ବିଏସ୍‌କେୱାଇରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ ସଂଖ୍ୟା ୬୨୬କୁ ବୃଦ୍ଧି

ବିଏସ୍‌କେୱାଇର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ବୟନ ସମୀକ୍ଷା

ଭୁବନେଶ୍ବର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟ ତଥା ରାଜ୍ୟ ବାହାରର ୬୨୬ଟି ସୁପର ସ୍ପେଶାଲିଟି ଘରୋଇ ହସ୍ପିଟାଲ ଅନୁବନ୍ଧିତ ହୋଇଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ହସ୍ପିଟାଲମାନଙ୍କୁ ଅନୁବନ୍ଧିତ ବା ତାଲିକାରୁ ବାଦ୍ ଦିଆଯିବା ବେଳେ ସଂଗୃହୀତ ଲୋକମତ, ସଂପୃକ୍ତ ହସ୍ପିଟାଲରେ ଉପଲବ୍ଧ ରୋଗୀ-କୈନ୍ଦ୍ରିକ ସୁବିଧା, ଆଧୁନିକ ଚିକିତ୍ସା ଉପକରଣ, ହସ୍ପିଟାଲର ନିଜସ୍ୱ ଅଭିଜ୍ଞ ଡାକ୍ତର ଆଦି ବିଷୟକୁ ଗୁରୁତ୍ୱ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି ସଭାଗୃହଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି. ବୃନ୍ଦା ଯୋଜନା କାର୍ଯ୍ୟାନ୍ବୟନର ସଂପର୍କରେ ଆଲୋଚନା କରିଥିଲେ। ଇତିମଧ୍ୟରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଯୋଜନାର କ୍ଷେତ୍ରସ୍ତରୀୟ ରୂପାୟନ ବିଷୟରେ ସମୀକ୍ଷା କରିଛନ୍ତି। ଅନୁବନ୍ଧିତ ହସ୍ପିଟାଲଗୁଡିକର ଅଧିକାରୀ ଜିଲ୍ଲା ସଂଯୋଜକ ଓ ସ୍ୱାସ୍ଥ୍ୟମିତ୍ର ଆଦି ତୃଣମୂଳସ୍ତରୀୟ ଅଧିକାରୀମାନଙ୍କ ନିମନ୍ତେ ନିୟମିତ ତାଲିମ ଶିବିର ଆୟୋଜନ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ସେମାନଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି, କମ୍ପ୍ୟୁଟର, ଇଣ୍ଟରନେଟ୍ ସୁବିଧା ଆଦି ଯୋଗାଇ ଦିଆଯିବ।

‘ମୋ ସରକାର’ମାଧ୍ୟମରେ ସଂଗ୍ରହ ହେଉଥିବା ଲୋକମତ, ୧୦୪ କଲ୍ ସେଣ୍ଟର, ଅଭିଯୋଗ ଶୁଣାଣି, ଇ-ଅଭିଯୋଗ ଓ ଗଣମାଧ୍ୟମ ଆଦି ସୂତ୍ରରୁ ବର୍ତ୍ତମାନ ସୁଦ୍ଧା ମିଳିଥିବା ଅଭିଯୋଗ ଓ ମତାମତ ମଧ୍ୟରୁ ଶତକଡ଼ା ୯୫ ଭାଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ସେସବୁର ସମାଧାନ କରାଯାଇଛି। ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ସୁଦୃଶ୍ୟ ଭାବେ ବିଏସ୍‌କେୱାଇ ବୋର୍ଡ ଲଗାଇବା, ଲୋକମାନଙ୍କ ପାଇଁ ସୁବିଧାଜନକ ସ୍ଥାନରେ କାଉଣ୍ଟର ଖୋଲିବା, ତ୍ୱରିତ ଆଡ୍‌ମିସନ, ଡିସଚାର୍ଜ ଓ ବିଲ୍‌ ପୈଠ ପାଇଁ ସଫ୍‌ଟୱେୟାର ନବୀକରଣ କରିବା, ଇଣ୍ଟରନେଟ ସ୍ପିଡ୍ ବଢ଼ାଇବା ଆଦି ବଷୟରେ ସମୀକ୍ଷା ହୋଇଥିଲା।

ସମ୍ବନ୍ଧିତ ଖବର