ସମ୍ବଲପୁର : ସମ୍ବଲପୁରରେ ପୁଣିଥରେ ନାବାଳକ ଗାଡ଼ି ଚାଳକଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। ନାବାଳକ ଗାଡ଼ି ଚାଳକଙ୍କୁ ଧରିବା ପାଇଁ କିଛି ମାସ ତଳେ ପରିବହନ ବିଭାଗ ପକ୍ଷରୁ ସମ୍ବଲପୁର ଜିଲ୍ଲାରେ ସ୍ବତନ୍ତ୍ର ଡ୍ରାଇଭ୍ କରାଯାଇ ଜୋରଦାର ଚଢ଼ଉ ହୋଇଥିଲା। ଅନେକ ନାବାଳକଙ୍କୁ ପରିବହନ ବିଭାଗ ଧରିବା ସହ ଜରିମାନା ଲଗାଇଥିଲା। କିନ୍ତୁ କିଛି ଦିନ ବ୍ୟବଧାନ ପରେ ପୁଣିଥରେ ବାପାମା’ଙ୍କ ମନମାନି ସହ ଅମାନିଆ ନାବାଳକ ଗାଡ଼ି ଚାଳକଙ୍କ ସଂଖ୍ୟା ବଢ଼ିବାରେ ଲାଗିଲାଣି। କେବଳ ସେତିକି ନୁହେଁ, ଗାଡ଼ି ଚଲାଇବା ସହ ଏହି ନାବାଳକମାନ ଅନେକ ସମୟରେ ଦୁର୍ଘଟଣା ଘଟାଉଥିବା ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବର୍ଷ ୨ ଜଣ ନାବାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ୨ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି।
ଟାଉନ ଥାନା ଅଧୀନ ଗୁଜୁରାତି କଲୋନିର ଗୋପାଳ ପ୍ରଧାନ ଗତ ୧୬ ତାରିଖ ସନ୍ଧ୍ୟାରେ ଲକ୍ଷ୍ମୀଟକିଜକୁ ଚାଲିଚାଲି ଯାଉଥିଲେ। ମହିଳା ଥାନା ସମ୍ମୁଖରେ ଜଣେ ନାବାଳକଙ୍କ ସ୍କୁଟି(ଓଆର ୧୫ଆର୍ ୫୬୯୫) ଧକ୍କାରେ ସେ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବୁର୍ଲା ବଡ଼ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ମହୁଲପାଲି ଥାନା ଅଞ୍ଚଳରେ ଗତ ଫେବ୍ରୁଆରି ମାସରେ ଘଟିଥିବା ଏକ ଦୁର୍ଘଟଣାରେ ଲରିପାଲିର ଆଶିଷ କେର୍କେଟାଙ୍କର ମୃତ୍ୟୁ ଘଟିଥିଲା। ଫେବ୍ରୁଆରି ୧୬ ତାରିଖ ଅପରାହ୍ଣରେ ଆଶିଷ ଓ ତାଙ୍କର ୨ ଜଣ ସାଙ୍ଗ ଏକ ବାଇକ୍(ଓଆର୍ ୦୯ କ୍ୟୁ ୩୮୪୦)ରେ ଯାଉଥିବା ବେଳେ ବୁରୋଡିହି ପୋଲ ନିକଟରେ ଭାରସାମ୍ୟ ହରାଇ ସେମାନେ ଗାଡ଼ିରୁ ପଡ଼ିଯାଇଥିଲେ।
ଆହତମାନଙ୍କୁ କୁଚିଣ୍ଡା ଡାକ୍ତରଖାନା ନିଆ ଯାଇଥିଲା। ଡାକ୍ତର ସେଠାରେ ଆଶିଷ କେର୍କେଟାଙ୍କୁ ମୃତ ଘୋଷଣା କରିଥିଲେ। ଗାଡ଼ି ଚଲାଉଥିବା ନାବାଳକ ମଧ୍ୟ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା ପଠା ଯାଇଥିଲା। ଉକ୍ତ ନାବାଳକଙ୍କ ବେପରୁଆ ଗାଡ଼ି ଚାଳଣା ପାଇଁ ଦୁର୍ଘଟଣା ଘଟିଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ଏଭଳି ମା​ଳମାଳ ଦୁର୍ଘଟଣା ନାବାଳକଙ୍କ ବେପରୁଆ ଗାଡ଼ି ଚଲାଇବା କାରଣରୁ ଘଟୁଛି। ବଡ଼ବଡ଼ିଆ ବାପା ମା’ଙ୍କ ନାବାଳକ ପୁଅମାନେ ଗାଡ଼ି ଧରି ଦ୍ରୁତ ଗତିରେ ଗାଡ଼ି ଚଲାଇ ଯାଉଛନ୍ତି। ତା ଉପରେ ନା ଟ୍ରାଫିକ୍ ପୁଲିସ, ନା ପରିବହନ ବିଭାଗର ଦୃଷ୍ଟି ପଡ଼ୁଛି। ବିଦ୍ୟାଳୟ ଖୋଲିବା ପରେ ଏବେ ଅନେକ ନାବାଳକ ଗାଡ଼ି ଧରି ସ୍କୁଲ୍ ମଧ୍ୟ ଯିବା ଆରମ୍ଭ କରିଛନ୍ତି। ଗାଡ଼ି ଚଲାଉଥିବା ନାବାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/bike-rider.jpg)