଇନ ଲିଙ୍ଗ ନିରୂପଣ ବୋଲି କୁହାଯାଉଛି। ସରକାରୀ ମୁଖ୍ୟ ଚିକିତ୍ସାଳୟରେ ସୋନୋଗ୍ରାଫି(ଅଲଟ୍ରାସାଉଣ୍ଡ) ମେସିନ ଥାଇ ମଧ୍ୟ ଏହାର ବ୍ୟବହାର କରାଯାଉନାହିଁ। ‌ଗର୍ଭବତୀ ମହିଳାଙ୍କୁ ପରୋକ୍ଷରେ ବେସରକାରୀ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ କରାଯାଉଛି। ଏହିସବୁ ଚିକିତ୍ସାଳୟରେ ବେଆଇନ ଭାବେ ଲୁଚାଛପାରେ ଲିଙ୍ଗ ନିରୂପଣକୁ ପ୍ରୋତ୍ସାହିତ କରାଯାଉଛି। ଜିଲ୍ଲା ସ୍ତରରେ ବେଆଇନ ଲିଙ୍ଗ ନିରୂପଣ ଆଇନ ପରାମର୍ଶଦାତା କମିଟି ରହିଛି।

ନିରାକରଣ ପ୍ରସ୍ତୁତି ବୈଠକ ହେଉଛି। ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ସଂସ୍ଥାରେ ଚଢ଼ଉ କରାଯାଉନାହିଁ। ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା ସଂପର୍କରେ ଖବର ଦେଲେ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ହେଲେ ସ୍ବାସ୍ଥ୍ୟ ବିଭାଗ ପାଖରେ ଏସଂପର୍କରେ ଖବର ପହଞ୍ଚି ପାରୁନାହିଁ। ବିଭାଗୀୟ କିଛି ଅସାଧୁ କର୍ମଚାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହି ପଦକ୍ଷେପ ବିଫଳ ହୋଇଛି। ସରକାର ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଆଳରେ କନ୍ୟା ଶକ୍ତି, ଅବର୍ଣ୍ଣନୀୟ ଏବଂ ଅଦମ୍ୟର ସ୍ଲୋଗାନ ଦେଉଥିବା ବେଳେ ବାସ୍ତବରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ।