ବିଦ୍ୟାଳୟରେ ଗର୍ଭବତୀ ଛାତ୍ରୀଙ୍କ ସଂଖ୍ୟା ଉଦ୍‌ବେଗଜନକ, ଡିଜିଙ୍କୁ ଏନ୍‌ଏଚ୍‌ଆରସିଙ୍କ ରିପୋର୍ଟ ତଲବ

ଭୁବନେଶ୍ବର: ଓଡ଼ିଶାରେ ବିଭିନ୍ନ ବିଦ୍ୟାଳୟ ତଥା ହଷ୍ଟେଲରେ ଗର୍ଭବତୀ ଛାତ୍ରୀଙ୍କ ସଂଖ୍ୟା ଉଦ୍‌ବେଜନକ ରହିଛି। କେଉଁଠି ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ବେଳେ କେଉଁଠି ଛୁଟି ପରେ ହଷ୍ଟେଲ ଫେରିଥିବା ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି। ସ୍ଥିତି ଉଦ୍‌ବେଗଜନକ ହେବା ପରେ ଏକ ଆବେଦନର ବିଚାର କରି ଏନ୍‌ଏଚ୍‌ଆରସି(ଜାତୀୟ ମାନବାଧିକାର କମିସନ) ଡିଜିଙ୍କୁ ରିପୋର୍ଟ ତଲବ କରିଥିଲେ। ପ୍ରମୁଖ ତିନିଟି ଘଟଣାକୁ ଛାଡ଼ିଦେଲେ ଅନେକ ମାମଲାରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବାରୁ ଏହି ସବୁ ଘଟଣାରେ ନିଆଯାଇଥିବା ପଦକ୍ଷେପ ଉପରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ‌ରହିଛି।

ଗତ ୨୦୧୯ ମସିହାରେ ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ସ୍କୁଲଗୁଡ଼ିକରେ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସେମାନଙ୍କର ସୁରକ୍ଷା ଓ କ୍ଷତିପୂରଣ ନେଇ ଏନ୍‌ଏଚ୍‌ଆରସିରେ ଆବେଦନ କରିଥିଲେ। ସେହି ଆବେଦନର ଶୁଣାଣି କରି କମିସନ ଗର୍ଭବତୀଙ୍କ ସଂଖ୍ୟା, କାରଣ ଓ କାର୍ଯ୍ୟାନୁଷ୍ଠାନ ବାବଦରେ ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ କରିଥିଲେ। ଗତ ବର୍ଷ ଅକ୍ଟୋବର ମାସରେ ଦିଆଯାଇଥିବା ରିପୋର୍ଟରେ ୩ଟି ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଦର୍ଶାଯାଇଥିଲା।

ରିପୋର୍ଟ ମୁତାବକ, ସର୍ବାଧିକ ଘଟଣା ଏସ୍‌ସିଏସ୍‌ଟି ଆବାସିକ ସ୍କୁଲରେ ଘଟିଥିଲା। ୨୦୧୯ ମସିହା ଜାନୁଆରି ୧୭ ତାରିଖରେ ଢେଙ୍କାନାଳ ଜିଲ୍ଲାର ଏକ ଆଶ୍ରମ ସ୍କୁଲରେ ହେଲ୍‌ଥ ଚେକ୍‌ଅପ୍‌ ବେଳେ ଜଣେ ଛାତ୍ରୀ ୭ ମାସର ଗର୍ଭବତୀ ଥିବା ଜଣା ପଡ଼ିଥିଲା। ଗ୍ରୀଷ୍ମ ଛୁଟିରେ ଘରକୁ ଯାଇଥିବା ବେଳେ ସମ୍ପର୍କୀୟଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବାରୁ ଏଭଳି ହୋଇଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

୨୦୧୭ ମସିହା ସେପ୍ଟେମ୍ବର ୩୦ ତାରିଖରେ କୋରାପୁଟ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ବେଳେ ଜଣା ପଡ଼ିଥିଲା। ଛାତ୍ରୀଜଣକ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ଆଧାରରେ ଥାନାରେ ମାମଲା ହେବା ସହ ପ୍ରଧାନ ଶିକ୍ଷକ ଗିରଫ ହୋଇଥିଲେ। ତାଙ୍କୁ ନିଲମ୍ବିତ କରାଯାଇଥିଲା।
୨୦୧୯ ଜାନୁଆରିରେ କନ୍ଧମାଳ ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ହଷ୍ଟେଲ ଭିତରେ ଶିଶୁକନ୍ୟା ଜନ୍ମ ଦେଇଥିଲା। ତେବେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା। ଗ୍ରୀଷ୍ମ ଛୁଟିରେ ଘରକୁ ଯାଇଥିବା ବେଳେ ସମ୍ପର୍କୀୟଙ୍କ ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିଥିବା ଛାତ୍ରୀ ସ୍ବୀକାର କରିଥିଲା। ଏଥିରେ କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।
ତେବେ ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା, ଯାଜପୁର ଓ କଳାହାଣ୍ଡି ଜିଲ୍ଲାରେ ଘଟିଥିବା ଅନୁରୂପ ଘଟଣାରେ କୌଣସି କାର୍ଯ୍ୟନୁଷ୍ଠାନ ହୋଇନାହିଁ। ଏଣୁ ଏହି ମାମଲାଗୁଡ଼ିକରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କିମ୍ବା କାହିଁକି ନିଆଯାଇ ନାହିଁ ସେ ବାବଦରେ ରିପୋର୍ଟ ଦାଖଲ କରିବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର