ବନ୍ଦ ହୋଇଯିବ ଓଡ଼ିଶା ଜେଲ୍ ଟ୍ରେନିଂ ସ୍କୁଲ୍‌: ପ୍ରିଜନ୍ ଏକାଡେମିକୁ କର୍ମଚାରୀ, ସାମଗ୍ରୀ ସ୍ଥାନାନ୍ତର

ଦ୍ବିତୀୟ କ୍ୟାମ୍ପସ୍ ସମ୍ପର୍କରେ ହୋଇନି ଚୂଡ଼ାନ୍ତ ନିଷ୍ପତ୍ତି

ବ୍ରହ୍ମପୁର: ବ୍ରହ୍ମପୁରରେ ରହିଛି ଓଡ଼ିଶାର ଏକମାତ୍ର ଜେଲ୍ ଟ୍ରେନିଂ ସ୍କୁଲ। ୧୯୮୪ ମସିହାରରେ ପ୍ରତିଷ୍ଠା ହୋଇଥିବା ଓଡ଼ିଶା ଜେଲ୍ ଟ୍ରେନିଂ ସ୍କୁଲ ଏବେ ବନ୍ଦ ହୋଇଯିବା ଭଳି ପରିସ୍ଥିତି ଉପୁଜିଲାଣି। ଭୁବନେଶ୍ବର ଜାମୁଝରୀ ନିକଟରେ ରାଜ୍ୟ ସରକାର ନୂତନ ଭାବେ ମହାତ୍ମା ଗାନ୍ଧୀ ପ୍ରିଜନ୍ ଏକାଡେମି ପ୍ରତିଷ୍ଠା କରିଛନ୍ତି। ଏହି ଏକାଡେମି ସହିତ ବ୍ରହ୍ମପୁରରେ ଥିବା ଜେଲ୍ ଟ୍ରେନିଂ ସ୍କୁଲକୁ ମିଶ୍ରଣ କରାଯିବ ବୋଲି ସରକାର ଘୋଷଣା କରିଥିଲେ। ଉନ୍ନତ ମାନର ପ୍ରଶିକ୍ଷଣ ପାଇଁ ଏହି ଏକାଡେମି ପ୍ରତିଷ୍ଠା କରାଯାଇଛି ବୋଲି କୁହାଯାଇଥିଲା। ଏଥିପାଇଁ ଦୀର୍ଘ ବର୍ଷର ଏକ ପୁରୁଣା ଅନୁଷ୍ଠାନକୁ ବନ୍ଦ କରି ସମ୍ପୂର୍ଣ୍ଣ ଭାବେ ଉଠାଇ ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ପୂର୍ବରୁ ଜାରି ନିର୍ଦ୍ଦେଶ ଅନୁସାରେ ଏଠାରୁ କିଛି କର୍ମଚାରୀଙ୍କୁ ପ୍ରିଜନ୍ ଏକାଡେମିକୁ ସ୍ଥାନାନ୍ତର କରାଯାଇଛି। ଏମିତିକି କର୍ମଚାରୀମାନେ ଦରମା ନେଉଥିବା ଟ୍ରେଜେରିକୁ ମଧ୍ୟ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଫଳରେ ଜେଲ୍ ଟ୍ରେନିଂ ସ୍କୁଲ ବନ୍ଦ ହୋଇଯିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ବ୍ରହ୍ମପୁର ଶିଳ୍ପାଞ୍ଚଳ ରାସ୍ତାରେ ରହିଛି ଦୀର୍ଘ ୩୬ବର୍ଷର ପୁରୁଣା ଓଡ଼ିଶା ଜେଲ୍ ଟ୍ରେନିଂ ସ୍କୁଲ। ଏହି ସ୍କୁଲରୁ ୫୦ରୁ ଅଧିକ ବ୍ୟାଚ୍ ସଫଳତାର ସହିତ ପ୍ରଶିକ୍ଷଣ ନେଇ ବର୍ତ୍ତମାନ ବିଭିନ୍ନ ଜେଲ୍‌ରେ ୱାର୍ଡ଼ର୍, ସବ୍ଆସିଷ୍ଟାଣ୍ଟ୍ ଜେଲର୍ ଭାବେ କାର୍ଯ୍ୟ କରୁଛନ୍ତି। ସ୍କୁଲ ପରିସରରେ ପ୍ରଶାସନିକ କୋଠା, କ୍ଲାସ୍‌ରୁମ୍‌, ସମ୍ମିଳନୀ ଗୃହ, ଲାଇବ୍ରେରି, ପରେଡ୍‌ ପଡ଼ିଆ ଏବଂ ପୁରୁଷ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ହଷ୍ଟେଲ୍ ଭଳି ବହୁ ସୁବିଧା ରହିଛି। ପ୍ରଶିକ୍ଷଣ ପ୍ରଦାନ ପାଇଁ ଏଠାରେ ଅଭିଜ୍ଞ ପ୍ରଶିକ୍ଷକ ମଧ୍ୟ ରହିଛନ୍ତି। ସୁଦୃଢ଼ ଭିତ୍ତିଭୂମିରେ ଛିଡ଼ା ହୋଇଥିବା ଓଡ଼ିଶାର ଏକମାତ୍ର ଜେଲ୍ ଟ୍ରେନିଂ ସ୍କୁଲକୁ ଭୁବନେଶ୍ବର ସ୍ଥାନାନ୍ତର ଯୋଜନା ଚାଲିଛି। ପର୍ଯ୍ୟାୟ କ୍ରମେ ଏଠାରୁ ସବୁକିଛି ସେଠାକୁ ଚାଲିଯିବ। ଏବେ କେତେକ କର୍ମଚାରୀ ଏବଂ କିଛି ସାମଗ୍ରୀ ପ୍ରିଜନ୍ ଏକାଡେମିକୁ ନିଆଯାଇଥିବା ସୂଚନା ମିଳିଛି। ଜେଲ୍‌ ଟ୍ରେନିଂ ସ୍କୁଲ ସ୍ଥାନାନ୍ତର ମସୁଧାକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ବର୍ତ୍ତମାନ କୋଭିଡ୍ ଯୋଗୁଁ ଜେଲ୍ ଟ୍ରେନିଂ ସ୍କୁଲରେ ପ୍ରଶିକ୍ଷଣ ବନ୍ଦ ରହିଛି। ବିରାଟକାୟ କୋଠାକୁ କିଛି ସୁରକ୍ଷା କର୍ମଚାରୀ ଜଗି ରହିଛନ୍ତି। ଏଠାରେ ପୂର୍ବଭଳି ପ୍ରଶାସନିକ କାମ ମଧ୍ୟ ହେଉ ନଥିବା ଜଣାପଡ଼ିଛି।

ଜେଲ୍ ଟ୍ରେନିଂ ସ୍କୁଲ ସ୍ଥାନାନ୍ତର ହେବା ପରେ ଏଠାରେ ଏକାଡେମିର ଦ୍ବିତୀୟ କ୍ୟାମ୍ପସ୍ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ସେ ସମ୍ପର୍କରେ କେହି କିଛି ସ୍ପଷ୍ଟ କରିପାରୁ ନାହାନ୍ତି। ଏ ସମ୍ପର୍କରେ ମଣ୍ଡଳ କାରାଗାର ଅଧୀକ୍ଷକ କୁଳମଣି ବେହେରା କହନ୍ତି, ବ୍ରହ୍ମପୁରରେ ଥିବା ଜେଲ୍ ଟ୍ରେନିଂ ସ୍କୁଲ ମହାତ୍ମା ଗାନ୍ଧୀ ପ୍ରିଜନ୍ ଏକାଡେମି ସହିତ ମିଶ୍ରଣ ହେବ ବୋଲି ଚିଠି ହୋଇଥିଲା। ବର୍ତ୍ତମାନ କୋଡିଭ୍ ଯୋଗୁଁ ଜେଲ୍ ଟ୍ରେନିଂ ସ୍କୁଲ ବନ୍ଦ ରହିଛି। ଭବିଷ୍ୟତ କାର୍ଯ୍ୟପନ୍ଥା କ’ଣ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ଆସି ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର