କୋଭିଡରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ୁଛି: ଟେଲିମେଡିସିନରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଏମ୍ସ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ବର: ଗତବର୍ଷ ଭଳି ଚଳିତ ବର୍ଷ କୋଭିଡକୁ ନେଇ ଲୋକେ ଆଉ ଛାନିଆ ହେଉ ନାହାନ୍ତି ସତ କିନ୍ତୁ ବିଭିନ୍ନ କାରଣ ଯୋଗୁଁ ମେଣ୍ଟାଲ ଡିସଅର୍ଡର ବା ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବାକୁ ବୋଲି କହିଛନ୍ତି ଏମ୍ସ ମନସ୍ତତ୍ବ ବିଭାଗ ବିଶେଷଜ୍ଞ ଡ.ଦେବଦତ୍ତା ମହାପାତ୍ର। ସେ କହିଛନ୍ତି, ୨୦୨୧ ମସିହାରେ ଓପିଡି ବନ୍ଦ ଥିବା ସମୟରେ ଦୈନିକ ପ୍ରାୟ ୭୦ରୁ ୮୦ ଜଣ ବିଭିନ୍ନ ପ୍ରକାର ମାନସିକ ସମସ୍ୟା ପାଇଁ ଫୋନ କରୁଥିଲେ। ଏମାନଙ୍କ ମଧ୍ୟରୁ ୧୦ରୁ ୧୫ ପ୍ରତିଶତ ଏଭଳି ବ୍ୟକ୍ତି ଥିଲେ ଯେଉଁମାନଙ୍କ ମାନସିକ ରୋଗନଥିଲା କିନ୍ତୁ କୋଭିଡକୁ ନେଇ ସେମାନେ ଛାନିଆ ହୋଇ ପଡ଼ୁଥିଲେ। ସାମାନ୍ୟ ଥଣ୍ଡା, ଜ୍ବର, କିମ୍ବା କୋଭିଡର କୌଣସି ଲକ୍ଷଣକୁ ନିଜେ ଅନୁଭବ କଲେ, ପରିବାରର କାହାକୁ କୋଭିଡ ହୋଇଗଲେ କଣ ହେବ ଭାବି ଛାନିଆ ହୋଇଯାଉଥିଲେ। ନିଦ୍ରାହୀନତାର ଶିକାର ହେଉଥିଲେ। ଏହାକୁ ମୁକାବିଲା କରିବା ଏତେ କଷ୍ଟକର ନଥିଲା।

କାଉନସେଲିଂ କରି ଲୋକେ ସୁସ୍ଥ ଏବଂ ସ୍ବାଭାବିକ ହୋଇ ଯାଉଥିଲେ। ବର୍ତ୍ତମାନ ସମୟ ବଦଳିବା ସହିତ କୋଭିଡକୁ ନେଇ ଆଉ ଛାନିଆ ହେଉ ନାହାନ୍ତି। ପରିବର୍ତ୍ତିତ ଜୀବନ ଶୈଳୀ, ମହାମାରୀରେ ନିଜ ଲୋକଙ୍କୁ ହରାଇବା, ଚାକିରି ଚାଲିଯିବା ସହିତ ଦୀର୍ଘଦିନ ଧରି କୋଭିଡ ଆକ୍ରାନ୍ତ ହେବା ଫଳରେ ସେମାନଙ୍କ ମଧ୍ୟରେ ମେଣ୍ଟାଲ ଡିସଅର୍ଡର ବା ମାନସିକ ରୋଗ ଜନିତ ସମସ୍ୟା ବୃଦ୍ଧି ପାଇଛି। ଅର୍ଥାତ ସେମାନଙ୍କ ସ୍ଥିତି ଏଭଳି ହୋଇଛି ଯେ ସେମାନେ ମାନସିକ ଏବଂ ଶାରୀରିକ ଭାବରେ କାର୍ଯ୍ୟ କରିବାକୁ ଅକ୍ଷମ ହୋଇ ପଡ଼ୁଛନ୍ତି। ଏଥିପାଇଁ ସେମାନଙ୍କୁ କାଉନସେଲିଂ ସହିତ ମେଡିଟେସନ କରିବାକୁ ପରାମର୍ଶ ଦିଆଯାଉଛି। ଡ.ମହାପାତ୍ରଙ୍କ ଅନୁସାରେ, କୋଭିଡକୁ ନେଇ ଲୋକେ ଛାନିଆ ହେବେ ନାହିଁ କିନ୍ତୁ ମାନସିକ ରୋଗ ବଢିବ। ଆତ୍ମହତ୍ୟା ପ୍ରବଣତା, ହାତଧୁଆ ଭଳି ସମସ୍ୟା ମଧ୍ୟ ବୃଦ୍ଧି ପାଇଛି। ଚଳିତ ବର୍ଷ ଟେଲିମେଡିସିନ ଜରିଆରେ ଏମ୍ସ ମନସ୍ତତ୍ବ ବିଭାଗକୁ ପ୍ରତିଦିନ ପ୍ରାୟ ୪୦ ଫୋନ ଆସୁଛି। ସ୍ବାସ୍ଥ୍ୟ ଆପ ଜରିଆରେ ମଧ୍ୟ ଅନେକ ରୋଗୀ ଡାକ୍ତରଙ୍କ ସହିତ ଯୋଗାଯୋଗ କରୁଛନ୍ତି। ରୋଗୀ ପ୍ରଥମେ ପଞ୍ଜୀକରଣ କରାଇ ଭିଡିଓ କଲରେ ଡାକ୍ତରଙ୍କୁ ପଚାରି ପାରିବେ। ଆଇପିଡିରେ ଏଠାରେ ୩୦ ରୋଗୀ ଭର୍ତ୍ତି ଥିଲେ। ମାତ୍ର କୋଭିଡ ଯୋଗୁଁ ଅନେକ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ଯେଉଁମାନଙ୍କ ଅବସ୍ଥା ଗୁରୁତର ରହିଛି ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ବିଭାଗର ଅନେକ ଡାକ୍ତର ଏବଂ କର୍ମଚାରୀ ମଧ୍ୟ କୋଭିଡ ପଜିଟିଭ ରହିଛନ୍ତି।

ସମ୍ବନ୍ଧିତ ଖବର