ସମ୍ବଲପୁର: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏହାର ପ୍ରଭାବ ସାରା ବିଶ୍ବ ଉପରେ ପଡ଼ିଛି। ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ଏହି ଦୁଇ ଦେଶରୁ ଆସୁଥିବା ସୂର୍ଯ୍ୟମୁଖୀ ଏବଂ ପାମୋଲିନ୍‌ ତେଲ ଆମଦାନି ବାଧାପ୍ରାପ୍ତ ହୋଇଛି। ଫଳରେ ତେଲଦର ହଠାତ୍‌ ଆକାଶଛୁଆଁ ହେବାରେ ଲାଗିଛି। ଅନ୍ୟପଟେ କିଛି ଅସାଧୁ ବ୍ୟବସାୟୀ ଏହାର ଫାଇଦା ନେଇ କୃତ୍ରିମ ଅଭାବ ସୃଷ୍ଟି କରିବା ସହ ତେଲର କଳାବଜାର ଆରମ୍ଭ କରିଦେଇଛନ୍ତି।

Advertisment

ଏପରି ବହୁ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦର ନିରୀକ୍ଷଣ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। କିନ୍ତୁ ସମ୍ବଲପୁରରେ ନା ଜିଲ୍ଲା ପ୍ରଶାସନ ନା ଯୋଗାଣ ବିଭାଗ କେହି ଏହା ଉପରେ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳୁନାହିଁ। ଯାହା ଫଳରେ ଅସାଧୁ ବ୍ୟବସାୟୀମାନେ ଏବେ ଚଢ଼ା ଦରରେ ତେଲ ବିକ୍ରି କରିବା ଆରମ୍ଭ କରିସାରିଲେଣି। ଗୋଟିଏ ସପ୍ତାହ ମଧ୍ୟରେ ହୋଲସେଲରେ ସୂର୍ଯ୍ୟମୁଖୀ ତେଲ ଦର ୧୩୦ରୁ ୧୬୦ଟଙ୍କା ହୋଇସାରିଥିବା ବେଳେ ପା‌ମୋଲିନ୍‌ ଦର ୧୨୦ରୁ ୧୫୦ ଟଙ୍କାକୁ ବୃଦ୍ଧି ପାଇଛି।

ଖୁଚୁରା ବଜାରରେ ଏହାଠୁ ଯଥେଷ୍ଟ ଅଧିକ ଦରରେ ଏହି ତେଲ ବିକ୍ରି ହେଉଛି। ଖାଉଟି ଯଦି ଚଢ଼ା ଦର ଉପରେ ପ୍ରଶ୍ନ ଉଠାଉଛନ୍ତି, ତେବେ ଉତ୍ତର ମିଳୁଛି ରୁଷ-ଯୁକ୍ରେନ୍‌ ଯୁଦ୍ଧ। ‘ସେଠାରେ ଯୁଦ୍ଧ ଚାଲିଛି, ତେଲ ଆସି ପାରୁନି। ଯାହା ଗଚ୍ଛିତ ଅଛି ସବୁ ସରଗଲାଣି। ନିଜ ଖାଇବା ପାଇଁ ବି ରଖିପାରିନୁ। ଏବେ ତ ତୁମକୁ ଏତିକିରେ ଦଉଛି, ପୁରୁଣା ରେଟ୍‌ରେ କିଣିଥିଲି ବୋଲି। କାଲି ନୂଆ ମାଲ ଆସିଲେ ରେଟ୍‌୍‌ ଆହୁରି ବଢ଼ିବ।’ଏଭଳି କହିବା ସହ ଖାଉଟିଙ୍କୁ ଭୟଭୀତ କରାଯାଉଥିବା କିଚି ଖାଉଟି ଅଭିଯୋଗ କରିଛନ୍ତି। ଅନ୍ୟପଟେ ଯୋଗାଣ ବିଭାଗ ମଧ୍ୟ ସମ୍ବଲପୁରରେ ନିଜ କୋଠା ଭିତରେ ଶୋଇ ରହିଛି। ଯାହା ଫଳରେ ଅସାଧୁ ବ୍ୟବସାୟୀମାନେ ଏବେ ମୁହଁ ଟାଣ କରି ଚଢ଼ା ଦରରେ ତେଲ ବିକ୍ରି କରୁଛନ୍ତି।

ଅନ୍ୟପଟେ ତେଲ କଳାବଜାର କଲେ ସରକାରୀ ଛାଡ଼ ବାଜିବ ବୋଲି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସିଂହ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଭାରତର ଖାଇବା ତେଲର ଅଧିକାଂଶ ଚାହିଦା ରପ୍ତାନି ମାଧ୍ୟମରେ ପୂରଣ ହୋଇଥାଏ। ସୂର୍ଯ୍ୟମୁଖୀ ତେଲର ପାଖାପାଖି ୮୦% କେବଳ ୟୁକ୍ରେନ ଏବଂ ରୁଷିଆରୁ ଆମଦାନି ହୋଇଥାଏ। ତେଣୁ ୟୁକ୍ରେନ ଓ ରୁଷିଆ ଯୁଦ୍ଧ ପରିପ୍ରେକ୍ଷୀରେ ଖାଇବା ତେଲ, ବିଶେଷ ଭାବେ ସୂର୍ଯ୍ୟମୁଖୀ ତେଲର ଆହେତୁକ ମୂଲ୍ୟବୃଦ୍ଧିର ଆଶଙ୍କା ରହିଥିବା ସେ କହିଛନ୍ତି। ତେଣୁ କୃତ୍ରିମ ସଙ୍କଟ ଏବଂ କଳାବଜାର ରୋକିବା ସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସବୁ ଜିଲ୍ଲାପାଳଙ୍କୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି।