ନୂଆପଡ଼ା, କୋଇଡ଼ାରୁ ସାଂଘାତିକ ସତ୍ୟ: ଅଧିକାରୀଙ୍କ ଅହଙ୍କାର ସୀମା ଲଂଘୁଛି

କାଠଗଡ଼ାରେ ବ୍ଲକ୍, ତହସିଲ୍ ଅଫିସ

ଭୁବନେଶ୍ବର,(ଚୌଧୁରୀ ଅମିତାଭ ଦାସ): ଅନୁସୂଚିତ ଜାତିର ଭିନ୍ନକ୍ଷମ ଯୁବକଟି ଋଣ ଶୁଝିବା ପାଇଁ ଜମି ବିକିବାକୁ ଚାହିଲା। କିନ୍ତୁ, ପ୍ରଶାସନିକ ଅଧିକାରୀମାନେ ତାକୁ ଗୋଟିଏ ବର୍ଷରୁ ଅଧିକ ସମୟ ଦଉଡ଼ାଇଲେ। ବୁଢ଼ୀ ମା’ ସହ ଯୁବକଟି ନୂଆପଡ଼ା ତହସିଲ୍ ଅଫିସ୍ ଦୌଡ଼ିଦୌଡ଼ି ନୟାନ୍ତ ହୋଇପଡ଼ିଲା। ଶେଷରେ, ନିଜକୁ ନିଜେ ଜାଳି ମରିଗଲା। ଆମ ତହସିଲ୍ ବ୍ୟବସ୍ଥା ଓ ଦାୟିତ୍ବରେ ଥିବା ବାବୁମାନେ କେତେ ସମ୍ବେଦନହୀନ ଓ କେତେ ନିର୍ଦ୍ଦୟ, ତାହାର ଜଳଜଳ ପ୍ରମାଣ ଏବେ ସାରା ରାଜ୍ୟବାସୀଙ୍କ ଆଗରେ।

ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବିଡିଓ ପଲ୍ଲବୀରାଣୀ ରାଜଙ୍କୁ ନେଇ ପୂରା ପ୍ରଶାସନ ଏବେ କାଠଗଡ଼ାରେ। ବ୍ଲକ୍‌ରେ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଛନ୍ତି। ନିର୍ବାଚିତ ଜନପ୍ରତିନିଧିମାନେ ବିଡିଓଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ଅଧ୍ୟକ୍ଷ, ସରପଞ୍ଚ ସବୁ ଧାରଣା ଦେଇଛନ୍ତି। ବିଧାନସଭାରେ ବିରୋଧୀ ଦଳ ଭର୍ତ୍ସନା କରୁଛନ୍ତି। ବିଡିଓ ଘରୁ ଅଫିସ୍ କରୁଛନ୍ତି। ପ୍ରଶାସନିକ କାର୍ଯ୍ୟ ଠପ୍ ହୋଇଯାଇଛି। ଆମ ବ୍ଲକ୍ ଅଫିସ୍‌ଗୁଡ଼ିକ କିପରି ଚାଲିଛି ଓ ପ୍ରଶାସନିକ ଅଧିକାରୀ ନିଜକୁ କିପରି ସର୍ବେସର୍ବା ଭାବୁଛନ୍ତି, ତାହାର ଏମିତି ନଗ୍ନ ଉଦାହରଣ କୋଇଡ଼ାରୁ ଆସିଛି।

ପ୍ରଶାସନରୁ ହଜିଗଲାଣି ମାନବିକତା
ସରକାରଙ୍କ ନିରବତା ରହସ୍ୟଜନକ

odishaassembly.nic.in

ଏବେ ବିଧାନସଭା ଅଧିବେଶନ ଚାଲିଛି। ଏହି ଦୁଇଟି ପ୍ରସଙ୍ଗ ବି ଗୃହରେ ଉଠିଛି। କୋଇଡ଼ା ପ୍ରସଙ୍ଗରେ ତ’ ବିଧାନସଭାର ଘଣ୍ଟା ଘଣ୍ଟା ସମୟ ବରବାଦ ହୋଇଛି। ପ୍ରଶାସନିକ ବ୍ୟବସ୍ଥାରୁ ମାନବିକତା କିପରି ହଜିଯାଇଛି, ନୂଆପଡ଼ା ତହସିଲ୍‌ର ଉଦାହରଣ ଦେଇ ବିରୋଧୀ ଦଳ କହିଛନ୍ତି। ଏହି ଦୁଇଟି ପ୍ରସଙ୍ଗରେ ସରକାରଙ୍କ ରହସ୍ୟଜନକ ନିରବତା ହିଁ ସମସ୍ତଙ୍କୁ ବ୍ୟଥିତ କରିଛି। ନୂଆପଡ଼ା ତହସିଲ୍‌ଦାର ଦେବେନ୍ଦ୍ର ରାଉତଙ୍କୁ ନିଲମ୍ବନ କରାଯାଇଛି ସତ। କିନ୍ତୁ, କାହିଁକି ବର୍ଷେ ପର୍ଯ୍ୟନ୍ତ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାନସିକ ନିର୍ଯାତନା ଦିଆଗଲା, ସେସମ୍ପର୍କରେ ସରକାର ପାଟି ଫିଟାଉନାହାନ୍ତି। ସରକାରଙ୍କ ଏହି ନିରବତା ହିଁ ତୃଣମୂଳ ସ୍ତରରେ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ହୁଗୁଳା କରିଦେବାରେ ସହାୟକ ହେଉଛି ବୋଲି ମତପ୍ରକାଶ ପାଉଛି। ରାଜସ୍ବ ମନ୍ତ୍ରୀ ନୂଆପଡ଼ା ତହସିଲ୍‌ର ପୂରା ଘଟଣାର ସତ୍ୟତା‌ ସମ୍ପର୍କରେ ବିଧାନସଭାରେ ଏକ ବିବୃତି ରଖିବାକୁ ଉଚିତ ମଣୁନାହାନ୍ତି। ସେମିତି କୋଇଡ଼ା ବିଡିଓଙ୍କ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ପଦୁଟିଏ କହିବାକୁ ଚାହୁ ନାହାନ୍ତି।

