ଭୁବନେଶ୍ବର: ଓଡ଼ିଶା ଆର୍ଥିକ ପରିଚାଳନା ନିୟମ ଅନୁଯାୟୀ ବଜେଟ୍ ନିର୍ଦ୍ଦେଶିତ ପାଣ୍ଠି ଯଦି ଆର୍ଥିକ ବର୍ଷ ପୂର୍ବରୁ ଖର୍ଚ୍ଚ ହୋଇନପାରେ, ତେବେ ତାହାକୁ ବିଭାଗୀୟ ଉଠାଣ ଓ ଆବଣ୍ଟନ ଅଧିକାରୀ (ଡିଡିଓ)ମାନେ ଯଥେଷ୍ଟ ପୂର୍ବରୁ ଟ୍ରେଜେରିରେ ଜମା କରିବାକୁ ବାଧ୍ୟ। ସେହିପରି କେନ୍ଦ୍ରୀୟ ଓ ରାଜ୍ୟ ଯୋଜନା ଅର୍ଥ ଜମାରୁ ଯେଉଁ ସୁଧ ମିଳେ, ତାହାକୁ ମଧ୍ୟ ବିଭାଗୀୟ ତଥା ନିଗମ କର୍ତ୍ତୃପକ୍ଷ ବିନାନୁମତିରେ ଖର୍ଚ୍ଚ କରିପାରିବେ ନାହିଁ। ଏ ନିୟମ ଆଜିର ନୁହେଁ। ହେଲେ ଏହା ଯେ ଆଦୌ ପାଳନ ହେଉନାହିଁ, ଏକଥା ଏବେ ଧରାପଡ଼ିଯାଇଛି। ଗୋଟିଏ ସରକାରୀ ନିର୍ଦ୍ଦେଶନାମା ସାମ୍ନାକୁ ଆସିଛି, ଯେଉଁଥିରେ ନିଜେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଉଲ୍ଲେଖ କରିଛନ୍ତି ଯେ ବେଆଇନ ଭାବେ ଜମା ହୋଇଥିବା ଏଭଳି ସରକାରୀ ପାଣ୍ଠିକୁ ମାସେ ମଧ୍ୟରେ ଟ୍ରେଜେରିକୁ ଫେରସ୍ତ କର। ପ୍ରସ୍ତାବିତ ଅତିରକ୍ତ ବଜେଟ୍ ପୂର୍ବରୁ ଏହି ନିର୍ଦ୍ଦେଶନାମା ହଇଚଇ ସୃଷ୍ଟି କରିଛି।

Advertisment

ପ୍ରଶ୍ନ ଉଠିଲାଣି, ଓଡ଼ିଶା ଆର୍ଥିକ ପରିଚାଳନା ନିୟମକୁ କିଏ କାହିଁକି ଓ କାହା ସ୍ବାର୍ଥରେ ଉଲ୍ଲଂଘନ କରୁଛନ୍ତି? ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏ ସଂକ୍ରାନ୍ତରେ ବାରମ୍ବାର ନିର୍ଦ୍ଦେଶନାମା ଜାରି କରିବା ପରେ ବି ଏହାକୁ ଅମାନ୍ୟ କରୁଥିବା ବିଭାଗମାନେ କିଏ? ସଂପୃକ୍ତ ଶୃଙ୍ଖଳାଭଙ୍ଗକାରୀଙ୍କ ବିରୋଧରେ ଅର୍ଥ ବିଭାଗ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ କରୁନାହିଁ କାହିଁକି?

