ରାଉରକେଲା: ଏବେ ଓମିକ୍ରନ ସଂକ୍ରମଣ ଚିନ୍ତା ବଢ଼ାଇଛି। ରବିବାର ସୁଦ୍ଧା ରାଜ୍ୟରେ ଓମିକ୍ରନ ସଂକ୍ରମିତ ସଂଖ୍ୟା ୩୭ରେ ପହଞ୍ଚିଲାଣି। ଏଯାଏଁ ସୁନ୍ଦରଗଡ ଜିଲ୍ଲାକୁ ଓମିକ୍ରନ ପ୍ରବେଶ କରିପାରିନି। କିନ୍ତୁ ଯେଭଳିଭାବେ ସବୁକିଛି ଖୋଲାମେଲା ରହିଛି, ଭବିଷ୍ୟତରେ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ମେଲା ରହିଥିବା ସୀମାନ୍ତ ଦେଇ କରୋନା ଓଡ଼ିଶାରେ ପ୍ରବେଶ କରିବା ସମ୍ଭାବନା ରହିଛି। ବିଶେଷକରି ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ସଂପୂର୍ଣ୍ଣଭାବେ ଖୋଲା ଛାଡ଼ିଦିଆଯାଇଛି। ଝାଡ଼ଖଣ୍ଡ ପୁଲିସ ରୀତିମତ ଯାଞ୍ଚ କରୁଥିବାବେଳେ ଓଡ଼ିଶା ସୀମାନ୍ତ ଫାଙ୍କା ପଡ଼ିଛି। ଓଡ଼ିଶା ପୁଲିସର ଜଗିବାକୁ ସମୟ ନାହିଁ। କରୋନା ଦ୍ବିତୀୟ ଲହରବେଳେ କରିଥିବା ଭୁଲ୍ର ପୁନରାବୃତ୍ତି କରୁଛି ଜିଲ୍ଲା ପ୍ରଶାସନ। ସଂକ୍ରମଣ ରୋକିବାକୁ ଯେଭଳି ପ୍ରତିଷେଧାତ୍ମକ ପଦକ୍ଷେପ ନିଆଯିବା କଥା ତାହା ଦେଖିବାକୁ ମିଳୁନି।
ଜିଲ୍ଲାରୁ ଝାଡ଼ଖଣ୍ଡ, ଛତିଶଗଡ଼କୁ ଗମନାଗମନ ପାଇଁ ଏକାଧିକ ରାସ୍ତା ରହିଛି। ଓଡ଼ିଶା ସୀମାନ୍ତ ଜରେଇକେଲା, ବୀରମିତ୍ରପୁରର ପାତାଲକାଣ୍ଡ୍, ବାଲିଶଙ୍କରା, ହେମଗିର ଦେଇ ଲୋକେ ଯିବାଆସିବା କରିଥାନ୍ତି। ବିଶେଷକରି ବୀରମିତ୍ରପୁର ଓ ଜରେଇକଲା ଦେଇ ଯାତାୟାତ ପରିମାଣ ଢ଼େର୍ ଅଧିକ। ଆଜିଠାରୁ ଝାଡ଼ଖଣ୍ଡରେ କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି। ଛତିଶଗଡ଼ରେ ମଧ୍ୟ ସମାନ ଅବସ୍ଥା। ଏଣୁ ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଓ ବାଉଁଶଯୋରରେ କଡ଼ା ଯାଞ୍ଚ ଆରମ୍ଭ ହୋଇଛି।
ସକାଳୁ ସନ୍ଧ୍ୟା ଯାଏଁ ଝାଡ଼ଖଣ୍ଡ ପୁଲିସ ସୀମା ସେପଟେ ରହି ଯାଞ୍ଚ କରୁଛି। ରାଉରକେଲା, ବିଶ୍ରା, ଜରେଇକେଲାଠାରୁ ଝାଡ଼ଖଣ୍ଡର ମନୋହରପୁରକୁ ଯାଉଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସେମାନଙ୍କର ବିସ୍ତୃତ ବିବରଣୀ ରେକର୍ଡ କରାଯାଉଛି। ଏମିତିକି ଆର୍ଟିପିସିଆର୍/ଆଣ୍ଟିଜେନ ରିପୋର୍ଟ ମଧ୍ୟ ଯାଞ୍ଚ ହେଉଛି। କିନ୍ତୁ ଓଡ଼ିଶା ସୀମାରେ ଏହାର ଓଲଟା ଦେଖିବାକୁ ମିଳୁଛି। ଝାଡ଼ଖଣ୍ଡରୁ ଏବେ ବି ଓଡ଼ିଶାକୁ ଅବାଧ ପ୍ରବେଶ ରହିଛି। ଓଡ଼ିଶା ସୀମାରେ ଜିଲ୍ଲା ପୁଲିସ ଦ୍ବାରା ଆର୍ଟିପିସିଆର୍/ଆଣ୍ଟିଜେନ ରିପୋର୍ଟ ଯାଞ୍ଚ ହେବା ତ ଦୂରର କଥା, ସେମାନଙ୍କୁ ଅଟକାଇ ମୌଖିକଭାବେ ପଚରାଉଚରା ବି କରାଯାଉନି। ରାଉରକେଲା ଜିଲ୍ଲା ପୁଲିସ ଅଧିନରେ ଆସୁଥିବା ଓଡ଼ିଶା ସୀମାନ୍ତ ଜରେଇକେଲା ଓ ସୁନ୍ଦରଗଡ଼ ଜିଲ୍ଲା ପୁଲିସ ଅନ୍ତର୍ଗତ ପାତାଲକାଣ୍ଡ୍ରେ ଗୋଟିଏ ବି ପୁଲିସ କର୍ମଚାରୀ ନିୟୋଜିତ ନ ଥିବାରୁ ଓଡ଼ିଶା ସୀମା ଏବେ ସଂପୂର୍ଣ୍ଣଭାବେ ଖୋଲାପଡ଼ିଛି। ଅବଶ୍ୟ, ବନ୍ଧମଣ୍ଡାଠାରେ ଜିଲ୍ଲା ପୁଲିସ ଦ୍ବାରା ଦୁଇ ଦିନ ହେଲା ଯାଞ୍ଚ କରାଯାଉଛି।
କିନ୍ତୁ ଅଧିକାଂଶ ଯାତ୍ରୀ ବନ୍ଧମୁଣ୍ଡା ପଥକୁ ଏଡ଼ାଇ ଚୋରା ପଥରେ ଆସୁଥିବାରୁ ଏମାନଙ୍କର ଗତିବିଧି ଉପରେ ନଜର ରହିପାରୁନି। ପ୍ରକାଶଥାଉକି, ଗତ ଏପ୍ରିଲରେ ଜିଲ୍ଲାରେ ଦେଖିବାକୁ ମିଳିଥିବା କରୋନା ଦ୍ବିତୀୟ ଲହର ପ୍ରକୋପର ଅନ୍ୟତମ ପ୍ରମୁଖ କାରଣ ଥିଲା ସୀମାନ୍ତକୁ ଖୋଲାମେଲା ଛାଡ଼ିବା। ଏବେ ସମାନ ତ୍ରୁଟିକୁ ଦେହରାଉଛି ଜିଲ୍ଲା ଓ ପୁଲିସ ପ୍ରଶାସନ। ଝାଡ଼ଖଣ୍ଡ, ଛତିଶଗଡ଼କୁ ଅବାଧ ଯିବାଆସିବା ଯୋଗୁଁ ଜିଲ୍ଲାରେ, ବିଶେଷକରି ସୀମାନ୍ତ ଗାଁଗୁଡ଼ିକରେ ସଂକ୍ରମଣ ଅଣାୟତ୍ତ ରହିଥିଲା। କିନ୍ତୁ ପୂର୍ବ ଭୁଲ୍କୁ ସୁଧାରିବା ବଦଳରେ ପ୍ରଶାସନ ନିରବଦ୍ରଷ୍ଟା ସାଜିବା; ସଂକ୍ରମଣକୁ ଆମନ୍ତ୍ରଣ କରିବା ସଦୃଶ। ଏଣୁ ବେଳ ଥାଉଥାଉ ସୀମାନ୍ତ ଉପରେ ସ୍ବତନ୍ତ୍ର ନଜର ଦେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।