ବାରିପଦା/ରାସଗୋବିନ୍ଦପୁର/ମାଣିଦା: ମୟୂରଭଞ୍ଜ ଛାଡ଼ି ଯାଉନାହାନ୍ତି ଝାଡ଼ଖଣ୍ଡ ହାତୀପଲ। ପ୍ରାୟ ସବୁଦିନ ହାତୀପଲ ‌ଫସଲ ନଷ୍ଟ କରିବା ସହ ଘରଦ୍ବାର ଭାଙ୍ଗୁଛନ୍ତି। ଆଉ ଲୋକ ହାବୁଡରେ ପଡ଼ିଲେ କଚାଡ଼ି ମାରୁଛନ୍ତି। କହିବାକୁ ଗଲେ ହାତୀଙ୍କ ଯୋଗୁ ଜିଲ୍ଲାବାସୀ ତ୍ରାହିତ୍ରାହି ଡାକିଲେଣି। ହେଲେ ବନ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ଲୋକଙ୍କୁ ସୁରକ୍ଷା ଦେବା କିମ୍ବା ହାତୀଙ୍କୁ ଘଉଡାଇବା ନିମନ୍ତେ ବନ ବିଭାଗର ସାମାନ୍ୟତମ ଉଦ୍ୟମ ନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି।

Advertisment

ବନ ବିଭାଗର ଅବହେଳା ପାଇଁ ଗତ ୨ ମାସରେ ହାତୀପଲ ୫୦ରୁ ଅଧିକ ଘରଦ୍ବାରା ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରି ସାରିଲେଣି। ଏଥିସହ ହାତୀ ଆକ୍ରମଣରେ ୬ ଜଣଙ୍କର ଜୀବନ ଯାଇଛି।

ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଛାତନା ପଞ୍ଚାୟତ ରାଇପାଳ ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧା ପ୍ରାଣ ହରାଇଛନ୍ତି। ମୃତକ ହେଲେ ଚାମରୁ ମୁର୍ମୁଙ୍କ ସ୍ତ୍ରୀ ମାୟା (୫୯)। ସକାଳେ ପାଣି ନେବାକୁ ଗାଁ ମୁଣ୍ଡରେ ଥିବା ନଳକୂପ ପାଖକୁ ଆସୁଥିଲେ ମାୟା। ତେବେ ଏହି ସମୟ‌ରେ ଗାଁ ପାଖକୁ ଆସିଥିବା ୬ଟି ହାତୀରୁ ଗୋଟିଏ ଦନ୍ତା ମାୟାଙ୍କୁ ଶୁଣ୍ଢରେ ଟେକିନେଇ ପାଦରେ ଦଳି ଦେଇଥିଲା। ଗ୍ରାମବାସୀ ଆମ୍ବୁଲାନ୍ସ ଡକାଇ ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପିଆର୍‌ଏମ୍‌ ମେଡିକାଲକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସପ୍ତାହେ ମଧ୍ୟରେ ହାତୀ ଆକ୍ରମଣରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ତେବେ ଲୋକଙ୍କ ଧନଜୀବନ ସୁରକ୍ଷା ଦେବାକୁ ବନ ବିଭାଗର ପଛଘୁଞ୍ଚାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନେଇ ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀଙ୍କୁ ପଚାରିବାରୁ ହାତୀଙ୍କ ଦାଉରୁ ଲୋକଙ୍କ ଧନଜୀବନ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି। ହାତୀଙ୍କ ଗତିବିଧି ଉପରେ କର୍ମଚାରୀ ନଜର ରଖିଛନ୍ତି ବୋଲି ସେ କହିଛନ୍ତି।