ଅର୍ଥନୈତିକ ବିଶାରଦମାନେ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଉଛନ୍ତି। ସେମାନଙ୍କ ଯୁକ୍ତି ହେଉଛି, ଖର୍ଚ୍ଚ ହୋଇନଥିବା ଅର୍ଥ ଟ୍ରେଜେରିକୁ ଫେରିଯିବା ପରେ ପରବର୍ତ୍ତୀ ବର୍ଷରେ ଏହାକୁ ପୁଣି ବଜେଟ୍‌ରେ ହିସାବ କରାଯାଇ ବିଧାନସଭାର ଅନୁମତି ଲୋଡ଼ାଯାଇଥାଏ। ହେଲେ ଗୋଟିଏ ଅଭ୍ୟାସଗତ ଅଭିଯୋଗ ରହିଆସିଛି ଯେ ଅନେକ ବିଭାଗ ଏବଂ ନିଗମର ଡିଡିଓମାନେ ଖର୍ଚ୍ଚ ହୋଇପାରି ନଥିବା ସରକାରୀ ପାଣ୍ଠିକୁ ଟ୍ରେଜେରିକୁ ଫେରାଇବା ବଦଳରେ ଅନ୍ୟାନ୍ୟ ଆକାଉଣ୍ଟରେ ଜମା କରିଥାନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ବିଭାଗ ଅଧୀନରେ ଥିବା ସ୍ବୟଂଶାସିତ ଅନୁଷ୍ଠାନମାନଙ୍କରେ କୋଟି କୋଟି ଟଙ୍କା ଠୁଳ ହୋଇ ରହିଛି ଏବଂ ସ୍ଥଳ ବିଶେଷରେ ସେମାନଙ୍କଠାରୁ ବିନିଯୋଗ ପ୍ରମାଣପତ୍ର ଅଣାଯାଇ ଦାଖଲ କରାଯାଇଥାଏ। ଅଥଚ ଟଙ୍କା ଖର୍ଚ୍ଚ ନ ହୋଇ ବର୍ଷ ବର୍ଷ ପଡି ରହିଥାଏ। ପରିଣାମ ହେଲା, ରାଜ୍ୟର ଆର୍ଥିକ ସ୍ଥିତିର ଅସଲ ହିସାବ ମିଳେନାହିଁ; ଯାହା ଆର୍ଥିକ ବିଶୃଙ୍ଖଳା ସୃଷ୍ଟି କରିଥାଏ। ଏବେ ଅର୍ଥ ସଚିବ ଏହାକୁ ଗମ୍ଭୀରତାର ସହିତ ନେଇ ଦେଖିବା କଥା ଯେ କେଉଁ ବିଭାଗରେ କେବେଠାରୁ ଏଭଳି କେତେ ଶହ କୋଟି ଟଙ୍କା ଅଚଳ ପ୍ରାୟ ପଡ଼ିରହିଛି?

କେବଳ ଯେ ରାଜ୍ୟ ଯୋଜନା କ୍ଷେତ୍ରରେ ଏମିତି ହୁଏ, ତା’ ନୁହେଁ। କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ଆସୁଥିବା ପାଣ୍ଠି ଜମାରୁ ଉପଲବ୍ଧ ସୁଧକୁ ମଧ୍ୟ ବିନାନୁମତିରେ ସେହି ଯୋଜନାରେ ଖର୍ଚ୍ଚ ହୋଇପାରିବ ନାହିଁ। ଏଥିରେ ଖିଲାପ ହେଲେ ତାହା ବେଆଇନ ବୋଲି ଧରି ନିଆଯିବ। ବର୍ଷ ବର୍ଷ ଧରି ଦେଖାଗଲା ଯେ କିଛି ରାଜ୍ୟ କେନ୍ଦ୍ରୀୟ ଅଂଶଧନ ଖର୍ଚ୍ଚ କରୁଛନ୍ତି, ଅଥଚ ରାଜ୍ୟ ଅଂଶ ଦେଉନାହାନ୍ତି। ଏଣୁ କେନ୍ଦ୍ର ସରକାର ଏଥିରେ ରୋକ୍ ଲଗାଇବାକୁ ଯାଇ ନିଜ ଯୋଜନା ପାଇଁ ସ୍ବତନ୍ତ୍ର ଆକାଉଣ୍ଟ ବ୍ୟବସ୍ଥା ଆରମ୍ଭ କଲେ। ନୂଆ ବ୍ୟବସ୍ଥାରେ କେନ୍ଦ୍ରୀୟ ଯୋଜନାର ଅର୍ଥ ଆଉ ରାଜ୍ୟ ତହବିଲକୁ ନ ଆସି ଏଣିକି ଏକ ସ୍ବତନ୍ତ୍ର ବ୍ୟାଙ୍କ ଖାତାରେ ରହିବ ଏବଂ କେନ୍ଦ୍ର ସରକାର ତାର ହିସାବ ରଖିବେ। କେନ୍ଦ୍ର ସରକାର ଏହାର ପ୍ରତ୍ୟକ୍ଷ ପରିଚାଳନା କରୁଛନ୍ତି। ଏଭଳି କ୍ଷେତ୍ରରେ ରାଜ୍ୟ ସରକାରଙ୍କ କିଛି ଅଧିକାରୀଙ୍କ ନିୟମବହିର୍ଭୂତ କାର୍ଯ୍ୟ ନେଇ ସେମାନେ ଗଭୀର ଅସନ୍ତୋଷ ଜାହିର କରିବାର ନଜିର ରହିଛି। ଏହାଦ୍ବାରା ରାଜ୍ୟ ସରକାରଙ୍କୁ ମଧ୍ୟ କେନ୍ଦ୍ରରେ ଅପବାଦ ମୁଣ୍ଡାଇବାକୁ ହୁଏ।

