ମହାଦ୍ରୁମରେ ପରିଣତ ହୋଇଛି ଓଡ଼ିଶା ହାଇକୋର୍ଟ

ଦେବସ୍ନାନ ଦାସ

କଟକ: ୧୯୩୬ ମସିହାରେ ଗଠିତ ସ୍ବତନ୍ତ୍ର ଉତ୍କଳ ପ୍ରଦେଶକୁ ଦୀର୍ଘ ୧୨ ବର୍ଷ କାଳ ଅପେକ୍ଷା କରିବାକୁ ପଡିଥିଲା ସ୍ବତନ୍ତ୍ର ବିଚାରବିଭାଗ ବ୍ୟବସ୍ଥା ପାଇଁ। ପାଟନା ହାଇକୋର୍ଟର ଲେଟର ପେଟେଣ୍ଟ ୩୫ ଧାରାରେ ଓଡ଼ିଶା ପାଇଁ ସର୍କିଟ କୋର୍ଟ ହେବା ପାଇଁ ଯେଉଁ ବ୍ୟବସ୍ଥା ରହିଥିଲା ତାହା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉଦ୍ୟମର ଫଳ। ୧୯୧୬ ମସିହା ଫ୍ରେବୁଆରି ୯ ତାରିଖରେ ପାଟନା ହାଇକୋର୍ଟରୁ ବିଚାରପତିମାନେ ଯାଇ ଓଡ଼ିଶାରେ ସର୍କିଟ କୋର୍ଟ ପରିଚାଳନା ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି ଫଳରେ ୧୯୧୬ ମସିହା ମେ୧୮ରେ ଐତିହାସିକ କଟକ ସହରରେ ପାଟନା ହାଇକୋର୍ଟର ପ୍ରଥମ ସର୍କିଟ କୋର୍ଟ ବସିଥିଲା। ଚିର ଆଶାବାଦୀ ଉତ୍କଳ ଗୌରବ ମଧୁସୂଦନ ଦାସ କଟକ ବାର୍ ଆସୋସିଏସନର ସଭାପତି ଭାବେ ଏହି ସର୍କିଟ କୋର୍ଟର ପ୍ରତିଷ୍ଠାକୁ ସ୍ବାଗତ ଜଣାଇ କହିଥିଲେ ଯେ ମୋର ବିଶ୍ବାସ ନିକଟ ଭବିଷ୍ୟତରେ ଏହି ସର୍କିଟ କୋର୍ଟ ସ୍ଥାୟୀ ହାଇକୋର୍ଟରେ ପରିଣତ ହେବ।

ସର୍କିଟ କୋର୍ଟ ପ୍ରତିଷ୍ଠା ପରେ ସ୍ଥାୟୀ ହାଇକୋର୍ଟ ପ୍ରତିଷ୍ଠା ପାଇଁ ସବୁ ସ୍ତରରେ ଦାବି ଉଠିଥିଲା। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନେତୃତ୍ବରେ ଗଠିତ ଓଡ଼ିଶା ମିଳିତ ମନ୍ତ୍ରିମଣ୍ଡଳ ପାଟନା ହାଇକୋର୍ଟରେ ଥିବା ଓଡ଼ିଶାର ଆଡଭୋକେଟ ଜେନେରାଲ ବୀରକିଶୋର ରାୟଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ଏକ ସ୍ବତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ଭିତ୍ତିଭୂମି ଆକଳନ ପାଇଁ କମିଟି ଗଠନ କଲେ। ଏହି କମିଟି ଓଡ଼ିଶା ପାଇଁ ଏକ ସ୍ବତନ୍ତ୍ର ହାଇକୋର୍ଟ ପ୍ରତିଷ୍ଠା ପାଇଁ ୧୯୪୩, ଡିସେମ୍ବର ୩୧ରେ ସୁପାରିସ କରିଥିଲେ। ଏହି କମିଟିର ସଦସ୍ୟ ଥିଲେ ରାୟବାହାଦୁର ଚିନ୍ତାମଣି ଆଚାର୍ଯ୍ୟ, ବିଚିତ୍ରାନନ୍ଦ ଦାସ. ଡକ୍ଟର ନରସିଂହ ରାଓ। ଏହାର ସଦସ୍ୟ ସଚିବ ଥିଲେ ଜେ.ଇ.ମେହେର। ଏହି କମିଟିର ସର୍ବସମ୍ମତ ଅନୁମୋଦନ ଆଧାରରେ ଏହାର ଦୀର୍ଘ ପାଞ୍ଚ ବର୍ଷ ପରେ ୧୯୪୮, ଜୁଲାଇ ୨୬ରେ ଓଡ଼ିଶା ହାଇକୋର୍ଟ ଜନ୍ମଲାଭ କରିଥିଲା।

ଓଡ଼ିଶା ହାଇକୋର୍ଟ ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି। ଓଡ଼ିଶା ହାଇକୋର୍ଟର ପ୍ରଥମ ଆଡଭୋକେଟ ଜେନେରାଲ ହେଉଛନ୍ତି ସ୍ବାମୀ ବିଚିତ୍ରାନନ୍ଦ ଦାସ। ସଂପ୍ରତି କାର୍ଯ୍ୟରତ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ହେଉଛନ୍ତି ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ସଂପର୍କୀୟ। ଓଡ଼ିଶା ହାଇକୋର୍ଟର ବହୁ ବିଚାରପତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ ବିଚାରପତି ଆସନ ମଣ୍ଡନ କରି ଓଡ଼ିଆ ଜାତିକୁ ଗୌରବନ୍ବିତ କରିଛନ୍ତି। କିନ୍ତୁ ସଂପ୍ରତି ସୁପ୍ରିମକୋର୍ଟରେ କୌଣସି ଓଡ଼ିଆ ବିଚାରପତି ନ ରହିବା ବାସ୍ତବିକ ଦୁର୍ଭାଗ୍ୟଜନକ।

ଆଇନଜୀବୀ, ଓଡ଼ିଶା ହାଇକୋର୍ଟ

ସମ୍ବନ୍ଧିତ ଖବର