ପୁରୀ: ସରକାର ନିଜ କର୍ମଚାରୀଙ୍କ ପାଇଁ ଅବସର ବୟସ ସୀମା ୬୦ବର୍ଷ ଧାର୍ଯ୍ୟ କରିଛନ୍ତି। ଗତ କିଛି ବର୍ଷ ହେଲା ଦେଖାଯାଉଛି ଯେ ସରକାରରେ ଅବସର ପରେ ନିଯୁକ୍ତି ଗୋଟିଏ ଅଭ୍ୟାସରେ ପରିଣତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାଯାଏ, ଏଭଳି କର୍ମଚାରୀ ସବୁଠି ମିଳିବେ। ହେଲେ ସମ୍ଭବତଃ ରାଜ୍ୟ ସରକାର ବା ତାଙ୍କ ଅଧୀନସ୍ଥ କୌଣସି ସଂସ୍ଥାରେ ସ୍ବାଧୀନତା ପୂର୍ବରୁ ଜନ୍ମନେଇଥିବା ବ୍ୟକ୍ତି କର୍ମଚାରୀ ଭାବେ କାର୍ଯ୍ୟ କରୁଥିବେ, ଏ ଉଦାହରଣ ନଥିବ। ଏକଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି? ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଏହାର ଗୋଟିଏ ଉଦାହରଣ। ୧୯୪୪ ମସିହାରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ବି ଏଠାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଉଛନ୍ତି। ଗୋଟିଏ ସୂତ୍ରରୁ ମିଳୁଥିବା ତଥ୍ୟ ଅନୁସାରେ, ପାଖାପାଖି ୩୭ ଜଣ କର୍ମଚାରୀ ଏଠାରେ ଅବସର ପରେ ନିଯୁକ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ ଉଚ୍ଚ ପଦବିରେ ଅଛନ୍ତି।

Advertisment

ଏହି ପ୍ରସଙ୍ଗଟି ଆଦୌ ଚର୍ଚ୍ଚାକୁ ଆସନ୍ତା ନାହିଁ, ଯଦି ଶ୍ରୀମନ୍ଦିର ଠିକ୍ ଠାକ୍ ଚାଲୁଥାନ୍ତା। ମହାପ୍ରଭୁଙ୍କ ଜମି ଜମା ଠାରୁ ଆରମ୍ଭ କରି ହିସାବ ପର୍ଯ୍ୟନ୍ତ ସବୁଠି କେଁ ବାହାରୁନଥାନ୍ତା। ଏବେ ଯେତେବେଳେ ପ୍ରତ୍ୟହ ପୁରୀ ଶ୍ରୀମନ୍ଦିର ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ବିବାଦ ଭିତରେ ରହିଛି, ସେତେବେଳେ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଭୂମିକା ସ୍ବାଭାବିକ ଭାବେ ବିବାଦକୁ ଆସିଛି। କଥାଟି ଏମିତି।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଧିକାରୀ, କିରାଣି, କର୍ମଚାରୀଙ୍କୁ ମିଶାଇ ପ୍ରାୟ ୪ଶହ ପଦବି ରହିଛି। ଅଳ୍ପ କିଛି ଓଏଏସ, ଓପିଏସ୍‌, ଓଇଏସ୍‌ ପଦବିକୁ ଛାଡ଼ିଦେଲେ ବାକି ପଦବି ଗ୍ରୁପ-ସି ଓ ଗ୍ରୁପ-ଡି। ଏଠାରେ ମୁଖ୍ୟ ପ୍ରଶାସକ ଥିବା ବରିଷ୍ଠ ଅଧିକାରୀମାନେ ରାଜ୍ୟ ସରକାରର ମୁଖ୍ୟ ସଚିବ ପଦବିରେ କାର୍ଯ୍ୟ କରିଛନ୍ତି। ସୁରେଶ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ମୁଖ୍ୟ ସଚିବ ପ୍ରଦୀପ ଜେନା ସମସ୍ତେ ଏହି ବର୍ଗରେ ଆସିବେ। ଏବେ ବି ଶ୍ରୀ ଜେନା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି। ହେଲେ ଖାଲି ପଡ଼ିଥିବା ଶ୍ରୀମନ୍ଦିର ପଦବି ପୂରଣ ଦିଗରେ କେହି ଆଗ୍ରହ ଦେଖାଇନାହାନ୍ତି। ଅନ୍ୟପକ୍ଷରେ ନିଯୁକ୍ତିଠାରୁ ଆରମ୍ଭ କରି ପଦୋନ୍ନତି ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ବିବାଦ ପିଛା ଛାଡୁନି। ପରିସ୍ଥିତିର ଗମ୍ଭୀରତା ଲକ୍ଷ୍ୟ କରି ପୂର୍ବତନ ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ ଯେ ଏଠାରେ ଖାଲି ପଡ଼ିଥିବା ପଦବି ପୂରଣ ଲାଗି ଷ୍ଟାଫ୍ ସିଲେକ୍ସନ କମିସନଙ୍କ ସହଯୋଗ ନିଆଯାଉ। କ୍ରିଷନ୍ କୁମାର ଯିବା ଅନେକ ଦିନ ବିତିଗଲାଣି। ଏହି ଚିଠି ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନ ଶୂନ। ପ୍ରତିବଦଳରେ ଏଷ୍ଟାବ୍ଲିସ୍‌ମେଣ୍ଟ ଠାରୁ ଆରମ୍ଭ କରି ନିଜାରତ, ଅର୍ଥ, ଜମିଜମା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଚାଲିଛି।

ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ, ବାଲିଘାଇ ସିଏଚ୍‌ସିରୁ ଅବସର ନେଇଥିବା ଡା. ପ୍ରମୋଦ ଚନ୍ଦ୍ର ସ୍ବାଇଁଙ୍କୁ ଏବେ ୭୯ ବର୍ଷ(ଜନ୍ମ ତାରିଖ-୧୯୪୪ ଡିସେମ୍ବର ୩)। ତାଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟର ଡାକ୍ତର ଭାବେ ନିଯୁକ୍ତି ଦିଆଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅବସର ନେଇଥିବା
ରବୀନ୍ଦ୍ରନାଥ ଦାସଙ୍କୁ ପ୍ରାୟ ୭୫ ବର୍ଷ(ଜନ୍ମ ତାରିଖ-୧୯୪୮ ମାର୍ଚ୍ଚ ୬)। ସେ ଶ୍ରୀମନ୍ଦିର କାର୍ଯ୍ୟାଳୟର ନୀତି ବିଭାଗର ଭାରପ୍ରାପ୍ତ ଅଧିକାରୀ ଭାବେ ନିଯୁକ୍ତି। ଏହି ପଦବିଟି ଶ୍ରୀମନ୍ଦିର ବ୍ୟବସ୍ଥାରେ ଅତି ଗୁରୁତ୍ବପୂର୍ଣ୍ଣ। ସେହିଭଳି ଭୁବନେଶ୍ବର ଏଜି କାର୍ଯ୍ୟାଳୟରୁ ଅବସର ନେଇଥିବା ବୈକୁଣ୍ଠନାଥ ନାୟକଙ୍କୁ ଏବେ ପ୍ରାୟ ୭୨ ବର୍ଷ(ଜନ୍ମ ତାରିଖ-୧୯୫୧ ଜୁନ୍‌ ୪)। ଶ୍ରୀ ନାୟକଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟର ହିସାବ ଓ ସମୀକ୍ଷା ବିଭାଗର ସ୍ବତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ବର ଜିଇଡିରୁ ଅବସର ନେଇଥିବା ଭଗବାନ ପାଣିଗ୍ରାହୀଙ୍କୁ ପ୍ରାୟ ୭୦ ବର୍ଷ(ଜନ୍ମ ତାରିଖ-୧୯୫୩ ଡିସେମ୍ବର ୨୫)। ସେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ତାଙ୍କୁ ବିଦ୍ୟୁତ୍‌ ବିଭାଗ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ପୁରୀ ଚକବନ୍ଦୀ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରୁ ଅବସର ନେଇଥିବା ଲକ୍ଷ୍ମଣ କୁମାର ସ୍ବାଇଁଙ୍କୁ ପ୍ରାୟ ୭୦ ବର୍ଷ(୧୯୫୩ ମସିହା ମାର୍ଚ୍ଚ ୨)। ସେ ଭୂମି ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ରାପଡ଼ା ଭୂମି ଅଧିଗ୍ରହଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅବସର ନେଇଥିବା ଗଗନ ବିହାରୀ ସାହୁଙ୍କୁ ଏବେ ୬୬ ବର୍ଷ(ଜନ୍ମ ତାରିଖ- ୧୯୫୭ ସେପ୍ଟେମ୍ବର ୨୦)। କଟକ ଆର୍‌ଡିସିଙ୍କ କାର୍ଯ୍ୟାଳୟରୁ ଅବସର ନେଇଥିବା ଯୁଗଳ କିଶୋର ଖଟୁଆଙ୍କୁ ପ୍ରାୟ ୭୧ ବର୍ଷ(ଜନ୍ମ ତାରିଖ-୧୯୫୨ ଏପ୍ରିଲ ୩)। ଦୁଇଜଣଙ୍କୁ ସମନ୍ବୟ ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ଏହାବାଦ୍‌ ଗ୍ରୁପ୍‌-ସି ଓଗ୍ରୁପ୍‌ ଡି ପଦବିରେ ବହୁ ସଂଖ୍ୟାରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ମିଳିଛି। ଏମାନେ ଅବସର ପରେ ପେନ୍‌ସନ୍‌ ପାଉଥିବାବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବି ମୋଟା ଅଙ୍କର ଦରମା ନେଉଛନ୍ତି। ଏଇଟା ଯେତେ ବଡ଼ କଥା ନୁହେଁ, ଏମାନେ କଣ ସତରେ ଅତ୍ୟନ୍ତ ଦକ୍ଷ? ଯଦି ହଁ, ତେବେ ଶ୍ରୀମନ୍ଦିରକୁ ନେଇ ଏତେ ବିବାଦ କାହିଁକି? କାହାକୁ ଖୁସି କରିବା ପାଇଁ ଏହି ଅଧିକାରୀମାନଙ୍କ କାର୍ଯ୍ୟକାଳ ବୃଦ୍ଧି ହେଉଛି? ଏମାନଙ୍କ ବ୍ୟତିରେକେ ଏସବୁ ବିଭାଗ ଆଉ କାର୍ଯ୍ୟ କରିବ ନା ନାହିଁ?ଆହୁରି କୌତୂହଳ କଥା ହେଲା, ଏତେ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ପରେ ବି ଶ୍ରୀମନ୍ଦିର ପ୍ରଶାସନର ମନ ବୁଝୁନି ଯେ ରାଜସ୍ବ ବିଭାଗରେ ଆହୁରି ଅବସରପ୍ରାପ୍ତଙ୍କୁ ନିଯୁକ୍ତି ପାଇଁ ନିକଟରେ ସାକ୍ଷାତକାରଶେଷ କରିଥିବା ଜଣାପଡ଼ିଛି।

ଏସବୁକୁ ନିରେଖି ଦେଖିଲେ, ନିଯୁକ୍ତି ବ୍ୟବସ୍ଥା ପଛରେ ଯେ ଗୋଟିଏ କେଳେଙ୍କାରୀ ଛପିଛି; ଏଭଳି ସନ୍ଦେହ ଧୀରେ ଧୀରେ ଦୃଢ଼ୀଭୂତ ହେଲାଣି। ସରକାର ଗୋଟିଏ ଉଚ୍ଚସ୍ତରୀୟ ତଦନ୍ତ କଲେ ଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିଯୁକ୍ତି ବ୍ୟବସ୍ଥାରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିବ। ଶ୍ରୀମନ୍ଦିର ପରିଚାଳନା କମିଟି ବରିଷ୍ଠ ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ରଙ୍କ କହିବା କଥା ହେଲା, ଖାଲି ପଦବି ପୂରଣ ପାଇଁ ପରିଚାଳନା କମିଟି ବୈଠକରେ ବହୁବାର ଆଲୋଚନା ହୋଇଛି। ଏପରିକି ଯେଉଁମାନେ ଅବସର ପରେ ଚାକିରି କରିଛନ୍ତି, ସେମାନଙ୍କୁ ବାହାର କରି ନୂଆ ନିଯୁକ୍ତି ଦେବାକୁ ପରିଚାଳନା କମିଟି ସଦସ୍ୟମାନେ ବିଭିନ୍ନ ସମୟରେ ପ୍ରସ୍ତାବ ଦେଇଛନ୍ତି। ସେପଟେ ଯେଉଁ କର୍ମଚାରୀମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାକିରି କରିଛନ୍ତି, ସେମାନଙ୍କୁ ଯଦି ପ୍ରତି ବିଭାଗକୁ ନିର୍ଦ୍ଦିଷ୍ଟ ସମୟରେ ବଦଳି ହୁଅନ୍ତା, ତେବେ ବି ସେମାନେ ଅନ୍ୟ ବିଭାଗ ସମ୍ପର୍କରେ ଜ୍ଞାନ ଆହରଣ କରି ପାରନ୍ତେ ଓ ବ୍ୟବସ୍ଥାରେ କିଛିଟା ସୁଧାର ଆସନ୍ତା। କେହି ଯଦି ଅବସର ନେଲା, ଅନ୍ୟମାନେ କାମ ଚଳାଇ ପାରନ୍ତେ। କିନ୍ତୁ ସେଭଳି କିଛି କରାଯାଉନାହିଁ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।