ଶେରଗଡ଼: ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡ଼ା ଛକ ନିକଟ ଅନନ୍ତନଗରରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ତ୍ରିନାଥ ପାତ୍ର ନାମକ ଜଣେ ୬୩ ବର୍ଷ ବୟସ୍କ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟାକରି ଗାଁ ନିକଟ ଜଙ୍ଗଲରେ ପୋତି ଦିଆଯାଇଥିବା ବେଳେ ଆଜି ଶେରଗଡ଼ ପୁଲିସ ଶବକୁ ମାଟି ଖୋଳି ଉଦ୍ଧାର କରିଛି। ଏ ନେଇ ଶେରଗଡ଼ ଥାନାରେ କେସ୍ ନଂ ୨୨୨/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ମୃତ ତ୍ରିନାଥ ଗ୍ରାମର ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ସୂଚନା ଦେଇଛି।
ସୂଚନା ଅନୁସାରେ , ଗତ ୧୩ ତାରିଖ ସନ୍ଧ୍ୟାରେ ଗ୍ରାମର ସାତରୁ ଆଠ ଜଣ ବ୍ୟକ୍ତି ଓ ତ୍ରିନାଥଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସେମାନେ ତ୍ରିନାଥଙ୍କୁ ମାରଧର କରିଥିବା ବେଳେ ଏହାପରଠାରୁ ଆଉ ତ୍ରିନାଥଙ୍କ ଦେଖା ମିଳି ନଥିଲା। ଏ ନେଇ ତ୍ରିନାଥଙ୍କ ସାନଭାଇ ଗତକାଲି ଥାନାରେ ତାଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ଶେରଗଡ଼ ପୁଲିସ ତ୍ରିନାଥଙ୍କ ସହ ଗଣ୍ଡଗୋଳ କରିଥିବା ଜଣେ ବ୍ୟକ୍ତିକୁ ଅଟକ ରଖି ତଦନ୍ତ ଆରମ୍ଭ କରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିଥିଲା। ଅଭିଯୁକ୍ତମାନେ ତ୍ରିନାଥଙ୍କୁ ହତ୍ୟା କରି ପୋତି ଦେଇଥିବା କହିଥିଲେ। ଆଜି ସକାଳୁ ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଓ ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ସହ ଅନନ୍ତନଗରରେ ପହଞ୍ଚି ଗାଁ ପଛପଟ ଜଙ୍ଗଲରେ ଏକ ନିଛାଟିଆ ଜାଗା ଖୋଳି ତ୍ରିନାଥଙ୍କ ଶବ ଉଦ୍ଧାର କରିଥିଲେ।
ପ୍ରାଥମିକ ତଦନ୍ତ ପ୍ରକାରେ, ବହୁଦିନ ହେଲା ତ୍ରିନାଥଙ୍କ ପତ୍ନୀଙ୍କ ଦେହାନ୍ତ ଘଟିଥିବାବେଳେ ସେ ଘରେ ଏକା ରହୁଥିଲେ। ଜଣେ ନାବାଳିକାଙ୍କୁ ତ୍ରିନାଥ ଅସଦାଚରଣ କରିବା ଯୋଗୁ ତାଙ୍କୁ ହତ୍ୟା କରା ଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଥିବା କହିଛି। ତେବେ ସେ କୁଆଡ଼େ ଗାଁରେ ଗୁଣିଗାରେଡ଼ି କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଥିଲା। ଗୁଣିଗାରେଡ଼ି ସନ୍ଦେହରୁ କାଳେ ହତ୍ୟା କରା ଯାଇଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ହେଲେ ଘଟଣା ପରେ ଗାଁ ପୁରୁଷଶୂନ୍ୟ ହୋଇ ଯାଇଥିବାବେଳେ ଘଟଣାରେ ସମ୍ପୃକ୍ତ ଜଣକୁ ଏବେ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Did-you-see-a-Dead-Body-in-Dream-Heres-what-it-means.jpg)