ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ ଗତକାଲି ହୋଇଥିବା ଏନ୍‌କାଉଣ୍ଟରର ଅନେକ ରୋଚକ ତଥ୍ୟ ମିଳିଛି। ନକ୍ସଲ ଇତିହାସର ସବୁଠାରୁ ଅପରେସନ୍‌ ସଂପର୍କରେ ପୁଲିସ ସୂଚନା ଦେଇଛି। ଆଜି ଅପରାହ୍ନରେ ମହାସଚିବ କେଶବ ରାଓ ଓରଫ ବାସବରାଜୁ ସମେତ ୨୭ ନକ୍ସଲଙ୍କ ମୃତଦେହ ହେଲିକପ୍ଟର ଯୋଗେ ନାରାୟଣପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ପହଞ୍ଚିଥିଲା। ପୁଲିସ ମହାନିର୍ଦ୍ଦେଶକଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଅପରେସନ୍‌ରେ ସହିଦ ହୋଇଥିବା ଡିଆରଜି ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା।

Advertisment

ତିନି ଦିନ ତଳେ ୪ ଜିଲ୍ଲାର ଡିଆରଜି ଯବାନ ଅବୁଝମାଡ଼ ଜଙ୍ଗଲରେ ଅପ‌ରେସନ୍‌ ଆରମ୍ଭ କରିଥିଲେ। ବାସବରାଜୁ ଯେଉଁ ସ୍ଥାନରେ ଆତ୍ମଗୋପନ କରିଥିଲା ତାହାର ପକ୍କା ସୂଚନା ମିଳିବା ପରେ ଉକ୍ତ ଅଞ୍ଚଳକୁ ଘେରିଥିଲେ ଯବାନ। ଗତକାଲି ସକାଳୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରୁ ଏକେ-୪୭ ସହ ଏସ୍‌ଏଲ୍‌ଆର, ଇନ୍‌ସାସ ସମେତ ଅନେକ ବନ୍ଧୁକ ଓ ବିସ୍ଫୋରକ ମିଳିଥିଲା। ତେବେ ଏହି ଅପରେସନ୍‌ ଅତ୍ୟନ୍ତ ଜଟିଳ ଏବଂ କଷ୍ଟକର ଥିଲା। କାରଣ ପିଏଲ୍‌ଜିଏ ପ୍ଲାଟୁନ୍‌ ନମ୍ବର ୭ର ୪୦ଜଣ ନକ୍ସଲ ଲଗାତାର ବାସବରାଜୁକୁ ସୁରକ୍ଷା ଦେଉଥିଲେ। ମାସେ ହେଲା ପୁଲିସ ପିଛା କରିଥିବାରୁ ଆବୁଝମାଡ଼ ଜଙ୍ଗଲରେ ହିଁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବା ସହ ଗୋଟିଏ ସ୍ଥାନରେ କିଛି ଘଣ୍ଟା ପାଇଁ ବାସବରାଜୁ ରହୁଥିଲା। ତେବେ ପୁରୁଣା ଅଙ୍ଗରକ୍ଷକ ଆତ୍ମସମର୍ପଣ କରିବା ପରେ ବାସବରାଜୁ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ଦେଇଥିଲା। ଏପରିକି ବାସବରାଜୁ କେଉଁ ଅଞ୍ଚଳରେ ବୁଲୁଛି ତାହାର ସୂଚନା ମଧ୍ୟ ଗତକାଲି ପୁରୁଣା ଅଙ୍ଗରକ୍ଷକ ହିଁ ଦେଇଥିଲା। ଯାହାଫଳରେ ଜଙ୍ଗଲ ଭିତରେ ରହିଥିବା ବୋଟେର ଏବଂ ଜାଟଲୁର ଗାଁ ମଧ୍ୟରେ ବାସବରାଜୁକୁ ଏନ୍‌କାଉଣ୍ଟର କରାଯାଇଥିଲା। 

ବାସବରାଜୁର ମୃତ୍ୟୁ ସଂଗଠନ ପାଇଁ ଶକ୍ତ ଝଟ୍‌କା। ସଂଗଠନର ସବୁଠାରୁ ବଡ଼ ପିଏଲ୍‌ଜିଏ ଟିମ୍‌ ବାସବରାଜୁ ଗଠନ କରିଥିଲା। ବସ୍ତର ଅଞ୍ଚଳର ନକ୍ସଲ ସଂଗଠନକୁ ମିଲିଟାରି ରୂପ ଦେଇଥିଲା। ଶ୍ରୀଲଙ୍କାର ଆତଙ୍କବାଦୀ ସଂଗଠନ ଏଲ୍‌ଟିଟିଇ ଦ୍ବାରା ପ୍ରଶିକ୍ଷିତ ହୋଇ ଗରିଲା ଯୁଦ୍ଧ ଏବଂ ଲ୍ୟାଣ୍ଡମାଇନ ନିର୍ମାଣରେ ନିପୁଣ ଥିଲା। ସଂଗଠନର ଦୁର୍ଦ୍ଦାନ୍ତ ସଦସ୍ୟ ହିଡ଼ମାକୁ ବନ୍ଧୁକ ଧରାଇବା ଠାରୁ ଆରମ୍ଭ କରି ଯୁଦ୍ଧକଳା ତାଲିମ ବାସବରାଜୁ ଦେଇଥିଲା ବୋଲି ଜଣାପଡ଼ିଛି। ଆଜି ସକାଳୁ ଏହି ଟପ୍‌ ନକ୍ସଲ ନେତାର ମୃତଦେହ ନାରାୟଣପୁର ଆସୁଥିବା ଖବର ମିଳିବା ପରେ ଦେଖିବା ପାଇଁ ପୁଲିସ ମୁଖ୍ୟାଳୟ ବାହାରେ ପ୍ରବଳ ଭିଡ଼ ହୋଇଥିଲା।