ବ୍ୟାସନଗର: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଓଡ଼ିଆ ଜାତି ଠିକ୍ ଭାବେ କୃତଜ୍ଞତା ଜଣାଇ ପାରିନାହିଁ ବୋଲି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଛନ୍ତି। ବ୍ୟାସନଗରସ୍ଥିତ ହୋଟେଲ୍ ଦୟାଲ୍ ରେସିଡେନ୍ସି ଠାରେ ମଧୁ ଓଡ଼ିଆ ସେନା ଓ ପୂଜ୍ୟପୂଜା ପ୍ରତିଭା ପରିଷଦ ପକ୍ଷରୁ ଅନୁଷ୍ଠିତ ଆଲୋଚନାଚକ୍ରରେ ମଧୁ ଓଡ଼ିଆ ସେନାର ରାଜ୍ୟ ସଭାପତି ପଦ୍ମାକର ଗୁରୁ ପୌରୋହିତ୍ୟ କରିଥିଲେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ଦାଶ ବେନହୁର(ପ୍ରଫେସର ଜିତେନ୍ଦ୍ର ନାରାୟଣ ଦାଶ) ଯୋଗଦେଇ ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ମଧୁବାବୁଙ୍କ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଆଜି ପୁଣ୍ୟତିଥିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଏହି ମହାମନିଷୀଙ୍କ ଭୂମିକା ସମ୍ପର୍କରେ ଶ୍ରୀଦାଶ ଆଲୋଚନା କରିଥିଲେ।
ଇଷ୍ଟ ଇଣ୍ଡିଆ କମ୍ପାନି ଆସିବା ପରେ ଓଡ଼ିଆ ଜାତି ତାର ଶାସନ, ଭୂମି, ଭାଷା ଓ ପରିଚୟ ହରାଇଥିଲା। ଆମ ପରିଚୟ ପାଇଁ ମଧୁବାବୁ ଜୀବନବ୍ୟାପି ସଂଘର୍ଷ କରିଥିଲେ। ୧୯୮୫ ମସିହାରେ ଜାତୀୟ କଂଗ୍ରେସ ଗଠନର ବହୁ ପୂର୍ବରୁ ସୁରେନ୍ଦ୍ର ନାଥ ବାନାର୍ଜୀ ଇଣ୍ଡିଆନ ଆସୋସିଏସନ୍ ଗଠନ କରିଥିଲେ। ହେଲେ ୧୮୮୨ ମସିହାରେ ଉତ୍କଳ ସଭା ଗଠନ କରି ଗୌରୀଶଙ୍କର ରାୟ, ମଧୁସୂଦନ ଦାଶ ପ୍ରମୁଖ ଓଡ଼ିଆମାନଙ୍କ ମଧ୍ୟରେ ରାଜନୈତିକ ଅବବୋଧ ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ। ଯେଉଁ ଜାତିର ପରିଚୟ ନାହିଁ ସେ ଜାତି ଠିଆ ହୋଇପାରିନାହିଁ ବୋଲି ଶ୍ରୀ ଦାଶ କହିଥିଲେ। ମଧୁବାବୁ ପ୍ରଥମେ ଓଡ଼ିଆ ଗୋଟିଏ ଜାତି ବୋଲି କହିଥିଲେ। ଅନ୍ୟାୟ ବିରୋଧରେ ପ୍ରତିବାଦ କରିବା ସେ ଆରମ୍ଭ କରିଥିଲେ। ହେଲେ ଧର୍ମ ପରିବର୍ତ୍ତନ କରିବା ଓ ବଙ୍ଗାଳି ଝିଅଙ୍କୁ ବିବାହକୁ ନେଇ ସେତେବେଳେ ତାଙ୍କୁ ତାତ୍ସଲ୍ୟ କରାଯାଇଥିଲା। ୧୮୮୬ ମସିହାରେ ଶ୍ରୀମନ୍ଦିର ପରିଚାଳନା ଇଂରେଜ ନିଜ ହାତକୁ ନେବାକୁ କରିଥିବା ଉଦ୍ୟମକୁ ମଧୁବାବୁ ହିଁ ପଣ୍ଡ କରିଦେଇଥିଲେ।
