ସଂକ୍ରମଣ ୩ ହଜାରକୁ ଖସିଲା, ରାଜ୍ୟରେ ସଂକ୍ରମଣ ହାର ୫.୯%

ଯାଜପୁରରେ ସର୍ବାଧିକ ୨୨.୩%, ଉପକୂଳରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାରକୁ ଖସି ଆସଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୩୪୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୧୫ ଏପ୍ରିଲରେ ରାଜ୍ୟରେ ୩୧୦୮ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୬୦ଦିନ ପରେ ରାଜ୍ୟରେ ଏହି ସ୍ଥିତି ଫେରିଛି। ହେଲେ ଉପକୂଳ ଓଡ଼ିଶାରେ ଏବେ ବି ସ୍ଥିତି ଚିନ୍ତାଜନକ ରହିଛି। ଏସବୁ ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ହାର(ପଜିଟିଭ୍ ରେଟ୍‌) ରାଜ୍ୟର ସଂକ୍ରମଣ ହାରଠାରୁ ଢେର ଅଧିକ ରହିଛି। ତେଣୁ ଆସନ୍ତା ୧୭ତାରିଖ ପରେ ମଧ୍ୟ କିଛି ଜିଲ୍ଲାରେ କଟକଣା ବଳବତ୍ତର ରହିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଏହାସହ ଦୈନିକ ନମୁନା ପରୀକ୍ଷାରେ ହଠାତ ଦ୍ରୁତ ହ୍ରାସ ମଧ୍ୟ ଦୈନିକ ସଂକ୍ରମଣ ଖସିବା ପଛର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି। ସପ୍ତାହ ପୂର୍ବରୁ ‌‌ଦୈନିକ ୬୫ହଜାର ଉପରେ ପରୀକ୍ଷା ହୋଇଥିବା ବେଳେ ଗତ ୨୪ଘଣ୍ଟାରେ ଏହାର ୫୬ ହଜାରକୁ ଖସି ଆସିଛି। ରାଜ୍ୟର ସଂକ୍ରମଣ ହାର ରହିଛି ୫.୯୯ ପ୍ରତିଶତ। ନମୁନା ପରୀକ୍ଷାରେ ହ୍ରାସ ଯୋଗୁଁ କିଛି ଜିଲ୍ଲାରେ ସଂକ୍ରମଣ ହାର ଅହେତୁକ ଭାବେ ବୃଦ୍ଧି ପାଇଛି। ଯାଜପୁର ଜିଲ୍ଲାରେ ଗତ ୨୪ଘଣ୍ଟାରେ ସଂକ୍ରମଣ ହାର ୨୨.୩ ପ୍ରତିଶତ ରେକର୍ଡ କରାଯାଇଛି। ଏହାବାଦ୍ ଖୋର୍ଧାରେ ୧୧, ଭଦ୍ରକ ୯.୬,
ପୁରୀ ଓ ବାଲେଶ୍ବରରେ ୮.୯ ପ୍ରତିଶତ ଓ କଟକରେ ୮.୪ ପ୍ରତିଶତ ସଂକ୍ରମଣ ହାର ଦେଖିବାକୁ ମିଳିଛି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ସଂକ୍ରମଣ ହ୍ରାସ ଯୋଗୁଁ ହସ୍ପିଟାଲ ଉପରେ ଧୀରେ ଧୀରେ ଚାପ କମୁଛି। ରାଜ୍ୟରେ ଏବେ ପର୍ଯ୍ୟାପ୍ତ ଶଯ୍ୟା ରହିଛି। ହେଲେ ଆଇସିୟୁ ଓ ଭେଣ୍ଟିଲେଟରରେ ଏବେ ମଧ୍ୟ ୫୬ ପ୍ରତିଶତ ରୋଗୀ ରହିଛନ୍ତି। ଯେଉଁଠି ଅଧିକ ପଜିଟିଭ୍ ବାହାରୁଛନ୍ତି ସେଠାରେ ସର୍ଭେଲାନ୍‌ସ କରାଯାଉଛି। ଟେଷ୍ଟିଂ, ଟ୍ରାକିଂ, ଆଇସୋଲେସନ୍‌ ସହ ଘରକୁ ଘର ବୁଲି ସର୍ଭେ କରାଯାଉଛି। ରାଜ୍ୟରେ ଅନ୍‌ଲକ୍‌ ନେଇ ଗତ ୧୫ଦିନର ସମସ୍ତ ତଥ୍ୟର ଅନୁଶୀଳନ କରାଯିବ। ଆସନ୍ତା ଦିନେ କିମ୍ବା ଦୁଇ ଦିନରେ ରାଜ୍ୟ ସରକାର ଏ‌ ସଂପର୍କରେ ନିଷ୍ପତ୍ତି ନେବେ ବୋଲି ଡା. ମହାପାତ୍ର କହିଛନ୍ତି।

ରାଜ୍ୟରେ ଦୈନିକ ୪୦ ଉପରେ କରୋନା ମୃତ୍ୟୁ ଜାରି ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪୨ଜଣଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି। ଏଥିରେ କଟକ, ପୁରୀ, ଖୋର୍ଧା, ଝାରସୁଗୁଡ଼ାରେ ୪ ଲେଖାଏଁ, ରାୟଗଡ଼ା, ବରଗଡ଼, ଜଗତସିଂହପୁର, କଳାହାଣ୍ଡି, ରାୟଗଡ଼ାରେ ୩ ଲେଖାଏଁ, ସୁନ୍ଦରଗଡ଼, ମାଲକାନଗିରି, କେନ୍ଦୁଝର, ଗଞ୍ଜାମରେ ୨ ଲେଖାଏଁ, ବାଲେଶ୍ବର, ବଲାଙ୍ଗୀର, ଦେବଗଡ଼, କେନ୍ଦ୍ରାପଡ଼ା, ନୂଆପଡ଼ା, ସମ୍ବଲପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୩୩୮୮ ଛୁଇଁଛି।

୪ ସପ୍ତାହ ଲକ୍‌ଡାଉନ୍‌ ପରେ ମଧ୍ୟ ଖୋର୍ଧା ଜିଲ୍ଲା ଦୈନିକ ସଂକ୍ରମଣ ତାଲିକାରେ ୧ନଂ ସ୍ଥାନରେ ରହିଛି। ଖୋର୍ଧାରୁ ୫ଶହ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଯାଜପୁର ୩୯୧, ବାଲେଶ୍ବର ୨୯୬, କଟକ ୨୩୦, ଅନୁଗୁଳ ୧୮୩, ଭଦ୍ରକ ୧୭୯, ମୟୂରଭଞ୍ଜ ୧୮୭, ପୁରୀ ୧୪୧, ଜଗତସିଂହପୁର ୧୨୯, ନୟାଗଡ଼ ୯୭ ଓ ଷ୍ଟେଟ୍‌ ପୁଲରୁ ୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୫୯ହଜାର ୫୨୬କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଜି ୬୭୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୧୧ହଜାର ୭୮୦କୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୪,୩୦୫କୁ ଖସି ଆସିଛି।

ସମ୍ବନ୍ଧିତ ଖବର