ତୃଣମୂଳ ସ୍ତରରେ ଲୋକଙ୍କ ସର୍ବାଧିକ କାମ ପଡ଼େ ତହସିଲ୍ ଓ ବ୍ଲକ୍‌ ଅଫିସ୍‌ରେ। ଗୋଟିଏ ରାଜସ୍ବ ବିଭାଗ ଅଧୀନରେ ଓ ଆଉ ଗୋଟିଏ ପଞ୍ଚାୟତିରାଜ ବିଭାଗ ଅଧୀନରେ। ଏହି ଦୁଇଟି ଅଫିସ୍ ହେଲା ତୃଣମୂଳ ସ୍ତରରେ ପ୍ରଶାସନର ପ୍ରାଣକେନ୍ଦ୍ର। ଏହି ଦୁଇଟି କାର୍ଯ୍ୟାଳୟର ସାଂଘାତିକ ସତ୍ୟକୁ ନୂଆପଡ଼ା ତହସିଲ୍ ଓ କୋଇଡ଼ା ବ୍ଲକ୍ ଆଗକୁ ନେଇଆସିଛି। ଏହି ଦୁଇଟି ଜାଗା କେବଳ ନମୁନା ମାତ୍ର। ରାଜ୍ୟର ଶତାଧିକ ତହସିଲ୍ ଓ ବ୍ଲକ୍ ଅଫିସ୍‌ରେ ଏବେ ସଙ୍ଗିନ୍ ସ୍ଥିତି। ତହସିଲ୍ ଅଫିସ୍‌ରେ ଯେ କୌଣସି କାମ ପାଇଁ ସାଧାରଣ ଲୋକଙ୍କୁ କେତେ ନୟାନ୍ତ ହେବାକୁ ପଡ଼ୁଛି, ତାହା ସଂପୃକ୍ତ ଲୋକଟି ହିଁ ମର୍ମେ ମର୍ମେ ଅନୁଭବ କରୁଛି। ଅଧିକାଂଶ କାମରେ ଲାଞ୍ଚ ନ ଦେଲେ ହୁଏନି ବୋଲି ଗଦା ଗଦା ଅଭିଯୋଗ ସବୁଦିନେ ଆସୁଛି। ସେମିତି ବ୍ଲକ୍ ଅଫିସ୍‌ରେ ବି ସମାନ ସ୍ଥିତି। ପିସି କାରବାର ସୀମା ଲଂଘିଲାଣି ବୋଲି ସବୁବେଳେ ଅଭିଯୋଗ ହେଉଥିଲେ ବି ତାହାକୁ ରୋକିବାକୁ ସରକାର କ’ଣ କରୁଛନ୍ତି, ତାହା ବୁଝାପଡ଼ୁନାହିଁ।

NewsBytes

ନୂଆପଡ଼ାର ୩୮ ବର୍ଷ ବୟସ୍କ ଭିନ୍ନକ୍ଷମ ଯୁବକ ଜଗଦୀଶ ଚୌହାନ ଋଣ କରି ଲୁନା କିଣିଥିଲା। ଛୋଟ ବ୍ୟବସାୟ କରୁଥିବାରୁ ମାସିକ କିସ୍ତିଦେବା ତା’ ପକ୍ଷେ ସମ୍ଭବ ହେଲା ନାହିଁ। ନିଜର ଜମି ଖଣ୍ଡେ ବିକି ଋଣ ପରିଶୋଧ କରିବାକୁ ଚାହିଲା। କିନ୍ତୁ ଅନୁସୂଚିତ ଜାତି ବର୍ଗର ହୋଇଥିବାରୁ ଏଥି ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ ଥିଲା। ୨୦୨୨ ଜାନୁଆରି ମାସରେ ଜଗଦୀଶ ନୂଆପଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲା। ଏହି ଆବେଦନ ଉପରେ ଆବଶ୍ୟକ ଯାଞ୍ଚ କରି ରିପୋର୍ଟ ଦେବା ପାଇଁ ନୂଆପଡ଼ା ତହସିଲ୍‌ଦାରଙ୍କ ନିକଟକୁ ଉପଜିଲ୍ଲାପାଳ ପଠାଇ ଦେଇଥିଲେ। ତା’ପରେ ସେଇଠି ଅଟକିଗଲା ଫାଇଲ୍। ଏକ ବର୍ଷ ହେବ ଆଉ ଆବେଦନ ଉପରେ ତହସିଲ୍‌ଦାର ଯାଞ୍ଚ କଲେନି କି ରିପୋର୍ଟ ଦେଲେନି। ବର୍ଷକ ମଧ୍ୟରେ କେବଳ ଜଗଦୀଶ ନୁହେଁ, ତା’ର ବୁଢ଼ୀ ମା’ ମଧ୍ୟ ଅନେକ ଥର ତହସିଲ୍ ଅଫିସ୍ ଆସିଛି। ତହସିଲ୍‌ଦାରଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନେହୁରା ହୋଇଛି। କିନ୍ତୁ ସମସ୍ତେ ଯେମିତି ନିର୍ଦ୍ଦୟ ହୋଇଯାଇଛନ୍ତି। ମା-ପୁଅଙ୍କ ଦୁଃଖ ଶୁଣି ସମସ୍ୟାର ସମାଧାନ କରିବାକୁ ଆଦୌ ତତ୍ପରତା ଦେଖାଇ ନାହାନ୍ତି। ଆମ ପ୍ରଶାସନିକ ବ୍ୟବସ୍ଥାର ଶେଷ ପରିଣତି ହେଲା, ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିବା ଜଗଦୀଶ ତହସିଲ୍ ଅଫିସ୍‌ରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ। ଜଗଦୀଶ ଜୀବନ ଗଲାପରେ ଏବେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି। ତହସିଲ୍‌ଦାରଙ୍କୁ ନିଲମ୍ବନ କରିଛି। ପ୍ରଶ୍ନ ଉଠୁଛି, ଜଣେ ଭିନ୍ନକ୍ଷମ ବ୍ୟକ୍ତିକୁ ଗୋଟିଏ ବର୍ଷ ମାନସିକ ନିର୍ଯାତନା ଦେଇ କଲବଲ କରୁଥିବା ଅଧିକାରୀ ପାଇଁ କେବଳ ନିଲମ୍ବନ ଯଥେଷ୍ଟ କି? ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ନେଇ କାହିଁକି ଅନ୍ୟମାନଙ୍କୁ ଚେତାବନୀ ଦିଆଯାଉନି?

କୋଇଡ଼ା ବ୍ଲକ୍‌ରେ ଏବେ ବିଚିତ୍ର ସ୍ଥିତି। ବିଡିଓଙ୍କୁ ନେଇ ବ୍ଲକ୍ ଉଠୁଛି ପଡ଼ୁଛି। ସବୁ ନିର୍ବାଚିତ ଜନପ୍ରତିନିଧି ବିଡିଓଙ୍କ ବିରୋଧରେ ଖୋଲାଖୋଲି ବିଷୋଦ୍‌ଗାର କରୁଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ବିଡିଓ ଅଫିସ୍ ଆସିପାରୁନାହାନ୍ତି। ଘରେ ରହି ଅଫିସ୍ କାମ କରୁଛନ୍ତି। ବିଧାନସଭାରେ ଖୋଦ୍ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏକ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି ଯେ ବିଡିଓ ତାଙ୍କ ଆତ୍ମୀୟ ସ୍ବଜନଙ୍କ ନାମରେ ଠିକା କାମ ନେଇ କରୁଛନ୍ତି। ଏହି ଘଟଣାରେ ସରକାରୀ କଳର ଆଭିମୁଖ୍ୟ ହିଁ ବେଶୀ ଚିନ୍ତାଜନକ। ତିନି ଦିନ ହେଲା ବିଧାନସଭାରେ ଏହି ପ୍ରସଙ୍ଗ ଉଠୁଥିଲେ ବି ପଞ୍ଚାୟତିରାଜ ମନ୍ତ୍ରୀ ନୀରବ। ଯଦି ବିଡିଓ ଠିକ୍, ତେବେ ସରକାର ତାଙ୍କ ସପକ୍ଷରେ ଦୃଢ଼ଭାବେ ଠିଆ ହୋଇ ଅଭିଯୋଗକୁ ଖଣ୍ଡନ କରିବା କଥା। ଯଦି ବିଡିଓ ଭୁଲ୍, ତେବେ ତୁରନ୍ତ ତାଙ୍କୁ ହଟାଇବା କଥା। କିନ୍ତୁ ସରକାର ନା ବିଡିଓଙ୍କ ସମର୍ଥନରେ ବାହାରୁଛନ୍ତି ନା ତାଙ୍କୁ ବିଦା କରୁଛନ୍ତି। ବ୍ଲକ୍ କାର୍ଯ୍ୟାଳୟ ସ୍ଥାଣୁ ପାଲଟିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗତକାଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ବିଚାର କରିବେ। କିନ୍ତୁ ଆଜି ରାତି ଯାଏ କିଛି ବିଚାର କରିନାହାନ୍ତି।

ସମ୍ବନ୍ଧିତ ଖବର