ଜିଲ୍ଲାରେ ବଢ଼ୁଛନ୍ତି ବାଳ ଅପରାଧୀ: ୫ ବର୍ଷରେ ୧,୮୮୭ ବାଳ ଅପରାଧୀ ଚିହ୍ନଟ

ରାଉରକେଲା: ବିଭିନ୍ନ କାରଣରୁ  ବାଟବଣା ହେଉଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଶିଶୁ ଯୋଜନା। ଠିକ୍‌ ଭାବେ କାର୍ଯ୍ୟକାରି ନ ହେବା, ଇଣ୍ଟରନେଟ୍‌ ଦୁରୁପଯୋଗ, ପାରିବାରିକ ସଚେତନତା ଓ ଦାୟିତ୍ବହୀନତା ଆଦି ଅଭାବରୁ ଅପରାଧ ମୁହାଁ ହେଉଛନ୍ତି କୋମଳମତି ଶିଶୁ ଓ କିଶୋର। ହତ୍ୟା, ଦୁଷ୍କର୍ମ, ଗଣଦୁଷ୍କକର୍ମ, ଚୋରି, ଡକାୟତି, ଲୁଟ୍‌, ଛିନ୍‌ତାଇ, ନିଶା କାରବାର ଆଦି ଅପରାଧିକ କାର୍ଯ୍ୟକଳାପ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ରାଜ୍ୟରେ ଦିନକୁ ଦିନ ବାଳ ଅପରାଧୀଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ସୁନ୍ଦରଗଡ଼ରେ ଏହି ସ୍ଥିତି ଆହୁରି ଚିନ୍ତାଜନକ। ଜିଲ୍ଲାରେ ଗତ ୫ ବର୍ଷ, ଅର୍ଥାତ୍‌ (୨୦୧୭ରୁ ୨୦୨୧) ମଧ୍ୟରେ ଚିହ୍ନଟ ହୋଇଛନ୍ତି ମୋଟ୍‌ ୧,୮୮୭ ବାଳ ଅପରାଧୀ। ଏମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଅଣଓଡ଼ିଆ ଓ ନିରକ୍ଷର।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୦୧୭ରେ ୪୦୪ ବାଳ ଅପରାଧୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଘନ୍ୟକାଣ୍ଡ ଭିଆଇଥିଲେ ୩ ଜଣ, ୨୨୧ ଗୁରୁତର ଅପରାଧରେ ସମ୍ପୃକ୍ତ ଓ ୧୮୦  ଛୋଟମୋଟ ଅପରାଧ କାର୍ଯ୍ୟକଳାପ ଘଟାଇଥିଲେ। ୨୦୧୮ରେ ମୋଟ୍‌ ୪୦୯ ବାଳ ଅପରାଧୀ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ଭିତରୁ ଜଘନ୍ୟକାଣ୍ଡ ସମ୍ପୃକ୍ତ ଥିଲେ ୪ ଜଣ, ୧୮୪ ଜଣ ଗୁରୁତର ଓ ୨୨୧ ଜଣ ଛୋଟମୋଟ ଅପରାଧରେ ସମ୍ପୃ୍କ୍ତ ଥିଲେ। ମହାମାରୀ କରୋନା କାରଣରୁ ୨୦୧୯ ଓ ୨୦୨୦ରେ ଅପରାଧିକ କାର୍ଯ୍ୟକଳାପ  କମ୍‌ ଥିବାରୁ ବାଳ ଅପରାଧୀଙ୍କ ସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଥିଲା। ୨୦୧୯ରେ ମୋଟ୍‌  ୩୮୭ ବାଳ ଅପରାଧୀ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୦୯ ଗୁରୁତର ଅପରାଧ ଓ ୧୭୮ ସାମାନ୍ୟ ଅପରାଧ କାର୍ଯ୍ୟରେ ସମ୍ପୃକ୍ତ ଥିଲେ। ୨୦୨୦ରେ ଏହି ସଂଖ୍ୟା ଥିଲା ୨୮୬। ଏମାନଙ୍କ ମଧ୍ୟରୁ ୧୯୧ ଗୁରୁତର ଓ ୯୫ ଜଣ ସାମାନ୍ୟ ଅପରାଧରେ ସମ୍ପୃକ୍ତ ଥିଲେ।

ତେବେ ୨୦୨୧ରେ ଜିଲ୍ଲାରେ ଚିହ୍ନଟ ‌ହୋଇଥିଲେ ମୋଟ୍‌ ୪୦୧ ଜଣ ବାଳ ଅପରାଧୀ। ଏମାନଙ୍କ ମଧ୍ୟରେ ୨୧୬ ଗୁରୁତର ଓ ୧୮୫ ଜଣ ସାମାନ୍ୟ ଅପରାଧ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବାଳ ଅପରାଧୀ ସଂଖ୍ୟା ବଢ଼ିବାରେ ଅନେକ ପ୍ରମୁଖ କାରଣ ରହିଛି। ସୁନ୍ଦରଗଡ଼ ଜିଲ୍ଲାକୁ ଉଭୟ ଝାଡ଼ଖଣ୍ଡ ଓ ଛତିଶଗଡ ରାଜ୍ୟ ଲାଗି ରହିଥିବାରୁ ଏଠାରେ ଅପରାଧ କାର୍ଯ୍ୟକଳାପ ବଢ଼ୁଛି। ନାବାଳକମାନେ ଚୋରି, ଡକାୟତି କଲେ ଦଣ୍ଡ ନଥିବାରୁ କିଛି ଅପରାଧୀ ଗରିବ ପରିବାରର ନିରକ୍ଷର ନାବାଳକଙ୍କୁ ଅପରାଧରେ ବ୍ୟବହାର କରୁଛନ୍ତି। ଦ୍ବିତୀୟତଃ, ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ ଅନେକ ଅଣଓଡ଼ିଆ ପରିବାର ରହୁଛନ୍ତି। ସେମାନଙ୍କର ଆର୍ଥିକ ସ୍ଥିତି ଏତେଟା ଭଲ ନାହିଁ। ଅଣଓଡ଼ିଆ ହୋଇଥିବାରୁ ସହରରେ ସରକାରୀ ସ୍କୁଲମାନଙ୍କରେ ଏମାନଙ୍କ ପାଇଁ ପାଠପଢ଼ାର ସେମିତି କୌଣସି ବ୍ୟବସ୍ଥା ନାହିଁ। ଘରୋଇ ସ୍କୁଲଗୁଡ଼ିକରେ ପାଠପଢ଼ିବାକୁ ସମ୍ବଳ ନଥିବାରୁ ଅଧାରୁ ପାଠପଢ଼ାରେ ଡ଼ୋରି ବାନ୍ଧି ଏହି ନାବଳକମାନେ ଅପରାଧ ମୁହାଁ ହେଉଛନ୍ତି।

ତୃତୀୟତଃ ବାଳ ଅପରାଧ ରୋକିବାକୁ ଯଦିଓ ଗ୍ରାମାଞ୍ଚଳରେ ‘ପଞ୍ଚାୟତ ଶିଶୁ ସୁରକ୍ଷା କମିଟି’  ରହିଛି ଓ ସରପଞ୍ଚ ହେଉଛନ୍ତି କମିଟିର ଅଧ୍ୟକ୍ଷ, କିନ୍ତୁ ଏଥିପାଇଁ ସରକାରଙ୍କ କୌଣସି ଆର୍ଥିକ ବ୍ୟବସ୍ଥା ନଥିବାରୁ କମିଟିର କାର୍ଯ୍ୟକଳାପ ଶୂନ। ଏପରିକି ଏପରି ବ୍ୟବସ୍ଥା ଅଛି ବୋଲି କ୍ବଚିତ୍ ଗ୍ରାମବାସୀ ବା ନିଜେ ସରପଞ୍ଚ ଜାଣିଛନ୍ତି। ‌‌ସର୍ବୋପରି ଶିଶୁମାନଙ୍କ ସୁରକ୍ଷା ସମନ୍ବିତ ଶିଶୁ ବିକାଶ ଯୋଜନା, ଶିଶୁ ଶ୍ରମିକ ପୁନର୍ବାସ ଯୋଜନା ଆଦି ଅନେକ ଯୋଜନାର ଠିକ୍‌ କାର୍ଯ୍ୟକାରୀ ନ ହେବାର ଏହାର ଅନ୍ୟ ଏକ ପ୍ରମୁଖ କାରଣ। ଜିଲ୍ଲାରେ ଚିନ୍ତା ବଢ଼ାଇଥିବା ବାଳ ଅପରାଧୀଙ୍କ ସଂଖ୍ୟା ରୋକିବାକୁ ସବୁ ସ୍ତରରୁ ଉଦ୍ୟମ ହେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର