ପୁରୀ: ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ପାଇଁ ଲୋକମାନେ ଭକ୍ତିର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥିବା ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ ସେବାରେ ଲାଗିବ। ଆସିଥିବା ଏହି ଅରୁଆ ଚାଉଳ ଓ ଗୁଆ ସୁଆରମହାସୁଆର ନିଯୋଗ ଗ୍ରହଣ କରିବ। ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ସମସ୍ତ ସାମଗ୍ରୀ ଚାଉଳ, ଗୁଆ ଓ ଶ୍ରୀଫଳ ଆଦି ଅର୍ଘ୍ୟ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ବୋଲି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର ଓ ସମ୍ପାଦକ ନାରାୟଣ ମହାସୁଆର ସ୍ପଷ୍ଟ କରିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟ ସରକାରଙ୍କ ଉଦ୍ୟମରେ ରାଜ୍ୟର ପ୍ରତି ପଞ୍ଚାୟତ ଓ ଗାଁ ଗାଁରେ ଅର୍ପଣ ରଥ ପହଞ୍ଚିଥିଲା। ଜଗନ୍ନାଥ ଚେତନାର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ବାହାରିଥିବା ଏହି ରଥ ଶ୍ରଦ୍ଧାଳୁଙ୍କଠାରୁ ଭକ୍ତିର ନିଦର୍ଶନର ସ୍ବରୂପ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିଥିଲା। ଏହାକୁ ନେଇ କିଛି ଲୋକ ନକାରାତ୍ମକ ମତ ଦେଇଥିଲେ। ସଂଗୃହୀତ ଚାଉଳ ଓ ଗୁଆ କ’ଣ ହେବ ବୋଲି ପ୍ରଶ୍ନ ଉଠାଇଥିଲେ। ଏହାର ଜବାବ ରଖିବାକୁ ଯାଇ ଆଜି ଶ୍ରୀମନ୍ଦିର ମହାସୁଆର ନିଯୋଗ ସ୍ପଷ୍ଟ କରିଛି। ମହାସୁଆର ନିଯୋଗର ସଭାପତି ପଦ୍ମନାଭ ମହାସୁଆର କହିଛନ୍ତି ଯେ ଏହି ଅରୁଆ ଚାଉଳ ଓ ଗୁଆ ମହାପ୍ରଭୁଙ୍କ କାମରେ ଲାଗିବ। ଭକ୍ତଙ୍କଠାରୁ ବିଭିନ୍ନ ମାନର ଅରୁଆ ଚାଉଳ ସଂଗ୍ରହ ହୋଇଛି। ଏହି ଚାଉଳରେ ଅନ୍ନପ୍ରସାଦ ପ୍ରସ୍ତୁତ ହୋଇପାରିବ ନାହିଁ। ତେଣୁ ଏଥିରେ ଖେଚୁଡ଼ି ଭୋଗ ପ୍ରସ୍ତୁତ କରି ଭକ୍ତଙ୍କୁ ବାଣ୍ଟିବା ଲାଗି ଯୋଜନା କରାଯାଇଛି। ଖେଚୁଡ଼ି ସହିତ କିଛି ଚାଉଳରୁ ପିଠା ଓ ଝୋଟିପାଇଁ ଚିତାପିଠଉ ପ୍ରସ୍ତୁତ କରାଯିବ। ସଂଗୃହୀତ ଚାଉଳର କିଛି ଅଂଶ ଆଳତି ବଟା ଓ ବନ୍ଦାପନା କାର୍ଯ୍ୟରେ ବ୍ୟବହୃତ ହେବ।
ସେହିପରି ସଂଗୃହୀତ ଗୁଆ ଶ୍ରୀଜିଉମାନଙ୍କ ପାଇଁ ପ୍ରସ୍ତୁତ ବିଡ଼ିଆପାନରେ ବ୍ୟବହାର କରାଯିବ। ଗୁଆ ସବୁ ହଡ଼ପ ନାଏକ ସେବାୟତଙ୍କୁ ପ୍ରଦାନ କରାଯିବ। ସଂଗୃହୀତ ଚାଉଳକୁ କୋଇଲି ବୈକୁଣ୍ଠରେ ଗଚ୍ଛିତ କରାଯିବ ବୋଲି ସୂଚନା ଦେଇଛନ୍ତି ମହାସୁଆର ନିଯୋଗ। ଶ୍ରଦ୍ଧାଳୁମାନେ ଯେଉଁ ଆବେଗ, ଶ୍ରଦ୍ଧା ଓ ଭକ୍ତିରେ କାଳିଆ ସାଆନ୍ତଙ୍କ ପାଖକୁ ଅରୁଆ ଚାଉଳ ଓ ଗୁଆ ପଠାଇଛନ୍ତି, ସେହି ଆବେଗ ଓ ଭକ୍ତିରେ ଏସବୁ ପ୍ରଭୁଙ୍କ କାର୍ଯ୍ୟରେ ବିନିଯୋଗ ହେବ। ଚାଉଳ ଓ ଗୁଆ ସଂଗ୍ରହକୁ ସୁଆର ନିଯୋଗର ସମ୍ପାଦକ ନାରାୟଣ ମହାସୁଆର ସ୍ବାଗତ କରିବା ସହ ଏକ ମହତ କାର୍ଯ୍ୟ ବୋଲି କହିଛନ୍ତି। ଏହାକୁ ଯେଉଁମାନେ ନିନ୍ଦା କରୁଛନ୍ତି ଓ ସମାଲୋଚନା କରୁଛନ୍ତି ତା’ର କିଛି ଅର୍ଥ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/rice1.jpg)