ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ଟପିଲା, ଗଞ୍ଜାମ ସ୍ଥିତି ସଂଗିନ

ଗଞ୍ଜାମରେ ରାଜ୍ୟର ପ୍ରଥମ ମହିଳାଙ୍କ କରୋନାରେ ମୃତ୍ୟୁ, ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ରୋଗୀ, ୫ ହଜାର ପାର୍‌

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତ ଭୟଙ୍କର ରହିଛି। ଦିନକୁ ଦିନ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ପୁଣି ୨ କରୋନା ଜନିତ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ହିଁ ରେକର୍ଡ କରାଯାଇଛି। ପ୍ରଥମଥର ଲାଗି ଦୁଇ ଜଣ ମହିଳା କରୋନାରେ ପ୍ରାଣ ହରାଇଛନ୍ତି। ଯାହାଫଳରେ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚି ସାରିଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୨୫ ଛୁଇଁଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗଞ୍ଜାମର ଦୁଇ ମହିଳା ଦୀର୍ଘଦିନ ଧରି କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ଜଣଙ୍କ ବୟସ ୩୯ ଓ ଅନ୍ୟ ଜଣଙ୍କର ୪୮ବର୍ଷ। ଦୁହିଁଙ୍କ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଯାଇଛି। ଫଳରେ ଜୁନ୍ ମାସରେ ରାଜ୍ୟରେ ୧୮ଜଣଙ୍କ ମୃତ୍ୟୁ ସରକାରୀ ଭାବେ ଘୋଷଣା ହୋଇଥିବା ବେଳେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ହୋଇଛି। କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହେବା ପରେ ସର୍ବାଧିକ ପ୍ରବାସୀ ଗଞ୍ଜାମ ଜିଲ୍ଲାକୁ ଫେରିଛନ୍ତି। ଜିଲ୍ଲାରେ ବହୁ ସଂଖ୍ୟାରେ କୋଭିଡ୍‌ ଯୋଦ୍ଧା କରୋନା ସଂକ୍ରମିତ ହୋଇଛନ୍ତି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଆଗକୁ ଆହୁରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଇଛି।

ଅପରପକ୍ଷରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ଆଜି ୭ ହଜାର ପାର୍ କରିଛି। ଜୁନ୍ ମାସ ୧ ତାରିଖରେ ରାଜ୍ୟରେ ପଜିଟିଭ୍ ସଂଖ୍ୟା ୨ ହଜାର ଥିବା ବେଳେ ୩୦ତାରିଖ ବେଳକୁ ଏହା ୭ ହଜାର ପାର୍ କରିଛି। ଗୋଟିଏ ମାସରେ ୫ହଜାର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏହା ରାଜ୍ୟରେ ସର୍ବାଧିକ। ତେବେ ଜୁଲାଇ ମାସରେ ରାଜ୍ୟରେ ସଂକ୍ରମଣ ଶିଖର ଛୁଇଁବାର ଆଶଙ୍କା କରାଯାଉଥିବାରୁ ଆସନ୍ତା ୩୧ଦିନ ମଧ୍ୟ ରାଜ୍ୟ ପାଇଁ ବେଶ ସମ୍ବେଦନଶୀଳ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୦୬ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ୧୯୨ଜଣ ସଙ୍ଗରୋଧ କେନ୍ଦ୍ର ଓ ୧୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ମାଲକାନଗିରିରୁ ସର୍ବାଧିକ ୩୬ଜଣ ଚିହ୍ନଟ ହୋଇଥିବା ବେଳେ ତହିଁରେ ୨୯ଜଣ ବିଏସ୍‌ଏଫ୍‌ ଯବାନ ରହିଛନ୍ତି। ଏହାବାଦ୍ ଯାଜପୁରରେ ୨୮, କୋରାପୁଟ ୧୮, କଟକ ଓ ଜଗତସିଂହପୁର ୧୭ଜଣ ଲେଖାଏ, ବଲାଙ୍ଗୀର ୧୬, ଦେବଗଡ଼ ୧୫, ମୟୂରଭଞ୍ଜ ୭, ଅନୁଗୁଳ ୬, ବାଲେଶ୍ବର ୫, କେନ୍ଦ୍ରାପଡ଼ା ଓ ଭଦ୍ରକ, ସମ୍ବଲପୁର ଓ ଢେଙ୍କାନାଳରୁ ୪ଜଣ ଲେଖାଏ, ଝାରସୁଗୁଡ଼ା ୩, ସୁନ୍ଦରଗଡ଼ ୨, ପୁରୀ, ନୟାଗଡ଼, ବୌଦ୍ଧ ଓ ନୟାଗଡ଼ରୁ ଜଣେ ଲେଖାଏ ଓ ଏନ୍‌ଡିଆରଏଫ୍‌ର ଜଣେ ସଂକ୍ରମିତ ହୋଇଛନ୍ତି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ରେ ପହଞ୍ଚିଛି।

ରାଜ୍ୟର ୧୭ଟି ଜିଲ୍ଲାରେ ଏ ଯାଏ ୧୦୦ରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗଞ୍ଜାମରେ ସର୍ବାଧିକ ୧୩୭୦, ଖୋର୍ଧା ୮୨୧, କଟକ ୫୭୫, ଯାଜପୁର ୫୧୪, ଗଜପତି ୪୩୫, ବାଲେଶ୍ବର ୩୫୧, ଜଗତସିଂହପୁର ୨୯୮, ପୁରୀ ୨୫୬, କେନ୍ଦ୍ରାପଡ଼ା ୨୪୭, ଭଦ୍ରକ ୨୩୨, ମୟୂରଭଞ୍ଜ ୨୦୮, ସୁନ୍ଦରଗଡ଼ ୧୯୩, ବଲାଙ୍ଗୀର ୧୮୩, କନ୍ଧମାଳ ୧୭୮, କେନ୍ଦୁଝର ୧୪୫, ନୟାଗଡ଼ ୧୪୪ ଓ ଝାରସୁଗୁଡ଼ାରେ ୧୦୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୨୪୩ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଜପତି ଜିଲ୍ଲାର ସର୍ବାଧିକ ୫୯, ଗଞ୍ଜାମ ୪୧, ଖୋର୍ଧା ୩୮, କନ୍ଧମାଳ ୧୭, ଝାରସୁଗୁଡ଼ା ୧୫, ସୁନ୍ଦରଗଡ଼ ୧୦, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରୁ ୮ଜଣ ଲେଖାଏ, କୋରାପୁଟ ୭, ବରଗଡ଼ ଓ ମୟୂରଭଞ୍ଜରରୁ ୬ଜଣ ଲେଖାଏ, ଜଗତସିଂହପୁର ୫, କଟକ, ମାଲକାନାଗିରି ଓ ନବରଙ୍ଗପୁରରୁ ୪ଜଣ ଲେଖାଏ, ବାଲେଶ୍ବର ୨ ଓ କଳାହାଣ୍ଡିରୁ ଜଣେ ରୋଗୀ ରହିଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ୫୧୮୯ରେ ପହଞ୍ଚିଛି। ରାଜ୍ୟରେ ଏବେ ୧୮୪୪ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର