ସମ୍ବଲପୁର: କୃଷକ ଓଡ଼ିଶା ପୋର୍ଟାଲ ଅନୁସାରେ ରାଜ୍ୟରେ ସମୁଦାୟ ୮୭.୦୪ ଲକ୍ଷ ଚାଷୀ ଅଛନ୍ତି। ସେଥିରୁ ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ୧୭.୪୯ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଯାହାକି ଗତବର୍ଷ ଠାରୁ ୧ ପ୍ରତିଶତ କମ୍ ଅଟେ। ଏଥିରୁ ୧.୦୭ ଲକ୍ଷ ହେଉଛନ୍ତି ଭାଗଚାଷୀ। ଅର୍ଥାତ ସମୁଦାୟ ଚାଷୀଙ୍କ ମଧ୍ୟରୁ ୬.୧୧ % ଭାଗଚାଷୀ ଚଳିତ ବର୍ଷ ଧାନ ବିକ୍ରି କରିବେ। ପ୍ରକୃତରେ ରାଜ୍ୟରେ ଯେତେ ସଂଖ୍ୟାରେ ଭାଗଚାଷୀ ଅଛନ୍ତି ଏହି ହାର ଖୁବ କମ ଅଟେ। ପ୍ରଥମ ଥର ପାଇଁ ରାଜ୍ୟ ସରକାର ବୋନସ୍ କାର୍ଯ୍ୟକାରୀ କରୁଥିବାରୁ ପ୍ରକୃତରେ ବୋନସ୍ର ଲାଭ ଚାଷୀ କି ଭାଗ ଚାଷୀ କିଏ ନେବ ତାକୁ ନେଇ ଦ୍ବନ୍ଦ୍ବ ରହିଛି।
ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ସନାତନପାଲିର ମନବୋଧ ବାରିକ ଜଣେ ସଫଳ ଭାଗ ଚାଷୀ। ସେ ପ୍ରାୟ ୧୫ ଏକର ଜମିରେ ଭାଗ ଚାଷ କରନ୍ତି। ଜମି ମାଲିକ ତାଙ୍କୁ ଫସଲ ବିକ୍ରି ପାଇଁ ଅନୁମତି ଦେଇ ନ ଥିବାରୁ ମଣ୍ଡିରେ ଧାନ ବିକ୍ରି କରିପାରନ୍ତି ନାହିଁ। ମନବୋଧଙ୍କ ଅନୁସାରେ, ଜମି ମାଲିକ ତାଙ୍କ ଉତ୍ପାଦିତ ଧାନ ମଣ୍ଡିରେ ବିକ୍ରି କରନ୍ତି ଏବଂ ଚୁକ୍ତିନାମା ଅନୁସାରେ ଟଙ୍କା ଦିଅନ୍ତି। ଏମ୍ଏସ୍ପି ଅନୁସାରେ ଟଙ୍କା ନ ମିଳିଲେ ବି ଏମ୍ଏସ୍ପି ବଢ଼ିଲେ କ୍ବିଣ୍ଟାଲ ହିସାବରେ ପ୍ରାପ୍ୟ ବଢ଼ିଥାଏ। ଚଳିତ ବର୍ଷ ସରକାର ବୋନସ୍ ଦେଉଥିବାରୁ ଏହାକୁ ନେଇ ଜମି ମାଲିକଙ୍କ ମଧ୍ୟରେ ଚୁକ୍ତିନାମା ହୋଇ ନାହିଁ। ସେଥିରେ ପୁଣି ଯଦି ସରକାର ବିଳମ୍ବରେ ବୋନସ୍ ଜମା କଲେ ତାଙ୍କ ଭାଗକୁ ଆସିବା ନେଇ ଅନିଶ୍ଚିତତା ରହିଛି। ରାଜ୍ୟ ବାହାରେ ରହୁଥିବା କିଛି ଜମି ମାଲିକ ଅଛନ୍ତି ଯେଉଁମାନେ ନିଜେ ବି ମଣ୍ଡିରେ ଧାନ ବିକ୍ରି କରନ୍ତି ନାହିଁ କି ଭାଗଚାଷୀଙ୍କୁ ମଧ୍ୟ ମଣ୍ଡିରେ ବିକ୍ରିର ସୁଯୋଗ ଦିଅନ୍ତି ନାହିଁ। ସେମାନଙ୍କ ପାଇଁ ଏମ୍ଏସ୍ପି ଓ ବୋନସ୍ ଉଭୟ ସ୍ବପ୍ନ ଅଟେ। କୃଷି ବିଶେଷଜ୍ଞଙ୍କ ଅନୁସାରେ, ଆମ କୃଷି ବ୍ୟବସ୍ଥାରେ ହଳ ଯାହାର ଜମି ତାର ନୁହେଁ। ଜମି ମାଲିକ ଗାଁରେ ଚାଷ କରନ୍ତି ନାହିଁ। ସେମାନଙ୍କ ଜମି ଭାଗଚାଷୀ ଚାଷ କରନ୍ତି।
ବୋନସ୍ରେ ଭାଗ କେତେ?
