ଭୁବନେଶ୍ୱର: ସାମାଜିକ ଗଣମାଧ୍ୟମରେ ବୟାନବାଜି ପାଇଁ ଥାନାରେ ପହଞ୍ଚିଛି ଓଲିଉଡ୍ କଳି। ତାଙ୍କ ବିରୋଧରେ କଟକ ସାଇବର ଥାନାରେ ମାମଲା ରୁଜୁ ହେବାପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଛନ୍ତି ଅଭିନେତା ମନୋଜ ମିଶ୍ର। ତେବେ ସେତିକିରେ ମାମଲା ସରିନି, ଏହାପରେ ମନୋଜଙ୍କର ସମସ୍ତ ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର।
ଓଡ଼ିଆ ଫିଲ୍ମର ଅସ୍ତିତ୍ୱକୁ ନେଇ ମନ୍ତବ୍ୟ ଦେବା ଅଭିଯୋଗରେ ମନୋଜଙ୍କ ବିରୋଧରେ ଗତକାଲି ‘ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଯୋଜକ ସଂଘ’ କଟକ ସାଇବର ଥାନାରେ ଏକ ମାମଲା ଦାଏର କରିଥିଲା। ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି ପ୍ରାୟ ୪୦ ଜଣ ନିର୍ଦ୍ଦେଶକ ମନୋଜଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଆଜି ୨୪ ଘଣ୍ଟା ପରେ ସାମ୍ବାଦିକ ସମ୍ମିଳନୀ ଡାକି ସେମାନଙ୍କ ଉପରେ ବର୍ଷିଛନ୍ତି ମନୋଜ। ସେ କହିଛନ୍ତି, ‘‘ସିନେମା ମୋ’ ବୋପାର ନୁହେଁ। ଏହା ଆମ ଓଡ଼ିଶାର। ସିନେମା ଆମ ଓଡ଼ିଶାର ଅସ୍ମିତା ଓ ସଂସ୍କୃତିର ପରିଚୟ। ଆଗକୁ ଖରାପ ସିନେମା ହେଲେ ମୁଁ ବିରୋଧ କରିବି। ମୁଁ ତ କହିବି, ତେଣିକି ଯାହା ବି ହୋଇଯାଉ। ଆଗାମୀ ପିଢ଼ି ଆମକୁ ଗାଳି ନଦେଉ, ସେଥିପାଇଁ ମୁଁ କହିବି।’’ ସେ ଆହୁରି କହିଛନ୍ତି, ଫିଲ୍ମ ଗୋଟିଏ ବ୍ୟବସାୟ। ବ୍ୟବସାୟ ଭଳି ଏହାର ବିକାଶ ହେବା କଥା। କିନ୍ତୁ ଅବସୋସ ଯେ ଏହା ତଳକୁ ଯାଉଛି, ଆଗକୁ ଯାଉନି। ସେଥିପାଇଁ ଅଭିନେତା ନୁହେଁ, ଫିଲ୍ମ ତିଆରି କରୁଥିବା ବ୍ୟକ୍ତିମାନେ ଦାୟୀ। ଯଦି ପ୍ରଯୋଜକ ଓ ନିର୍ଦ୍ଦେଶକ ଚାହୁଛନ୍ତି ସେ ଓଡ଼ିଆ ଫିଲ୍ମକୁ ଲୋକେ ହଲ୍ରେ ଦେଖନ୍ତୁ, ତାହେଲେ ସେମାନଙ୍କୁ ଟେକ୍ନୋଲୋଜି ଦୃଷ୍ଟିରୁ ବିକଶିତ ହେବାକୁ ପଡ଼ିବ। ଅତିକମ୍ରେ ‘ଦମନ’ ଓ ‘କର୍ମ’ ଭଳି ବା ଫିଲ୍ମ ତିଆରିବାକୁ ପଡ଼ିବ। ନିଜ ଦୋଷ ଦୁର୍ବଳତା ନଦେଖି ତାଙ୍କ ଉପରେ ଦୋଷାରୋପ କରାଯିବା କ୍ଷୋଭର ବିଷୟ ବୋଲି ମନୋଜ କହିଛନ୍ତି। ପ୍ରଯୋଜକ-ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ମଧ୍ୟ ମନୋଜ ଟାର୍ଗେଟ୍ କରିଛନ୍ତି। ଫକୀର ମୋହନ ସେନାପତିଙ୍କର ଏକ ବିଖ୍ୟାତ ଗପ ଉପରେ ଆଧାରିତ ସୁଟିଂ ଚାଲିଥିବା ଶ୍ରୀ ମହାପାତ୍ରଙ୍କ ଫିଲ୍ମ ‘ରାଣ୍ଡିପୁ୍ଅ ଅନନ୍ତା’ର ଶୀର୍ଷକକୁ ସେ କଡ଼ାଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ବିକଳାଙ୍ଗ କୁହାଯାଉଥିବା ଲୋକଙ୍କୁ ଏବେ ଦିବ୍ୟାଙ୍ଗ କୁହାଯାଉଛି। ଏଭଳି ଏକ ସମୟରେ ଫିଲ୍ମର ନାଁ ‘ରାଣ୍ଡିପୁଅ ଅନନ୍ତା’ ଦିଆଯାଉଛି। ‘ରାଣ୍ଡି’ ନାଁ ମହିଳାଙ୍କ ପାଇଁ ଗ୍ରହଣୀୟ ନୁହେଁ। ଏହା କଣ ଓଡ଼ିଆ ଅସ୍ମିତା? ଫକୀର ମୋହନ ଏବେ ବଞ୍ଚିଥିଲେ କେବେହେଲେ ଗପର ନାଁ ‘ରାଣ୍ଡିପୁଅ ଅନନ୍ତା’ ଦେଇ ନଥା’ନ୍ତେ। ଏଥିସହ ଶ୍ରୀ ମହାପାତ୍ରଙ୍କ ଚର୍ଚ୍ଚିତ ଫିଲ୍ମ ‘ଭୁଖା'କୁ ନେଇ ମଧ୍ୟ ମନୋଜ ପ୍ରଶ୍ନ ଉଠାଇଛନ୍ତି।
ମନୋଜଙ୍କ ମନ୍ତବ୍ୟ ପରେ ଆଉ ଏକ ସାମ୍ବାଦିକ ସମ୍ମିଳନୀ କରି ଜବାବ ଦେଇଛନ୍ତି ପ୍ରଯୋଜକ-ନିର୍ଦ୍ଦେଶକ ଶ୍ରୀ ମହାପାତ୍ର। ସେ କହିଛନ୍ତି, ‘‘ମନୋଜ ମିଶ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କର୍ଣ୍ଣଧାର ନୁହନ୍ତି। ମୋର ୫ଟି ଫିଲ୍ମ ଜାତୀୟ ପୁରସ୍କାର ପାଇଛି। ମନୋଜ ମିଶ୍ରଙ୍କ ଠାରୁ ମୁଁ ସାର୍ଟିଫିକେଟ ଚାହୁନି। ଓଲିଉଡ୍ରେ କଳି ବନ୍ଦ କରନ୍ତୁ। ଯାହା କିଛି କହିବାର ଅଛି ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରନ୍ତୁ। ସିନେମା ଇଣ୍ଡଷ୍ଟ୍ରିକୁ ବଦନାମ ନକରନ୍ତୁ।’’ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାଲାଗି ମନୋଜ ଚେଷ୍ଟା କରୁଛନ୍ତି। ଏବେ ବହୁତ ଯୁବ ନିର୍ଦ୍ଦେଶକ ଆସୁଛନ୍ତି। ‘କର୍ମ’ ଓ ‘ଦମନ’ ଭଳି ଫିଲ୍ମ ଆଗକୁ ହେବ। ନୂଆ ନିର୍ଦ୍ଦେଶକଙ୍କୁ ସହଯୋଗ କରିବା ଦରକାର ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ନିର୍ଦ୍ଦେଶକ ତାପସ ସରଘରିଆ କହିଛନ୍ତି, ‘‘ମନୋଜ ଜଣେ ଭଲ ଅଭିନେତା, ସେ ଅଭିନୟ କରନ୍ତୁ। ସେ ବାଛିଥିବା ବାଟ ଠିକ୍ ନୁହେଁ। ଏହାଦ୍ୱାରା ଇଣ୍ଡଷ୍ଟ୍ରି ଆଗକୁ ବଢ଼ିବନି। ଟଙ୍କା ଅନୁସାରେ କାମ ହେଉଛି। ଇଣ୍ଡଷ୍ଟ୍ରିର ଗୋଟେ ବଜେଟ୍ ଅଛି, ସେହି ଅନୁସାରେ କାମ ହେଉଛି। ତେଣୁ ଆକ୍ଷେପ ନ କରି ଭଲ ଫିଲ୍ମ କରନ୍ତୁ, ଇଣ୍ଡଷ୍ଟ୍ରିକୁ ଆଗକୁ ନିଅନ୍ତୁ। କଥା ନୁହେଁ କାମରେ କରି ଦେଖାନ୍ତୁ।’’