ଭୁବନେଶ୍ବର: ଆଜିଠାରୁ ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏସ୍‌ମାକୁ ଖାତିର ନ କରି ଆନ୍ଦୋଳନ ଜାରି ରଖିଛନ୍ତି। ନର୍ସିଂ କର୍ମଚାରୀଙ୍କ ବିଭିନ୍ନ ଦାବି ଉପରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ଏକ ଅନ୍ତଃବିଭାଗୀୟ କମିଟି ଗଠନ କରିବା ପାଇଁ ଗତକାଲି ନିଷ୍ପତ୍ତି ନେଇଥିଲେ। ତେଣୁ ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଥିଲେ। ନର୍ସିଂ କର୍ମଚାରୀଙ୍କ ଉପରେ ସରକାରଙ୍କ ଅପିଲର କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ଫଳରେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ସମେତ ସବୁ ସରକାରୀ ଡାକ୍ତରଖାନାରେ ରୋଗୀ ସେବା ବ୍ୟାପକଭାବେ ପ୍ରଭାବିତ ହୋଇଛି। ରୋଗୀମାନଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। 

Advertisment

ସିରିଞ୍ଜ ଛାଡ଼ ଆନ୍ଦୋଳନ ପୂର୍ବରୁ ନର୍ସିଂ କର୍ମଚାରୀମାନେ ୨ଦିନ ଜରୁରିକାଳୀନ ସେବା ଯୋଗାଇଥିଲେ। ଆଜିଠାରୁ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆରମ୍ଭ କରିଛନ୍ତି। ନର୍ସିଂ କର୍ମଚାରୀ ଓ ରାଜ୍ୟ ସରକାରଙ୍କ ଭିତରେ ବିବାଦ ପାଇଁ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କ ଜୀବନ ଏବେ ବିପଦରେ। ସରକାରୀ ଡାକ୍ତରଖାନାରେ ଏବେ କେବଳ ଜରୁରିକାଳୀନ ଅସ୍ତ୍ରୋପଚାର ହେଉଥିବା ବେଳେ ନିୟମିତ ଅସ୍ତ୍ରୋପଚାର ବନ୍ଦ ହୋଇଛି। ରୋଗୀଙ୍କୁ କିଭଳି ଇଞ୍ଜେକସନ୍ ଦିଆଯିବ, ସାଲାଇନ୍ ଲାଗିବ ତାହା ଏବେ ଟ୍ରେନି ନର୍ସ ଓ ଏଏନ୍‌ଏମ୍‌ଙ୍କ ଉପରେ ନ୍ୟସ୍ତ ରହିଛି। ଏହାସହ ଆନ୍ଦୋଳନରେ ସାମିଲ ନ ଥିବା ଆଉଟସୋର୍ସିଂ ନର୍ସ ମଧ୍ୟ ଏଥିରେ ସହାୟତା କରୁଛନ୍ତି। ନର୍ସିଂ କର୍ମଚାରୀଙ୍କ ସିରିଞ୍ଜ ଛାଡ଼ ଆନ୍ଦୋଳନର ପ୍ରଥମ ଦିନରେ ରାଜ୍ୟବ୍ୟାପୀ ଏଭଳି ଚିତ୍ର ଦେଖିବାକୁ ମିଳିଛି। ସଂଘ ଓ ସରକାରଙ୍କ ଭିତରେ ଚାଲିଥିବା ଏହି ଟଣାଓଟରାକୁ ଯଥାଶୀଘ୍ର ଅନ୍ତ କରିବା ଲାଗି ସାଧାରଣରେ ଦାବି ହେଉଛି। 

ସରକାରଙ୍କ ଅନୁରୋଧ ସତ୍ତ୍ବେ ଆନ୍ଦୋଳନରୁ ଓହରୁନାହାନ୍ତି ନର୍ସିଂ କର୍ମଚାରୀ
ଟ୍ରେନି ନର୍ସଙ୍କ ଭରସାରେ ସରକାର, ଆଜିଠାରୁ ଅହୋରାତ୍ର ଆନ୍ଦୋଳନ

ସଂଘର ସାଧାରଣ ସଂପାଦକ ଅଶ୍ବିନୀ କୁମାର ଦାସ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଅନ୍ୟ ବିଭାଗକୁ ସୁବିଧା ସୁଯୋଗ ଦେଉଥିବା ବେଳେ ନର୍ସିଂ କର୍ମଚାରୀଙ୍କୁ ଦେବାରେ କେଉଁଠି ଅସୁବିଧା ରହିଛି? ସରକାରଙ୍କ ଅନ୍ତଃବିଭାଗୀୟ କମିଟି ଗଠନ ସଂପର୍କରେ ସଂଘକୁ ଲିଖିତ ଭାବେ ଦିଆଯାଇନାହିଁ। ରାଜ୍ୟ ସରକାର ଏସ୍‌ମା ଲାଗୁ କରିଛନ୍ତି। ଏଥିରେ ସରକାର ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତି ତାହେଲେ ଏହାକୁ କର୍ମଚାରୀମାନେ ଏକ ଉପହାର ବୋଲି ବି‌ଚାର କରିବେ। ଆଜି ସଂଧ୍ୟା ସୁଦ୍ଧା ସରକାର କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତାକାଲିଠାରୁ ଅହୋରାତ୍ର ଆନ୍ଦୋଳନ ଆରମ୍ଭ ହେବ ବୋଲି ସେ କହିଛନ୍ତି। 

ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ନର୍ସିଂ କର୍ମଚାରୀମାନେ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦିଅନ୍ତୁ। ସଂଘର ଦାବି ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ ପରେ ବିଚାର କରାଯିବ। ଉଲ୍ଲେଖଯୋଗ୍ୟ ଯେ ୨୦୧୩ ମସିହା ପୂର୍ବରୁ ନିଯୁକ୍ତ ନର୍ସିଂ କର୍ମଚାରୀଙ୍କ ୬ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଦରମା ସହ ମିଶାଇ ପଦୋନ୍ନତି, ଆର୍ଥିକ ସୁବିଧା ପ୍ରଦାନ, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ୍‌ କୋଡ୍‌ ପରିବର୍ତ୍ତନ ଭଳି ୧୦ ଦଫା ଦାବି ନେଇ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଛି।