ରାଉରକେଲା: ଗତ ୫ ବର୍ଷ ତଳେ ଅର୍ଥାତ୍ ୨୦୧୬ରେ ନୂଆ ବସ୍ଷ୍ଟାଣ୍ଡ ଖୋଲିଥିବା ରାଜ୍ୟର ଏକମାତ୍ର ଦିବ୍ୟାଙ୍ଗ ବସ୍ ଟିକେଟ୍ କାଉଣ୍ଟରରେ ଏବେ ତାଲା ଝୁଲୁଛି। କାଉଣ୍ଟର କିପରି ପୁନଃକାର୍ଯ୍ୟକ୍ଷମ ହେବ ଓ ଦିବ୍ୟାଙ୍ଗମାନେ ରିହାତି ମୂଲ୍ୟରେ ବସ୍ ଟିକେଟ ପାଇବେ, ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ସମେସ୍ତ ଯେମିତି ଏମାନଙ୍କ ସମସ୍ୟାକୁ ପାସୋରି ଯାଇଛନ୍ତି। ସେମିତି ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସୋତ୍ରରେ ସାମିଲ କରିବାକୁ ସଦାସର୍ବଦା ଲଢ଼ଇେ ଜାରି ରଖିଥିବା ସହରର ଦିବ୍ୟାଙ୍ଗ ଅନୁଷ୍ଠାନଗୁଡ଼ିକର ମାଲିକମାନେ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛନ୍ତି। ଫଳରେ ପରିତ୍ୟକ୍ତ ଅବସ୍ଥାରେ ବନ୍ଦ ପଡିଥିବା ଏହି ଟିକେଟ୍ କାଉଣ୍ଟରକୁ ଦୈନନ୍ଦିନ ଦିବ୍ୟାଙ୍ଗ ଓ ତାଙ୍କ ସମ୍ପର୍କୀୟମାନେ ଆସୁଛନ୍ତି। ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରୁଛନ୍ତି। ବାଧ୍ୟ ହୋଇ ନିକଟସ୍ଥ ଘରୋଇ ବସ୍ ଟିକେଟ୍ କାଉଣ୍ଟରରୁ ଦାବି ମୁତବାବ ଟଙ୍କା ଦେଇ ଟିକଟେ୍ କାଟୁଛନ୍ତି। ଅନେକ ସମୟରେ ଟିକେଟ୍ ରିହାତିକୁ କେନ୍ଦ୍ରକରି ଦିବ୍ୟାଙ୍ଗ ସମ୍ପର୍କୀୟ ଓ ଟିକେଟ୍ କାଉଣ୍ଟର ମଧ୍ୟରେ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳୁଛି।
କଥା ମଧ୍ୟ ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଛି। ମାତ୍ର ଏ ଦିଗରେ ଆଜି ପର୍ଯ୍ୟନ୍ତ ସେମିତି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପଟେ ଦିବ୍ୟାଙ୍ଗଙ୍କୁ ପୂର୍ବପରି ବସ୍ ଟିକେଟ୍ରେ ରିହାତି ଦେବାକୁ କିଛି ଦିବ୍ୟାଙ୍ଗ ଅନୁଷ୍ଠାନର ମାଲିକମାନେ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଦିବ୍ୟାଙ୍ଗ ବସ୍ ଟିକେଟ୍ କାଉଣ୍ଟରକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ନିବେଦନ ମଧ୍ୟ କରିଛନ୍ତି। କିନ୍ତୁ କିଛି ସୁଫଳ ମିଳିନି। ତେବେ ବନ୍ଦ ପଡ଼ିଥିବା ରାଜ୍ୟର ଏକମାତ୍ର ଦିବ୍ୟାଙ୍ଗ ଟିକେଟ୍ କାଉଣ୍ଟରକୁ ଚାଲୁ କରିବାକୁ ଦିବ୍ୟାଙ୍ଗମାନେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ଉଲ୍ଳେଖଯୋଗ୍ୟ, ରାଉରକେଲାରୁ କଟକ, ଭୁବନେଶ୍ବର, ବ୍ରହ୍ମପୁର, ପାରାଦୀପ, ଭଦ୍ରକ, ବାଲେଶ୍ବର, ରାୟଗଡ଼ା, ଜୟପୁର ଆଦି ରାଜ୍ୟର ପ୍ରମୁଖ ସହର ଓ ଜିଲ୍ଲାକୁ ଯାତାୟତ କରୁଥିବା ଏକ୍ସପ୍ରେସ୍ ବସ୍ରେ ଦିବ୍ୟାଙ୍ଗ ଓ ତାଙ୍କ ସହଯୋଗୀଙ୍କୁ ରିହାତିରେ ବସ୍ ଯାତ୍ରା ସୁବିଧା ଦେବାକୁ ଦିବ୍ୟାଙ୍ଗ ଅନୁଷ୍ଠାନମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଗତ ୨୦୧୬ରେ ନୂଆ ବସ୍ଷ୍ଟାଣ୍ଡର ସ୍ବତନ୍ତ୍ର ଦିବ୍ୟାଙ୍ଗ କାଉଣ୍ଟର ଖୋଲିବାକୁ ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍ଡିଏ)କୁ ନିର୍ଦ୍ଦେଶ ଦେଇଥିଲେ। ଆର୍ଡିଏ ନୂଆ ବସ୍ଷ୍ଟାଣ୍ଡରେ ସ୍ବତନ୍ତ୍ର ଦିବ୍ୟାଙ୍ଗ ବସ୍ ଟିକେଟ୍ କାଉଣ୍ଟର ଖୋଲିଥିଲେ। ଯାହାକୁ ଉଦ୍ଘାଟନ କରିଥିଲେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମୋନିଷା ବାନାର୍ଜୀ। କାର୍ଯ୍ୟକ୍ରମରେ ସହରର ପ୍ରମୁଖ ଦିବ୍ୟାଙ୍ଗ ଅନୁଷ୍ଠାନର ମାଲିକମାନେ ଉପସ୍ଥିତ ଥିଲେ। ଏହି କାଉଣ୍ଟରରୁ ଦିବ୍ୟାଙ୍ଗ ଟିକେଟ୍ ଦାମର ୫୦%ରୁ ୧୦୦% ରିହାତି ପାଉଥିଲେ। କେବଳ ଦିବ୍ୟାଙ୍ଗ ନୁହେଁ ତାଙ୍କ ସହଯୋଗୀ ମଧ୍ୟ ୫୦% ରିହାତି ପାଉଥିଲେ। ଦୈନନ୍ଦିନ ପ୍ରାୟ ୮ରୁ ୧୦ ଦିବ୍ୟାଙ୍ଗ ଉପକୃତ ହେଉଥିଲେ। ୨୦୧୯ କରୋନା ପରେ ବସ୍ ଚଳାଚଳ ବନ୍ଦ ହୋଇଯିବାରୁ ଦିବ୍ୟାଙ୍ଗ ବସ୍ ଟିକେଟ୍ କାଉଣ୍ଟର ମଧ୍ୟ ବନ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବସ୍ ଚଳାଚଳ ସାମାନ୍ୟ ସ୍ବାଭାବିକ ହୋଇଥିଲେ ହେଁ ବସ୍ ମାଲିକମାନେ କ୍ଷତି ଦର୍ଶାଇ ଦିବ୍ୟାଙ୍ଗଙ୍କୁ ରିହାତି ଦେବାକୁ ମନା କରି ଦେଇଥିଲେ। ଏବେ ବସ୍ ଚଳାଚଳ ସ୍ବାଭାବିକ ହୋଇଥିଲେ ହେଁ ଦିବ୍ୟାଙ୍ଗଙ୍କୁ ଏହି ସୁବିଧାରୁ ସମ୍ପୂର୍ଣ୍ଣ ବଞ୍ଚିତ କରାଯାଉଛି।