ଖରା ସହିନପାରି ବୃଦ୍ଧାଙ୍କ ଜୀବନ ଗଲା

ରାଇଘର:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଞ୍ଚଳରେ ଜଣେ ବୃଦ୍ଧାଙ୍କ ଖରା ସହିନପାରି ଜୀବନ ଯାଇଛି। କାଉଡୋଲା ପଂଚାୟତର ଧୁଙ୍ଗିଆଡିହି ଗ୍ରାମର ସିଆରାମ ଗାଣ୍ଡା (୭୦) ଅପରାହ୍ନ ପ୍ରାୟ ୨ଟାରେ ମାଲାପାରା ଗ୍ରାମକୁ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗେ ଦେବାକୁ ଘରୁ ଚାଲି ଚାଲି ଯାଉଥିଲେ। ମାଲାପାରା ପହଞ୍ଚିବା ପୂର୍ବରୁ ତୁମୁଡ଼ା ଛକ ପାଖାପାଖି ରାସ୍ତା କଡ଼ରେ  ସେ ପଡ଼ିଯାଇଥିଲେ। କିଛି ‌ପଥିକ ଏହା ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି କୁନ୍ଦେଇ ପୁଲିସକୁ ଖବର ଦେଇଥିଲେ।

କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ପହଞ୍ଚି ତଦନ୍ତ କରିବା ସହିତ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପ୍ରବଳ ଖରା ଯୋଗୁଁ ତାଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅନୁମାନ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ହୋଇ ନଥିବାରୁ ମୃତ୍ୟୁର ସଠିକ କାରଣ ଜଣାପଡ଼ି ପାରିନାହିଁ। ଏ ନେଇ କୁନ୍ଦେଇ ଥାନାରେ ନଂ. ୧୩/୨୨ ରେ ଅପମୃତ୍ୟୁ ମାମଲା ଋଜ୍ଜୁ ହୋଇଛି। ରବିବାର ହାଟଭରାଣ୍ଡି ଠାରେ ଶବ ବ୍ୟବଚ୍ଛେଦ ପରେ ସଠିକ୍ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର