କୁତ୍ରା (ସୁନ୍ଦରଗଡ଼): ମୁହଁରେ କଳାକଳା କିଛି ବାହାରିଲା। ଗାଁ ପାଖ ବୈଦ୍ୟଙ୍କୁ ଦେଖାଇଲେ। ବୈଦ୍ୟ ଚିକିତ୍ସା ଆରମ୍ଭ କଲେ। କିଛିଦିନ ପରେ ବୈଦ୍ୟ ପାଉଣା ମାଗିଲେ। ହେଲେ ପାଉଣା ଦେବାକୁ ଟଙ୍କା ଅଛି ବ୍ୟାଙ୍କ ଖାତାରେ। ତେଣୁ ସେ ଗାଁ ପାଖ ଗ୍ରାହକ ସେବାକେନ୍ଦ୍ରକୁ ଗଲେ ଟଙ୍କା ଉଠାଇବା ପାଇଁ। ସେଠାରେ ଜଣାପଡ଼ିଲା, ଖାତାରେ ଆଧାର ସଂଯୋଗ ହୋଇ ନଥିବାରୁ ଟଙ୍କା ଉଠାଇହେବନି। ତେଣୁ ଆଧାର ସଂଯୋଗ କରିଦେବାକୁ ଅନୁରୋଧ କରିଥିଲେ। ମାତ୍ର ଉତ୍ତର ମିଳିଲା ଏଠାରେ ଆଧାର ସଂଯୋଗ ହୋଇପାରିବ ନାହିଁ। ସେଥିପାଇଁ ତାଙ୍କୁ କୁତ୍ରା ଷ୍ଟେଟ୍ବ୍ୟାଙ୍କ ଯିବାକୁ ପଡ଼ିବ। ତେଣୁ ଆଜି (ବୁଧବାର) ସକାଳେ ଘରୁ ୩୦ କିମି ଦୂର ବ୍ୟାଙ୍କ ଉଦ୍ଦେଶ୍ୟରେ ଗୁରୁଣ୍ଡିଗୁରୁଣ୍ଡି ବାହାରିପଡ଼ିଲେ ୬୮ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧା ଟେରସା ବାର୍ଲା।
ଆଜି ମଧ୍ୟାହ୍ନରେ କୁତ୍ରା ସାପ୍ତାହିକ ହାଟର ଭିଡ଼ ଭିତରେ ବୃଦ୍ଧାଜଣକ ଗୁରୁଣ୍ଡିଗୁରୁଣ୍ଡି ଷ୍ଟେଟ୍ବ୍ୟାଙ୍କ ଶାଖା ଅଭିମୁଖେ ଯାଉଥିବାବେଳେ ଏହି ପ୍ରତିନିଧିଙ୍କ ନଜରକୁ ଆସିଥିଲେ। ସବୁ ବୁଝିବା ପରେ ତାଙ୍କୁ ନିକଟସ୍ଥ ଗ୍ରାହକ ସେବାକେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ଯାଞ୍ଚ କରିବାରୁ ବୃଦ୍ଧାଙ୍କ ଖାତାରେ ଆଧାର ସଂଯୋଗ ହୋଇଥିବା ଜଣାପଡ଼ିଲା। ତେଣୁ ସେ ୧୦୦୦ ଟଙ୍କା ଉଠାଇ ଘରକୁ ଫେରିଥିଲେ। ବଡ଼ମାଳ ବଜାରପଡ଼ାର ଆଦିବାସୀ ମହିଳା ଟେରସା ଜନ୍ମରୁ ଦିବ୍ୟାଙ୍ଗ। ନିଜର ଦୁଇଗୋଡ଼ ସକ୍ଷମ ନଥିବାରୁ ସବୁକାମ ଗୁରୁଣ୍ଡିଗୁରୁଣ୍ଡି କରନ୍ତି। ଜନ୍ମରୁ ବାପାମାଆ ତାଙ୍କ ଦାୟିତ୍ବ ବୁଝୁଥିବାବେଳେ ସେମାନଙ୍କ ମୃତ୍ୟୁପରେ ଟେରସା ଏବେ ସମ୍ପୂର୍ଣ୍ଣ ଏକା। ୫ କିଲୋ ସରକାରୀ ଚାଉଳ ଓ ଭତ୍ତା ଟଙ୍କା ତାଙ୍କର ଭରସା। ବଡ଼ମାଳ ଗ୍ରାହକ ସେବାକେନ୍ଦ୍ରରେ ଟଙ୍କା ଉଠାଇବାରେ ବିଫଳ ହୋଇ କୁତ୍ରା ବାହାରିଥିଲେ ଟେରସା। ଘରୁ ନିକଟସ୍ଥ ଅଟୋଷ୍ଟାଣ୍ଡ ପ୍ରାୟ ଅଧକିମି ଦୂର ଗୁରୁଣ୍ଡିଗୁରୁଣ୍ଡି ଆସିଥିଲେ। ସେଠାରୁ ୩୦ କିମି ଦୂର କୁତ୍ରାରେ ପହଞ୍ଚିବା ପରେ ଅଟୋଷ୍ଟାଣ୍ଡରୁ ବ୍ୟାଙ୍କ ପ୍ରାୟ ଅଧକିମି ଦୂର ପୁଣି ଗୁରୁଣ୍ଡିଗୁରୁଣ୍ଡି ଯାଇଥିଲେ। ସବୁକାମ ପାଇଁ ତାଙ୍କୁ ଗୁରୁଣ୍ଡିଗୁରୁଣ୍ଡି ଯିବାକୁ ପଡ଼ୁଥିବା ଦୁଃଖର ସହ କହନ୍ତି ଟେରେସା। ସରକାର ଦିବ୍ୟାଙ୍ଗଙ୍କ ପାଇଁ କେତେକେତେ ଯୋଜନା କରୁଛନ୍ତି। ମାତ୍ର ଜୀବନର ସାୟାହ୍ନରେ ପହଞ୍ଚି ସାରିଥିବା ଟେରସାଙ୍କ ପାଇଁ ସେଗୁଡ଼ିକ ଅପହଞ୍ଚ। ଅନ୍ତତଃ ତାଙ୍କୁ ତିନିଚକିଆ ସାଇକଲ୍ ଯୋଗାଇ ଦିଆଗଲେ ସ୍ଥାନୀୟ ଅଞ୍ଚଳରେ ଯିବାଆସିବା କରିବା ସୁବିଧା ହୋଇପାରନ୍ତା ବୋଲି ସେ କହନ୍ତି। ତାଙ୍କୁ ତୁରନ୍ତ ତିନିଚକିଆ ସାଇକଲ ଓ ଚାଉଳ ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି।