ପାଟଣାଗଡ଼: ଡା‌ଆଣୀ ସନ୍ଦେହରେ ଗ୍ରାମବାସୀ ତଡ଼ିଦେଇଥିବା ଜଣେ ବୃଦ୍ଧାଙ୍କୁ ୨୭ ବର୍ଷ ପରେ ଜଙ୍ଗଲରୁ ଉଦ୍ଧାର କରାଯାଇଛି। କିଛି ସ୍ବେଚ୍ଛାସେବୀ ସଂଗଠନ ତାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ସହିତ ଛାଡ଼ିଛନ୍ତି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ କେନ୍ଦୁମୁଣ୍ଡି ପଞ୍ଚାୟତ ତୁଳସୀଡୁଙ୍ଗୁରି (ଭାଲୁଡୁଙ୍ଗୁରୀ) ଗାଁର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Advertisment

ପ୍ରକାଶ ଯେ, ତୁଳସୀଡୁଙ୍ଗରୀ ଗାଁର ବୃଦ୍ଧା ପ୍ରତିମା ଧରୁଆଙ୍କୁ ୨୭ ବର୍ଷ ତଳେ ଗ୍ରାମବାସୀ ଡାଆଣୀ ସନ୍ଦେହ କରି ଗାଁରୁ ତଡ଼ି ଦେଇଥିଲେ। ସେହିଦିନରୁ ସେ ନିକଟସ୍ଥ ରାସ୍ତା ନ ଥିବା ଏକ ଜଙ୍ଗଲରେ ରହି ଆସୁଥିଲେ। ବର୍ତ୍ତମାନ ତାଙ୍କ ବୟସ ୧୦୦ ବର୍ଷରୁ ଅଧିକ ହେବ ବୋଲି ଗ୍ରାମବାସୀ କହିଛନ୍ତି। ସେ ଭଲ ଭାବେ ଦେଖି ପାରୁ ନାହାନ୍ତି କି ଚାଲି ପାରୁ ନାହାନ୍ତି। ଘରକୁ ଫେରି ଆସିବା ପାଇଁ ପରିବାବର୍ଗ କହୁଥିଲେ। ହେଲେ ସେ ଗାଁ ଲୋକେ ଡାଆଣୀ ସନ୍ଦେହ କରି ତଡ଼ି ଦେଇଛନ୍ତି ବୋଲି କହି ଆସୁ ନଥିଲେ। ୨୭ ବର୍ଷ ହେଲା ସେ ଅସହାୟ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଏକ କୁଡ଼ିଆ କରି ରହୁଥିଲେ।

ଅପରପକ୍ଷରେ ତାଙ୍କ ପୁଅ ମଧ୍ୟ ଗତ ୨୦ ବର୍ଷ ହେଲା ନିଖୋଜ ରହିଛନ୍ତି। ବର୍ତ୍ତମାନ ପ୍ରତିମାଙ୍କ ଦୁଇ ନାତି ବାହା ହୋଇ ରହୁଛନ୍ତି। ଶତାୟୁ ବୃଦ୍ଧା ଜଙ୍ଗଲ ମଧ୍ୟରେ ଅସହାୟ ଅବସ୍ଥାରେ ରହୁଥିବା ବେଳେ ଏହାର ଖବର ପାଇ କିଛି ସ୍ବେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ସମ୍ପୃକ୍ତ ସ୍ଥାନକୁ ଯାଇ ପ୍ରତିମାଙ୍କୁ ଉଦ୍ଧାର କରିଥ‌ିଲେ। ପ୍ରତିମା ବର୍ତ୍ତମାନ ଗାଁରେ ଥିବା ଘରକୁ ଆସିଛନ୍ତି। ସେ କେବଳ ବାର୍ଦ୍ଧକ୍ୟଭତ୍ତା ପାଉଥିବା ବେଳେ ଅନ୍ୟ କୌଣସି ସୁବିଧା ପାଉ ନଥିବା ଅଭିଯୋଗ ହୋଇଛି। ତେଣୁ ତାଙ୍କୁ ସରକାରଙ୍କ ଅନ୍ୟ ଯୋଜନାରେ ସାମିଲ କରିବାକୁ ଦାବି ହୋଇଛି। ଉଦ୍ଧାର କରାଯିବା ସମୟରେ ସେବା ଚେରିଟେବୁଲ ଟ୍ରଷ୍ଟର ଗିରିଧାରୀ ଭୋଇ, ସେବିକା ରାଜହଂସ, ଗୀତାଞ୍ଜଳି ବୁଡ଼େକ, ବାସନ୍ତି ବିଶ୍ବାଳ, ମେଘ ବର୍ଗେ ଓ ପାଟଣାଗଡ଼ ବିଏସ୍‌ଏସ୍‌ଓ କମଳାକାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।