ରାଜ୍ୟରେ ରକ୍ତହୀନତାର ଶିକାର ମହିଳା, ଶିଶୁଙ୍କ ସଂଖ୍ୟା ବଢ଼ିଛି

ଭୁବନେଶ୍ବର : ରାଜ୍ୟରେ ରକ୍ତହୀନତାର ଶିକାର ହୋଇଥିବା ମହିଳା ଓ ଶିଶୁଙ୍କ ସଂଖ୍ୟା ବଢ଼ିଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ବା ଏନ୍ଏଫ୍‌ଏଚ୍‌ଏସ୍‌-୪ ତୁଳନାରେ ଏନ୍ଏଫ୍‌ଏଚ୍‌ସ-୫ରେ ବୃଦ୍ଧି ହୋଇଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ରାଜ୍ୟରେ ୧୫-୪୯ବର୍ଷର ୫୧ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୬୪.୩ ପ୍ରତିଶତକୁ ବୃଦ୍ଧି ପାଇଛି। ଏହାସହ ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ରକ୍ତହୀନତାର ଶିକାର ଥିବା ଶିଶୁ(୬-୫୯ମାସ)ଙ୍କ ସଂଖ୍ୟା ୪୪.୬ ପ୍ରତିଶତ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୬୪.୨କୁ ବୃଦ୍ଧି ପାଇଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଛନ୍ତି ଯେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ହାର ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ସହରାଞ୍ଚଳରେ ୬୧.୫ ଓ ଗ୍ରାମାଞ୍ଚଳରେ ୬୪.୯ ପ୍ରତିଶତ ରହିଛି। ସେହିପରି ୧୫-୪୯ବର୍ଷ ଗର୍ଭବତୀ ନ ଥିବା ମହିଳାଙ୍କ କ୍ଷେତ୍ରରେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ରକ୍ତହୀନତା ହାର ୫୧.୨ ପ୍ରତିଶତ ଥିବା ବେଳେ ଏନ୍ଏଫ୍‌ଏଚ୍‌ଏସ୍‌-୫ରେ ୬୪.୪ ପ୍ରତିଶତ ରହିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ୪୭.୬ ପ୍ରତିଶତ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ୬୧.୮କୁ ବୃଦ୍ଧି ପାଇଛି। ସେହିପରି ଶିଶୁଙ୍କ କ୍ଷେତ୍ରରେ ମଧ୍ୟ ଏନ୍‌ଏଫ୍‌ଏଚ୍‌ଏସ୍‌-୪ ଓ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଯଥେଷ୍ଟ ତାରତମ୍ୟ ଦେଖିବାକୁ ମିଳିଛି। ବୟସ ଅନୁଯାୟୀ ଉଚ୍ଚତାରେ ବୃଦ୍ଧି ହେଉ ନ ଥିବାରୁ ୫ବର୍ଷରୁ କମ୍ ଶିଶୁଙ୍କ ସଂଖ୍ୟା ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ୩୪.୧ ପ୍ରତିଶତ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହା ୩୧ ପ୍ରତିଶତକୁ ଖସି ଆସିଛି। ଏହାସହ ଠିକ୍ ଓଜନ ନ ଥିବା ଶିଶୁଙ୍କ ସଂଖ୍ୟା‌ ଏନ୍‌ଏଫ୍‌ଏଚ୍‌ଏସ୍‌-୪ରେ ୬.୪ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ୬.୧କୁ ଖସିଛି।

ସମ୍ବନ୍ଧିତ ଖବର