୧୬ ଜିଲ୍ଲାରେ କମିଲା ପଞ୍ଜୀକରଣ
କିଛି ଗରିବ ଚାଷୀ କମ ଏକର ଜମିରେ ଭାଗଚାଷ କରନ୍ତି ତ ଆହୁରି ଅନେକ ୫୦୦ରୁ ୬୦୦ ଏକର ଜମିରେ ଭାଗଚାଷ କରନ୍ତି। ଏପରିକି ଅନେକ ଚାଷୀ ଅଛନ୍ତି ଯେଉଁମାନଙ୍କ ନିଜ ଜମି ଥାଇ ମଧ୍ୟ ପାଖ ଜମିକୁ ଭାଗରେ ନେଇ ଚାଷ କରନ୍ତି। ପହ୍ଲା ଠାରୁ ଧାନ କାଟିବା, କୀଟନାଶକ, ସାର ସବୁ ପ୍ରକାର ଖର୍ଚ ବି କରନ୍ତି। ଚୁକ୍ତିନାମା ଅନୁସାରେ ଜମି ମାଲିକଙ୍କୁ ଉତ୍ପାଦ ଦେଇଥାଆନ୍ତି। କିନ୍ତୁ ମଣ୍ଡିରେ ଜମି ମାଲିକ ହିଁ ଧାନ ବିକ୍ରି କରନ୍ତି। ଅନେକ ଭାଗଚାଷୀଙ୍କ ଅନୁସାରେ ମଣ୍ଡିରେ ଧାନ ବିକ୍ରି ପାଇଁ ଜମି ପଟ୍ଟା ସହିତ ମାଲଗୁଜାରୀ କାର୍ଡର ଆବଶ୍ୟକ ହୁଏ। ଜମି ମାଲିକ ମାଲିକାନା ହରାଇବା ଭୟରେ ଭାଗଚାଷୀଙ୍କୁ ଏହା ଦିଅନ୍ତି ନାହିଁ। ଫଳରେ ଭାଗଚାଷୀ ମଣ୍ଡିରେ ଧାନ ବିକ୍ରିରୁ ବଞ୍ଚିତ ହୁଅନ୍ତି। ଭାଗଚାଷୀମାନେ ସମ୍ମୁଖୀନ ହେଉଥିବା ସଙ୍କଟକୁ ଦୃଷ୍ଟିରେ ରଖି ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଭାଗଚାଷୀଙ୍କୁ ପ୍ରକୃତ ଚାଷୀର ମାନ୍ୟତା ଦିଆଗଲା। ଜମି ମାଲିକଙ୍କ ଅନୁମତିପତ୍ରରେ ଭାଗଚାଷୀ ମଣ୍ଡିରେ ଧାନ ବିକ୍ରି ବ୍ୟବସ୍ଥା ହେଲା। କିନ୍ତୁ ଏହା ସେତେଟା ସଫଳ ହୋଇପାରି ନାହିଁ। ମଣ୍ଡିରେ ଧାନ ବିକ୍ରି କରୁଥିବା ଭାଗଚାଷୀଙ୍କ ସଂଖ୍ୟା ଆଖିଦୃଶିଆ ହୋଇପାରୁ ନାହିଁ। ଚଳିତ ବର୍ଷ ବୋନସ ମିଳୁଥିବାରୁ ଅଧିକାଂଶ ଜମି ମାଲିକ ନିଜେ ସିଧାସଳଖ ଧାନ ବିକ୍ରି କରୁଛନ୍ତି। ଭାଗଚାଷୀଙ୍କୁ ଅନୁମତି ଦେଇ ନାହାନ୍ତି। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପଞ୍ଜୀକୃତ ଭାଗଚାଷୀଙ୍କ ସଂଖ୍ୟା ଆହୁରି କମିଛି। ଗତବର୍ଷ ୧.୮୭ ଲକ୍ଷ ଭାଗଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିଲେ। ବୋନସ୍ ପ୍ରକ୍ରିୟାରେ ଭାଗ ଚାଷୀଙ୍କୁ କିଭଳି ସାମିଲ କରାଯାଇ ପାରିବ ସେନେଇ ସରକାର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।
୧୬ ଜିଲ୍ଲାରେ ଚାଷୀ ପଞ୍ଜୀକରଣ କମିଲା
ବୋନସ୍ ବ୍ୟବସ୍ଥା ଲାଗୁ ସତ୍ତ୍ବେ ରାଜ୍ୟର ଅନୁଗୁଳ, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦୁଝର, ଖୋର୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ରାୟଗଡ଼ାରେ ଧାନ ବିକ୍ରି ପାଇଁ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ହ୍ରାସ ପାଇଛି। ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ୧୩ %, ମାଲକାନଗିରିରେ ୮%, ନବରଙ୍ଗପୁରରେ ୮%, କନ୍ଧମାଳରେ ୯%ରେ ହ୍ରାସ ପାଇଛି। ଗଜପତି ଓ ଗଞ୍ଜାମରେ ସମାନ ସଂଖ୍ୟାରେ ଚାଷୀ ପଞ୍ଜୀକୃତ ହୋଇଛନ୍ତି।