ଏହି ମାମଲାରେ ପୁରୀ ମହାପାଟଦେଈଙ୍କର ବିଜୟ ହେବା ପରେ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧା ବଢ଼ିଥିଲା। ୧୯୦୫ ମସିହାରେ ଉତ୍କଳ ଟ୍ୟାନେରୀ ପ୍ରତିଷ୍ଠା ଥିଲା ତାଙ୍କ ସ୍ବାଭିମାନର ପ୍ରତୀକ। ଫଳରେ ତାଙ୍କ ଗୁରୁ ଗୌରୀଶଙ୍କର ରାୟ ଉତ୍କଳ ଦୀପିକାରେ ତାଙ୍କୁ ଉତ୍କଳ ଗୌରବ ଭାବେ ବର୍ଣ୍ଣନା କରି ଲେଖାମାନ ପ୍ରକାଶ କରିଥିଲେ। ଏହାହିଁ ତାଙ୍କୁ ଉତ୍କଳ ଗୌରବ ବୋଲି ପରିଚୟ ଦେଇଥିଲା ବୋଲି ଶ୍ରୀ ଦାଶ କହିଥିଲେ। ଉତ୍କଳକୁ ସ୍ବତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ଦେବାକୁ ସେ ସାଇମନ୍ କମିସନଙ୍କ ନିକଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରିଥିଲେ। ତିନିଶହ ବର୍ଷ ମଧ୍ୟରେ ଓଡ଼ିଆ ଜାତି ଯାହା କରିଛି, ତାହା ସମଗ୍ର ବିଶ୍ବରେ ଦେଖାଯାଏ ନାହିଁ ବୋଲି ମଧୁବାବୁ ଯୁକ୍ତି ବାଢ଼ିଥିଲେ। ଭୁବନେଶ୍ବରକୁ ମନ୍ଦିର ମାଳିନୀ ସହର ନିର୍ମାଣ କରିବା, ବାଲି ଉପରେ ପୁରୀ ମନ୍ଦିର ପରି ବିଶାଳ କଳାକୃତି ନିର୍ମାଣ ଓପାଣି ମଧ୍ୟରେ କୋଣାର୍କ ପରି ବିଶ୍ବ ଐତିହ୍ୟ କେବଳ ଓଡ଼ିଆ ଜାତି କରିପାରେ ବୋଲି ମଧୁବାବୁ ଯୁକ୍ତି ଉପସ୍ଥାପନ କରିଥିଲେ। ଓଡ଼ିଶା ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ମଧୁବାବୁଙ୍କ କଥା ଅପେକ୍ଷା ବ୍ୟଥା ଅଧିକ ବୋଲି ଶ୍ରୀ ଦାଶ କହିଥିଲେ।
ଓଡ଼ିଆ ଜାତି କର୍ମଠ, ଜାତିପ୍ରାଣ ଓ ସ୍ବାଭିମାନୀ ହୋଇପାରିଲେ ମଧୁବାବୁଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ ବୋଲି ଶ୍ରୀ ଦାଶ କହିଥିଲେ। ପ୍ରତିବାଦର ସ୍ବର ତୀବ୍ର ହେବା ଉଚିତ। ବିଶେଷ କରି ଗଣତନ୍ତ୍ରରେ ଅନ୍ୟାୟ ଅନୀତି ବିରୋଧରେ ଯୁବ ସମାଜ ପ୍ରତିବାଦ କରିବା ଆବଶ୍ୟକ ବୋଲି ଶ୍ରୀ ଦାଶ କହିଥିଲେ। ପୂଜ୍ୟପୂଜା ପ୍ରତିଭା ପରିଷଦର ଜିଲ୍ଲା ସଭାପତି ଭୁବନମୋହନ ମହାନ୍ତି, ମଧୁ ଓଡ଼ିଆ ସେନାର ଜିଲ୍ଲା ସଭାପତି ପ୍ରସନ୍ନ ମିଶ୍ର, ଛାତ୍ର ସଭାପତି ବିଶ୍ବଭୂଷଣ ମହାପାତ୍ର, ଯୁବ ସଭାପତି ସୁକାନ୍ତ କୁମାର ମହାନ୍ତି, ରଞ୍ଜିତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକନେତା ମାୟାଧର ନାୟକ, ପ୍ରାଧ୍ୟାପକ ଶିବଚରଣ ମାଝୀ, ସମାଜସେବୀ ହରେକୃଷ୍ଣ ସାହୁ, ସୁଧାନିଧି ମହାପାତ୍ର, ହୃଦାନନ୍ଦ ସାମଲ, ଦିଲୀପ କୁମାର ମଲ୍ଲିକ, ପ୍ରଫୁଲ୍ଲ କୁମାର ନାୟକ, କବି ମିରିନା ମହାନ୍ତି, ହିରଣ୍ମୟୀ ମହାନ୍ତି, ସନ୍ଧ୍ୟାରାଣୀ ଘଡ଼ାଇ, ରୀତାଶ୍ରୀ ମହାନ୍ତି, ସନ୍ତୋଷ ମହାନ୍ତି, ସରପଞ୍ଚ ରବୀନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/13-20.jpg)