୬ହଜାର ତଳକୁ ଖସିଲା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା

ଭୁବନେଶ୍ବର: କରୋନାର ଚଳିତ ଚତୁର୍ଥ ଲହରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ୨ଜଣ ପ୍ରାଣ ହରାଇଥିବା ଘୋଷଣା କରାଯାଇଛି। ଏହାକୁ ମିଶାଇ ଚଳିତ ଲହରରେ ବର୍ତମାନସୁଦ୍ଧା ୮ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତା ବଢ଼ାଇଛି।
ରାଜ୍ୟରେ ମୋଟ ୯୧୩୫ଜଣଙ୍କର ସରକାରୀ ଭାବେ କରୋନାରେ ମୃତ୍ୟୁ ହୋଇଛି। କିନ୍ତୁ ୨୭,୫୮୫ଜଣ କରୋନା କ୍ଷତିପୂରଣ ପାଇଁ ଆବେଦନ କରିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏଥିରେ ଖୋର୍ଧାରୁ ସର୍ବାଧିକ ୬୭୨୨, କଟକ ୩୮୭୬, ସୁନ୍ଦରଗଡ଼ ୨୦୧୩, ଗଞ୍ଜାମ ୧୯୬୭ ଓ ସମ୍ବଲପୁର ୧୫୬୦ରୁ କ୍ଷତିପୂରଣ ପାଇଁ ଆବେଦନ ଆସିଛି। ସରକାରୀ ମୃତ୍ୟୁ ସଂଖ୍ୟାଠାରୁ ପ୍ରାୟ ୩ଗୁଣ ଲୋକ କ୍ଷତିପୂରଣ ପାଇଁ ଆବେଦନ କରିବା ରାଜ୍ୟର ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ଚତୁର୍ଥ ଲହର ଶେଷ ହେବା ବେଳକୁ ଆବେଦନକାରୀଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୭,୯୫୯ ନମୁନା ପରୀକ୍ଷା ହୋଇଥିବା ବେଳେ ସଂକ୍ରମଣ ହାର ରହିଛି ୩.୬୯ ପ୍ରତିଶତ ରହିଛି। ନିକଟରେ ସ୍ବାସ୍ଥ୍ୟ ବିଭାଗର ହୋଇଥିବା ବୈଠକରେ ଦୈନିକ ସଂକ୍ରମଣ ହାରକୁ ୫ ପ୍ରତିଶତ ତଳକୁ କମାଇବା ଲାଗି ନିଷ୍ପତ୍ତି ହୋଇଥିଲା। ତଥାପି ରାଜ୍ୟର ୪ଟି ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟ ହାରଠାରୁ ଅଧିକ ରହିଛି। ରାଜ୍ୟରେ ଦୈନିକ ସଂକ୍ରମଣ ୬୬୨କୁ ଖସି ଆସିଛି। ଖୋର୍ଧାରୁ ସର୍ବାଧିକ ୧୫୨, ସୁନ୍ଦରଗଡ଼ ୧୪୨, ମୟୂରଭଞ୍ଜ ୭୮, ସମ୍ବଲପୁର ୪୮, କଟକ ୩୮, ଭଦ୍ରକ ୧୩ ଓ ଷ୍ଟେଟ୍‌ ପୁଲରୁ ୨୮ଜଣଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ହଜାର ଉପରେ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର