କେନ୍ଦ୍ରାପଡ଼ା: ଭିନ୍ନକ୍ଷମ ତଥା ଚାଲିବାକୁ ଅକ୍ଷମ ଥିବା ବୃଦ୍ଧ/ବୃଦ୍ଧାଙ୍କୁ ସେମାନଙ୍କ ଘରେ ଭତ୍ତା ଦେବାକୁ ନିର୍ଦ୍ଦେଶ ରହିଛି। ମାତ୍ର ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅନେକ ପଞ୍ଚାୟତ ଅଧିକାରୀ ମାନୁ ନାହାନ୍ତି। ଏହାର ନଗ୍ନ ଉଦାହରଣ ଆଜି କେନ୍ଦ୍ରାପଡ଼ା ବ୍ଲକ୍‌ କୋର ପଞ୍ଚାୟତରେ ଦେଖିବାକୁ ମିଳିଛି। କୋର ଗାଁର ୮୦ ବର୍ଷୀୟ ବୃଦ୍ଧ ଶ୍ରୀଧର ସାହୁଙ୍କୁ ଆଜି ଭତ୍ତା ଆଣିବାକୁ ପ୍ରାୟ ଅଧ କିଲୋମିଟର ରାସ୍ତା ଘୁଷୁଡ଼ି ଘୁଷୁଡ଼ି ଯିବାକୁ ପଡ଼ିଛି। ସେ ପଞ୍ଚାୟତ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ଦୃଶ୍ୟ ଦେଖିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପଞ୍ଚାୟତ ଅଧିକାରୀ କାହିଁକି ଶ୍ରୀ ସାହୁଙ୍କ ଘରକୁ ଯାଇ ଭତ୍ତା ଦେଲେ ନାହିଁ ବୋଲି ପ୍ରଶ୍ନ ଉଠିଛି।

Advertisment

ସୂଚନାନୁଯାୟୀ, ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ଶ୍ରୀ ସାହୁଙ୍କ ଦୁଇ ଗୋଡ଼ ଅଚଳ ହୋଇଯାଇଛି। ଦୁଇ ହାତ କାର୍ଯ୍ୟକ୍ଷମ ଥିବାରୁ ସେଥିରେ ଭରା ଦେଇ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଘୁଷୁଡ଼ି ଘୁଷୁଡ଼ି ଯାଆନ୍ତି।  ପ୍ରତି ମାସରେ ତାଙ୍କ ଝିଅ ପଞ୍ଚାୟତ କାର୍ଯ୍ୟାଳୟରୁ ଭତ୍ତ‌ା ଆଣିଥାନ୍ତି। ମାତ୍ର ଚଳିତ ମାସରେ ଝିଅକୁ ଭତ୍ତା ଦେବା ପାଇଁ ଅଧିକାରୀ ମନା କରି ଦେଇଥିଲେ। ତେଣୁ ଶ୍ରୀ ସାହୁ ଆଜି ସକାଳେ ବାଧ୍ୟ ହୋଇ କାଦୁଅ ରାସ୍ତାରେ ଦୁଇ ହାତରେ ଭରା ଦେଇ ଘୁଷୁଡ଼ି ଘୁଷୁଡ଼ି ଯାଉଥିବାର ଦୃଶ୍ୟ ଅନେକଙ୍କୁ ବିଚଳିତ କରିଥିଲା। ପ୍ରାୟ ଅଧି କ‌ିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କରିବା ପରେ କିଛି ଲୋକ ତାଙ୍କୁ ଅଟକାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଖବର ଦେଇଥିଲେ। ଅଧିକାରୀ ରାସ୍ତାରେ ପହଞ୍ଚି ତାଙ୍କୁ ଭତ୍ତା ଦେଇଥିବା ସୂଚନା ମିଳିଛି।

ବୃଦ୍ଧ ଶ୍ରୀ ସାହୁ କହିଛନ୍ତି ଯେ ଝିଅକୁ ଭତ୍ତା ଦେବାକୁ ମନା କରିଦେବାରୁ ତାଙ୍କୁ ଆସିବାକୁ ପଡ଼ିଲା। ତାଙ୍କର ଦୁଇ ଗୋଡ଼ ଅଚଳ। ଦୁଇ ହାତରେ ଭରା ଦେଇ ଘୁଷୁଡ଼ିକୁ ଆସିବାରୁ ଖଣ୍ତିଆଖାବରା ହୋଇଯାଇଥିବା କଥା କହି ସେ କାନ୍ଦି ପକାଇଥିଲେ। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟଲକ୍ଷ୍ମୀ ପାଠୀ କହିଛନ୍ତି ଯେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଚାଲିଛି। ବୃଦ୍ଧଙ୍କ ଝିଅ ଗତକାଲି ଆସି ଦେଖା କରିଥିଲେ। ଘରେ ଯାଇ ଭତ୍ତା ଦେବି ବୋଲି ତାଙ୍କୁ କହିଥିଲି। କିନ୍ତୁ ସେ ଆଜି ନିଜେ ଚାଲି ଆସିଲେ।