ସୁଦୀପ୍ତ ଷଡ଼ଙ୍ଗୀ
ବ୍ରହ୍ମପୁର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରକୃତିର ସନ୍ତୁଳନ ବିଗିଡ଼ିବାରେ ଲାଗିଛି। ଦିନକୁଦିନ ତାପମାତ୍ରା ବଢ଼ୁଥିବାବେଳେ ବାରମ୍ବାର ଲଘୁଚାପ ଓ ସାମୁଦ୍ରିକ ବାତ୍ୟା ଗଞ୍ଜାମ ଉପକୂଳ ଖାଇଚାଲିଛି। ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧନଜୀବନ ନଷ୍ଟ ହେଉଛି। ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସମୁଦ୍ର ବିପଦ ସାଜିଛି। ସମୁଦ୍ର ଅଶାନ୍ତ ହୋଇ ଜନବସତି ଆଡ଼କୁ ମାଡ଼ି ଆସୁଛି। ଏଣୁ ଗଞ୍ଜାମ ଜିଲ୍ଲାର ପୁରୁଣା ପୋଡ଼ମପେଟା ଗାଁ ଏବେ ନିଶ୍ଚିହ୍ନ ହୋଇଯିବା ଭଳି ପରିସ୍ଥିତି। ଗତ କିଛିଦିନ ହେଲା ସମୁଦ୍ର ଅଶାନ୍ତ ରହିଥିବାବେଳେ ଉଚ୍ଚ ଜୁଆର ମାଡ଼ ହେଉଛି। ଜୁଆର ମାଡ଼ରେ ପୁରୁଣା ପୋଡ଼ମପେଟା ଗାଁର ଗୋଟିଏ ପରେ ଗୋଟିଏ ଘର ଧୋଇ ହୋଇ ସମୁଦ୍ର ଗର୍ଭରେ ଲୀନ ହୋଇଯାଉଛି। ଏଥିପାଇଁ ଏହି ଅଞ୍ଚଳରେ ଜନବସତି ସମ୍ପୂର୍ଣ୍ଣ ପରିତ୍ୟାଗ କରିବାକୁ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗଞ୍ଜାମ ଉପକୂଳ ପ୍ରୟାଗି ଠାରୁ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୬୦ କିମି ବେଳାଭୂମି ରହିଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ଗଞ୍ଜାମ, ଛତ୍ରପୁର, ରଂଗେଇଲୁଣ୍ଡା ଓ ଚିକିଟି ବ୍ଲକ୍ ଉପକୂଳ ଅଞ୍ଚଳରେ ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ସମୟରେ ଦେଖା ଦେଉଥିବା ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଉପକୂଳ ଅଞ୍ଚଳବାସୀ ବହୁ କ୍ଷତି ସହୁଛନ୍ତି। ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହି କୂଳ ଖାଇ ଆଗକୁ ମାଡ଼ିଚାଲିଛି। ଫଳରେ, ସମୁଦ୍ର ନିକଟରେ ରହିଥିବା ଗାଁ ପ୍ରତି ବିପଦ ସୃଷ୍ଟି ହେଉଛି। ଗଞ୍ଜାମ ବ୍ଲକ୍ର ପୁରୁଣା ପୋଡ଼ମପେଟା ଗାଁରେ ୨ଶହରୁ ଅଧିକ ପରିବାରବର୍ଗ ରହୁଥିଲେ। ସମୁଦ୍ରରୁ ମାଛ ଧରି ଏହି ଗ୍ରାମବାସୀ ଜୀବନଜୀବିକା ନିର୍ବାହ କରୁଥିଲେ। କିନ୍ତୁ, କାଳକ୍ରମେ ସମୁଦ୍ର ଗାଁ ଆଡ଼କୁ ମାଡ଼ି ଆସିଥିଲା। ଋଷିକୂଲ୍ୟା ମୁହାଣ ସମୁଦ୍ର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ରନାଥ ସାହୁଙ୍କ ସୂଚନା ଅନୁଯାୟୀ, ଗତ ୨୦୦୭ମସିହାରୁ ଗଞ୍ଜାମ ଉପକୂଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରିଲକ୍ଷିତ ହୋଇଆସୁଛି। ସମୁଦ୍ର ଧୀରେଧୀରେ ଅଶାନ୍ତ ହୋଇ ଉଠି ବେଳାଭୂମି ଅବକ୍ଷୟ ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ପୁରୁଣା ପୋଡ଼ମପେଟା ଗାଁ ଭୌଗୋଳିକ ମାନଚିତ୍ରରୁ ଏବେ ହଜିଯିବା ସ୍ଥିତିରେ। ପୋଡ଼ମପେଟା ମତ୍ସ୍ୟଜୀବୀ ଗ୍ରାମ ସମୁଦ୍ର ଠାରୁ ୨କିମି ଦୂରରେ ଥିବାବେଳେ ବାରମ୍ବାର କୂଳ ଖାଉଥିଲା। ଗତ ୧୫ ବର୍ଷ ଭିତରେ ଧୀରେ ଧୀରେ ଜନବସତି ଭିତରକୁ ଜୁଆର ମାଡ଼ି ଆସି ପ୍ରଥମେ ମତ୍ସ୍ୟଜୀବୀଙ୍କ ଘର ପାଚେରି ଭାଙ୍ଗିଲା। ଏହାପରେ ଗୋଟିଏ ପରେ ଗୋଟିଏ ଘର ସମୁଦ୍ରରେ ଲୀନ ହେବା ଯୋଗୁଁ ସାମୁଦ୍ରିକ ସୁରକ୍ଷା ଆଇନ ବଳରେ ପୋଡ଼ମପେଟା ଗାଁକୁ ସ୍ଥାନାନ୍ତର କରା ଯାଇଥିଲା। ୨୦୧୭ ମସିହାରେ ଗଞ୍ଜାମ ତହସିଲ ରାମଗଡ଼ ପଞ୍ଚାୟତ ଝାଡ଼ିପଦରରେ ଓଡିଆର୍ପିରେ ସରକାରଙ୍କ ତରଫରୁ ପୋଡ଼ମପେଟାର ୧୨୩ ମତ୍ସ୍ୟଜୀବୀ ପରିବାରଙ୍କୁ ଘର ଯୋଗାଇ ଦିଆଯାଇଛି।
ସେହିପରି; ଖଲ୍ଲିକୋଟ, ଛତ୍ରପୁର, ରଂଗଇଲୁଣ୍ଡା ଓ ଚିକିଟି ବ୍ଲକ୍ର କିଛି ଗାଁ ମଧ୍ୟ ସମୁଦ୍ର କୂଳ ଅଞ୍ଚଳରେ ରହିଛି। ଏଣୁ ଏହି ଗାଁ ପ୍ରତି ମଧ୍ୟ ସମୁଦ୍ର ଏବେ ବିପଦ ସାଜିଛି। ଏହି ଗାଁଗୁଡ଼ିକରେ ମତ୍ସ୍ୟଜୀବୀମାନେ ରହୁଛନ୍ତି। ସମୁଦ୍ରରୁ ମାଛ ଧରି ସେମାନେ ତାଙ୍କର ଜୀବନଜୀବିକା ନିର୍ବାହ କରିଥାନ୍ତି। ଏଣୁ ଜୀବନଜୀବିକା ପାଇଁ ମତ୍ସ୍ୟଜୀବୀମାନେ ସମୁଦ୍ର କୂଳ ଗାଁରେ ରହିବାକୁ ବାଧ୍ୟ ହେଉଛନ୍ତି।