ରାଜନୈତିକ ମହଲ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଅସନ୍ତୋଷ ଝାଡ଼ୁଛନ୍ତି। ସେମାନଙ୍କର ମତ ହେଉଛି ଯେ ୨୦୦୦ ମସିହା ପୂର୍ବରୁ ଏହି ଅଭ୍ୟାସ ଉତ୍କଟ ରୂପ ଧାରଣ କରିଥିଲା। ସେବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରରେ କିଛି ବିଭାଗ ଏଭଳି ବେଆଇନ ଭାବେ ବଳକା ବଜେଟ୍ ଅର୍ଥ ଜମା ରଖିଥିବା ଧରାପଡ଼ିଥିଲା। ବିଶେଷକରି ଜଳସଂପଦ, କୃଷି ଭଳି କିଛି ବିଭାଗରେ ସଂଘଟିତ ଏଭଳି ଅନିୟମିତତାକୁ ନେଇ ତତ୍କାଳୀନ ବିରୋଧୀ ଅର୍ଥାତ୍ ପ୍ରାକ୍ତନ ଜନତା ଦଳର ସଭ୍ୟମାନେ ତମ୍ବିତୋଫାନ କରି ସମ୍ପୃକ୍ତ ମନ୍ତ୍ରୀମାନଙ୍କ ଇସ୍ତଫା ଦାବିରେ ବିଧାନସଭାକୁ ଅଚଳ କରିଦେଇଥିଲେ। ସରକାର ମଧ୍ୟ ଢେର୍ ଅପଦସ୍ତ ହୋଇଥିଲେ। ସେହି ଜନତାଦଳର ରୂପାନ୍ତରୀକରଣ ବିଜୁ ଜନତା ଦଳ ଏବେ କ୍ଷମତାରେ।

ଅନ୍ୟପକ୍ଷରେ ସରକାରୀ ଅଧିକାରୀମାନେ ବର୍ଷ ବର୍ଷ ଧରି ବେଆଇନ ଭାବେ ଅର୍ଥ ପାର୍କିଂ ବଦଭ୍ୟାସ ଛାଡ଼ିପାରି ନାହାନ୍ତି। ହେଲେ ସେତେବେଳେ ଉପରୋକ୍ତ ଅନିୟମିତତାକୁ ତୀବ୍ର ବିରୋଧ କରୁଥିବା ବିଧାୟକମାନେ ଏବେ କିନ୍ତୁ ମୁହଁ ଖୋଲୁନାହାନ୍ତି। ନା କଂଗ୍ରେସ, ବିଜେପି ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା କରୁଛନ୍ତି ନା ସରକାରୀଦଳ ବିଧାୟକ ସରକାରରେ ଏଭଳି ବେଆଇନ କାରବାରକୁ ରୋକିବା ଦିଗରେ ଚାପ କୌଶଳ ପ୍ରୟୋଗ କରୁଛନ୍ତି। ସେମାନଙ୍କ ଅଗୋଚରରେ ବର୍ଷ ବର୍ଷ ଧରି ଶହଶହ କୋଟି ଟଙ୍କା ବିଭାଗମାନେ ଖର୍ଚ୍ଚ କରୁଛନ୍ତି, ଯାହା ବିଧାନସଭା ସମ୍ମତି ଲାଭ କରିନାହିଁ। ଏଠାରେ ଉଲ୍ଲେଖଥାଉକି, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ବିଭାଗମାନଙ୍କୁ ଜଣାଇଛନ୍ତି ଯେ ସରକାର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟ ତଥା ବିକାଶ ପାଇଁ ଅର୍ଥ ବରାଦ କରୁଛନ୍ତି। ବିଶେଷକରି କାର୍ଯ୍ୟକ୍ରମ ଖର୍ଚ୍ଚ ଜରିଆରେ ଯେଉଁ ଅର୍ଥ ରାଜ୍ୟ ସରକାର ବରାଦ କରୁଛନ୍ତି, ତାହା ରାଜ୍ୟର ନିଜସ୍ବ ଆୟ ଓ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରୁ ଆସୁଛି। କିଛି କ୍ଷେତ୍ରରେ କେନ୍ଦ୍ର ସରକାର ୬୦ : ୪୦ ଅନୁପାତରେ ଅର୍ଥରାଶି ପ୍ରଦାନ କରୁଛନ୍ତି। ସଂପ୍ରତି କେନ୍ଦ୍ର ସରକାର ପ୍ରଦାନ କରୁଥିବା ଅର୍ଥକୁ ନିୟମିତ ତଦାରଖ କରିବା ସହିତ ଏ ସଂକ୍ରାନ୍ତରୁ ଆସୁଥିବା ସୁଧ ସଂପର୍କରେ ଜାଣିବାକୁ ଚାହୁଁଛନ୍ତି।

