ଚିକିତ୍ସାଧୀନ କରୋନା ‌ରୋଗୀଙ୍କ ସଂଖ୍ୟା ୧%ରୁ ଖସିଲା

ଭୁବନେଶ୍ବର: ରାଜ୍ୟରେ କରୋନା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧ ପ୍ରତିଶତରୁ କମ୍ ରହିଛି। ସଂକ୍ରମଣ ତୁନଳାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରାଜ୍ୟରେ କରୋନା ସଂକ୍ରମଣ ଭୟ ଧୀରେ ଧୀରେ ଦୂର ହେବାରେ ଲାଗିଛି। ବିଶେଷକରି ରାଜ୍ୟର ସର୍ବାଧିକ ସଂକ୍ରମିତ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୦.୯୬ ପ୍ରତିଶତ ରହିଛି।ଗତ ୨୪ଘଣ୍ଟାରେ ରାଜ୍ୟରେ ୩୪୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୯୮ ଓ ୧୫୧ଜଣ ଲୋକାଲ କଣ୍ଟାକ୍ଟସ୍‌ ରହିଛନ୍ତି। ୧୬ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୧ହଜାର ୯୧୩କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଏଥିରେ ପୁରୀ ୨, ସୁନ୍ଦରଗଡ଼, ସମ୍ବଲପୁର, ଖୋର୍ଧା ଓ ଝାରସୁଗୁଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ କରୋନା ମୃତ୍ୟୁ ୧୭୮୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୫୨୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୬ହଜାର ୯୭୦କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୮ ପ୍ରତିଶତ ରହିଛି। ରାଜ୍ୟରେ ଏବେ ୩୧୬୦ ଚିକିତ୍ସାଧୀନ କରୋନା ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର