ସ୍ତ୍ରୀକୁ ନେଇ ବୃଦ୍ଧ ଫେରାର: ବୃଦ୍ଧଙ୍କ ଘର ଜାଳିଦେଲେ ସ୍ବାମୀ

ରାଇରଙ୍ଗପୁର/ବାଦାମପାହାଡ/ଝିପାବନ୍ଧ: ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ହେଉଛି ଆଦିବାସୀ ବହୁଳ ବିଶିଷ୍ଟ ଅଂଚଳ । ବାମନଘାଟୀ ଉପଖଣ୍ଡ ବାଦାମପାହାଡ ଥାନା ଅଂଚଳରେ ଜଣେ ମହିଳାଙ୍କୁ ଜଣେ ବୃଦ୍ଧ ଫେରାର୍ କରିଥିବା ସନ୍ଦେହ କରି ସ୍ୱାମୀ ଉତକ୍ଷିପ୍ତ ହୋଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ କରିଦେଇଥିବା ଭଳି ଘଟଣା ଦେଖିବାକୁ ମିଳିଛି ।

ଅଭିଯୋଗ ଅନୁଯାୟୀ ବାଦାମପାହାଡ ଥାନା ଯୋରଦା ପଂଚାୟତର ଭାଟସାହି ଗ୍ରାମର ଗୌରହରି ନାଏକ ଓରଫ୍ ବୁତୁରୁ(୩୨)ଙ୍କ ସ୍ତ୍ରୀ ଲକ୍ଷ୍ମୀ ନାଏକ ସେହି ଗ୍ରାମର ବୃଦ୍ଧ ସୁରେଶ ନାଏକ(୫୫)ଙ୍କ ସହିତ ପ୍ରେମ ସର୍ମ୍ପକ ଗଢିଉଠିଥିଲା ବୋଲି ବୁତୁରୁ ସନ୍ଦେହ କରି ଆସୁଥିଲା। ହେଲେ ରବିବାର ଲକ୍ଷ୍ମୀ  ସୁରେଶଙ୍କ ଘରକୁ ଯାଇ ଆଉ ଫେରିନଥିଲା । ଏନେଇ ବୁତୁରୁ ତାଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲା ଏବଂ ଯଥାଶିଘ୍ର ଲକ୍ଷ୍ମୀକୁ ଫେରାଇ ଦେବାକୁ କହିଥିଲା । ଲକ୍ଷ୍ମୀ ଫେରିକି ନଆସିଲେ ତାଙ୍କ ଘରକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେବ ବୋଲି ଧମକ ଦେଇଥିଲା । ତେବେ ଲକ୍ଷ୍ମୀ ନଫେରିବାରୁ ବୁତୁରୁ ସୁରେଶଙ୍କ ବାଇକ୍,ଫ୍ରିଜ୍,ଗ୍ରୋସରୀ ଦୋକାନ,ବାସଗୃହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଥିଲା । ନିଆଁ ଲାଗିଯିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବିଳମ୍ବ ହେବାରୁ ସବୁ ପୋଡି ପାଉଁଶ ହୋଇଯାଇଥିଲା ।

ତାଙ୍କର ବାଇକ ଜଳିଯାଇଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡିଯାଇଛି। ଘରର ଛାତ କଣା କରି ପେଟ୍ରୋଲ ଢାଳି ଗୌରହରି ନିଆଁ ଲଗାଇ ଦେଇଥିଲେ। ଏନେଇ ସେହି ଗ୍ରାମରେ ବିବାହ କରିଥିବା ସୁରେଶଙ୍କ ଝିଅ ସସ୍ମିତା ନାଏକ ବାଦାମପାହାଡ ଥାନାରେ ଗୌରହରି ନାଏକଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବାଦାମପାହାଡ ପୁଲିସ ନଂ. ୭୮/୨୨ରେ ଏକ ମାମଲା ରୁଜୁ କରି ଗୌରହରିକୁ ଗିରଫ କରିଥିଲା । ସୋମବାର ଗୌରହରିଙ୍କୁ କୋର୍ଟଚାଲାଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଗୌରହରିଙ୍କ ସ୍ତ୍ରୀ ଘରକୁ ଫେରିନଥିବା ପୁଲିସ କହିଛି। ଲକ୍ଷ୍ମୀ ନାଏକଙ୍କ ସମ୍ପର୍କୀୟ ମାମୁଁ ଶଶୂର ହେଉଛନ୍ତି ସୁରେଶ ନାଏକ।

ସମ୍ବନ୍ଧିତ ଖବର