ଯଦିଓ ଓଡ଼ିଶାର ଆର୍ଥିକ ବ୍ୟବସ୍ଥାକୁ ଡିଜିଟାଲ ମାଧ୍ୟମରେ ପରିଚାଳନା କରାଯାଉଛି, ତଥାପି ଦେଖାଗଲାଣି ଯେ ଡିଡିଓ ଓ କାର୍ଯ୍ୟାନ୍ବୟନ କରୁଥିବା ସଂସ୍ଥା ସୁଧ ବାବଦ ଅର୍ଥକୁ ଅନ୍ୟତ୍ର ଗଚ୍ଛିତ କରୁଛନ୍ତି ବା ଖର୍ଚ୍ଚ କରିଦେଉଛନ୍ତି। ଉଦ୍ଦିଷ୍ଟ ଯୋଜନା ବାବଦରେ ବରାଦ ଅର୍ଥ ବାଦ୍ ସେଥିରୁ ଉତ୍ପନ୍ନ ସୁଧ ଏଥିରେ ବିନିଯୋଗ ହୋଇପାରିବ ନାହିଁ। ଏହା ଅନିୟମିତତାକୁ ଆଙ୍ଗୁଠି ଉଠାଏ। ଏଇଥିପାଇଁ ଯେ ଏହା ପଛରେ ବୈଧାନିକ ସମ୍ମତି ନାହିଁ ଏବଂ ଅନେକ ସମୟରେ ସିଏଜି ମଧ୍ୟ ପ୍ରତିକୂଳ ମନ୍ତବ୍ୟ ଦେବାର ସମ୍ଭାବନା ଅଧିକ। ଅର୍ଥ ବିଭାଗ ଆହୁରି ସ୍ପଷ୍ଟ ଭାବେ କହିଛି ଯେ ପବ୍ଲିକ ଆକାଉଣ୍ଟସ୍‌ ବାହାରେ ଏଭଳି ବେଆଇନ୍ ଭାବେ ଟଙ୍କା ଗଚ୍ଛିତ କରିବା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ନିୟମର ମଧ୍ୟ ବିରୋଧାଚରଣ କରୁଛି। ୨୦୧୪ ଓ ୨୦୧୯ ମସିହାରେ ଅର୍ଥ ବିଭାଗ ଏ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ୨୦୨୦ରେ ରାଜ୍ୟ ଅର୍ଥ ବିଭାଗ ଏକ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି। ଇତିମଧ୍ୟରେ ତିନିବର୍ଷ ବିତିଯାଇଛି। ଏଣୁ ଏହାର ସାନି ଯାଞ୍ଚ ଆବଶ୍ୟକ।

ଅର୍ଥ ବିଭାଗ ଏ ସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯେଉଁ ସବୁ ଯୋଜନା ଓ କାର୍ଯ୍ୟକ୍ରମ ଅଧୀନରେ ଏଭଳି ପାଣ୍ଠି ରହିଥିବ, ସେସବୁ ଅର୍ଥରାଶିକୁ ସେମାନେ ଟ୍ରେଜେରିକୁ ଫେରାଇବାକୁ ବାଧ୍ୟ। କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ଆସୁଥିବା ଅର୍ଥ କ୍ଷେତ୍ରରେ ମଧ୍ୟ ଅନୁରୂପ ପଦ୍ଧତି ଗ୍ରହଣ କରାଯିବ। ଏଥିଲାଗି ଅର୍ଥ ପରାମର୍ଶଦାତାମାନେ ଡିଡିଓ ଏବଂ କାର୍ଯ୍ୟାନ୍ବୟନ କରୁଥିବା ସଂସ୍ଥାଙ୍କର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହିତ ସେମାନଙ୍କର କାର୍ଯ୍ୟର ସମୀକ୍ଷା କରିବା ଲାଗି ଅର୍ଥ ବିଭାଗ ତାଗିଦ୍ କରିଛନ୍ତି ଏବଂ ଅଗଷ୍ଟ ୨୧ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସାରିବା ଲାଗି କୁହାଯାଇଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ପାଖରେ ଆଉ କିଛି ପାଣ୍ଠି ଉପଲବ୍ଧ ହେବ ଏବଂ ଏହା ନିର୍ବାଚନ ବର୍ଷରେ ନୂଆ କୌଣସି ଯୋଜନାରେ ଲାଗିପାରେ।