ରାଜ୍ୟରେ ଘରୋଇ, ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି

ଭୁବନେଶ୍ବର : ୨୦୨୦, ୨୦୨୧ ମସିହାରେ ରାଜ୍ୟରେ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିଛି। ୨୦୨୦ ମସିହାରେ ରାଜ୍ୟକୁ ୧୦,୨୦୬ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୧ରେ ଏଥିରେ ୭୭ ପ୍ରତିଶତ ହ୍ରାସ ଘଟିଛି। ଗତବର୍ଷ ରାଜ୍ୟକୁ ୨୨୬୯ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ମୋଟଭାବେ ୨୦୨୦ ତୁଳନାରେ ୨୦୨୧ରେ ପର୍ଯ୍ୟଟକଙ୍କ ସଂଖ୍ୟା ୧୯ ପ୍ରତିଶତ ହ୍ରାସ ପାଇଥିବା ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି ଯେ ଓଡ଼ିଶାକୁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରଭାବେ ସ୍ଥାପନ କରିବା ଓ ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଏକ ଆଗୁଆ ସ୍ଥାନ ପ୍ରଦାନ କରିବା ହେଉଛି ଓଡ଼ିଶା ପର୍ଯ୍ୟଟନ ନୀତି, ୨୦୧୬ର ଲକ୍ଷ୍ୟ। ରାଜ୍ୟରେ ଘରୋଇ ଉଦ୍ୟୋଗୀମାନଙ୍କୁ ପର୍ଯ୍ୟଟନ ଶିଳ୍ପ ପ୍ରତି ଆକୃଷ୍ଟ କରିବା ପାଇଁ ଏହି ପର୍ଯ୍ୟଟନ ନୀତିରେ ବିଭିନ୍ନ ରିହାତିର ବ୍ୟବସ୍ଥା ରହିଛି। ଓଡ଼ିଶା ପର୍ଯ୍ୟଟନ ନୀତି ପ୍ରଣୟନ ହେବାଠାରୁ ରାଜ୍ୟପ୍ରତି ଜାତୀୟ ଓ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ଉଲ୍ଲେଖନୀୟ ବୃଦ୍ଧି ଓ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇଛି।

ପୁରୀ ଓ ଭୁବନେଶ୍ବର ବ୍ୟତୀତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ବିଭିନ୍ନ ସ୍ବାଚ୍ଛନ୍ଦ୍ୟ ଲାଗି ବିଗତ ୩ବର୍ଷରେ ୩୦୯ଟି ପ୍ରକଳ୍ପ ପାଇଁ ୫୪୪.୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପରିବେଶ ପର୍ଯ୍ୟଟନର ପ୍ରସାର ପାଇଁ ବିଗତ ଆର୍ଥିକ ବର୍ଷରେ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ ସଫଳତାର ସହ ଆୟୋଜନ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ୭ଟି ସ୍ଥାନ ଯଥା କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଂବାଡ଼ି, ହୀରାକୁଦ, ପୁଟସିଲ ଓ ସୋନପୁରଠାରେ ଇକୋ-ରିଟ୍ରିଟ୍‌ ଆୟୋଜନ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାର ବ୍ୟୟ ଅଟକଳ ପରିଚାଳନା ସଂସ୍ଥା ନିଯୁକ୍ତି ପରେ ଜଣାପଡ଼ିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର