ଯୁକ୍ତ ୨ରେ ସିଟ୍‌ ବଢ଼ିବ, ଅନୁମତି ଦେଲେ ରାଜ୍ୟ ସରକାର

୭ ଦିନ ମଧ୍ୟରେ ଆବେଦନ

ଭୁବନେଶ୍ବର: ଯୁକ୍ତ୨ କଲେଜର ସିଟ୍‌ ସଂଖ୍ୟା ବୃଦ୍ଧି କରାଯିବ। ଏ ବର୍ଷ ‌ମାଟ୍ରିକ୍‌ ତଥା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କେବଳ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ କଲେଜଗୁଡ଼ିକୁ ସିଟ୍‌ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି। କଲେଜଗୁଡ଼ିକ ଆସନ୍ତା ୭ଦିନ ମଧ୍ୟରେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ ଚିଠି ଲେଖି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦେଶକଙ୍କୁ ଅବଗତ କରାଇଛନ୍ତି।

ଏ ବର୍ଷ ମାଟ୍ରିକ ପାସ୍‌ହାର ଇତିହାସ ସୃଷ୍ଟି କରିଥିବାରୁ ଯୁକ୍ତ୨ କଲେଜରେ ସିଟ୍‌ ଅଭାବ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ରାଜ୍ୟର ୨୦୩୨ ଯୁକ୍ତ୨ କଲେଜରେ ମୋଟ ୪ଲକ୍ଷ ୪୩ହଜାର ୩୫୪ସିଟ୍‌ ରହିଥିବା ବେଳେ ମାଟ୍ରିକ୍‌ରେ ୬ଲକ୍ଷ ୧୭ହଜାର ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଏଥିସହ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଗକୁ ପ୍ରକାଶ ପାଇବାକୁ ଥିବାରୁ ଯୁକ୍ତ୨ରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆହୁରି ବଢ଼ିବ। ଏତେସଂଖ୍ୟକ ଛାତ୍ରଛାତ୍ରୀଙ୍କ ନାମଲେଖା କିଭଳି ହେବ, ତାହାକୁ‌ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ହାତକୁ ନେଇଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୦-୨୧ ଶିକ୍ଷାବର୍ଷ ତଥ୍ୟକୁ ଅନୁଧ୍ୟାନ କଲେ, ଯୁକ୍ତ ୨ରେ ୪ଲକ୍ଷ ୪୩ ହଜାର ୩୫୪ ସିଟ୍‌ ରହିଥିଲା। ସେଥିମଧ୍ୟରୁ ୩ ଲକ୍ଷ ୪୩ ହଜାର ୫୫ ସିଟ୍‌ ପୂରଣ ହୋଇଥିଲା ଏବଂ ୧ଲକ୍ଷ ୨୯୯ ସିଟ୍‌ ଖାଲି ପଡ଼ିଥିଲା। କଳା ବିଭାଗର ୨ ଲକ୍ଷ ୩୯ ହଜାର ୮୮୨ ସିଟ୍‌ ମଧ୍ୟରୁ ୧୬ ହଜାର ୫୯୮ ସିଟ୍‌ ବଳକା ଥିଲା। ବିଜ୍ଞାନ ବିଭାଗରେ ଥିବା ୧ଲକ୍ଷ ୪୦ ହଜାର ୪୮୦ ସିଟ୍‌ ମଧ୍ୟରୁ ୭୮ ହଜାର ୧୧୪ଟି ପୂରଣ ହୋଇଥିବା ବେଳେ ୬୨ ହଜାର ୩୬୬ ଖାଲି ରହିଥିଲା। ବାଣିଜ୍ୟରେ ୪୧ ହଜାର ୧୭୬ ସିଟ୍‌ ମଧ୍ୟରୁ ୨୫ ହଜାର ୫୦୬ଟି ପୂରଣ ହୋଇଥିଲା। ସଂସ୍କୃତ ବିଭାଗରେ ୧୧ ହଜାର ୫୮୪ ସିଟ୍‌ ମଧ୍ୟରୁ ୧୦ ହଜାର ୨୧ ସିଟ୍‌ ପୂରଣ ହୋଇଥଲା। ଧନ୍ଦାମୂଳକ ପାଠ୍ୟକ୍ରମରେ ୧୦ ହଜାର ୨୩୨ ସିଟ୍‌ ମଧ୍ୟରୁ ୪ ହଜାର ୧୦୨ ସିଟ୍‌ ଖାଲି ପଡ଼ିଥିଲା।

ସମ୍ବନ୍ଧିତ ଖବର