ପୁରୀ: ଚଳିତ ରଥଯାତ୍ରା ସମୟରେ ଖୋଲିପାରେ ରତ୍ନଭଣ୍ଡାର। ଆସନ୍ତା ୯ ତାରିଖରେ ଆଗାମୀ ବୈଠକରେ ନିଆଯିବ ଏ ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି। ନବଗଠିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟିର ଆଲୋଚନା ଓ ନିଷ୍ପତ୍ତିରୁ ଏହି ଆଶା ଉଜ୍ଜ୍ବଳ ହୋଇଛି। କମିଟି ସ୍ପଷ୍ଟ କରିଛି ଯେ ଚାବିରେ ରତ୍ନଭଣ୍ଡାର ନଖୋଲିଲେ, ତାଲାକୁ ଭଙ୍ଗାଯିବ। ଏ ସଂପର୍କିତ ସ୍ବତନ୍ତ୍ର ଏସ୍‌ଓପି ବି ପ୍ରସ୍ତୁତ ହେବ। ଅପରପକ୍ଷେ ଉଭୟ ଅଳଙ୍କାର ଗଣତି ଓ ମଣତି ସହ ରତ୍ନଭଣ୍ଡାର ମରାମତି ଆବଶ୍ୟକ। ମାତ୍ର ଏହା ସମୟସାପେକ୍ଷ ହୋଇଥିବାରୁ ପ୍ରଥମେ ରତ୍ନଭଣ୍ଡାର ଅଳଙ୍କାରକୁ ଅନ୍ୟତ୍ର ସ୍ଥାନାନ୍ତର ଯୋଜନା କରାଯାଉଛି। ଆବଶ୍ୟକ ପଡ଼ିଲେ, ସ୍ବତନ୍ତ୍ର ଅସ୍ଥାୟୀ ଗୃହ ବି କରାଯାଇପାରେ। ଏ ନେଇ ଅନ୍ୟ ଏକ ସ୍ବତନ୍ତ୍ର ଏସ୍‌ଓପି ଜାରି ହେବ। ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ଆଜି ପ୍ରଥମ ବୈଠକ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ସଭାପତିତ୍ବରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କେବଳ ସୁଦର୍ଶନ ପଟ୍ଟନାୟକଙ୍କୁ ଛାଡ଼ିଦେଲେ, ଅନ୍ୟ ସମସ୍ତ ସଦସ୍ୟ ବୈଠକରେ ଯୋଗ ଦେଇଥିଲେ।

Advertisment

ଏଥିସହ ରତ୍ନଭଣ୍ଡାର ମେକାପ, ଦେଉଳକରଣ ବି ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ସହ ମରାମତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ପରେ କମିଟି ଅଧ୍ୟକ୍ଷ ଜଷ୍ଟିସ ରଥ କହିଛନ୍ତି, ଆଲୋଚନା ପରେ ଅତୀତର କାଗଜପତ୍ରରୁ ଜଣାପଡ଼ିଥିଲା ଯେ ରତ୍ନଭଣ୍ଡାରର ଡୁପ୍ଲିକେଟ୍‌ ଚାବି ଅଛି। ଏହା ଜିଲ୍ଲା କୋଷାଗାରରେ ରହିଛି। ଯେହେତୁ କୋଷାଗାରରେ ଚାବି ଅଛି ବୋଲି ଖବର ଆସୁଛି, ଆମେ ୯ ତାରିଖ ଦିନ ପରବର୍ତ୍ତୀ ବୈଠକ କରିବାକୁ ଧାର୍ଯ୍ୟ କରିଛୁ। ୯ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ ଚାବି ଉପସ୍ଥାପନ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ରତ୍ନଭଣ୍ଡାର ଚାବି ଖୋଲାଯିବା ତାରିଖ ଉକ୍ତ ବୈଠକରେ ସ୍ଥିର କରାଯିବ। ଯେହେତୁ ଆଗରୁ କିଛି କାଗଜପତ୍ରରେ ଉଲ୍ଲିଖିତ ରହିଛି ଯେ ଯେଉଁ ଚାବି ରହିଥିଲା, ସେ ଚାବିରେ ଭିତର ରତ୍ନଭଣ୍ଡାର ତାଲା ଖୋଲୁନଥିଲା। ତେଣୁ ଚାବି ଖୋଲିବା ବେଳେ ସେହିଭଳି ପରିସ୍ଥିତି ଉପୁଜିପାରେ। ଚାବିରେ ଯେହେତୁ ବହୁ ଦଶନ୍ଧି ଧରି ରତ୍ନଭଣ୍ଡାର ତାଲା ଖୋଲାଯାଇନି, ସେ ଚାବି କାମ କରିବ କି ନାହିଁ ସନ୍ଦେହ ରହିଛି। ତାଲା ଭିତରୁ କଳଙ୍କି ଲାଗି ଯାଇଥାଇପାରେ। ଏସବୁକୁ ନଜରରେ ରଖି ସମୟ ବଞ୍ଚାଇବାକୁ ସ୍ବତନ୍ତ୍ର ଏସ୍‌ଓପି ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ଚାବିରେ ଯଦି ତାଲା ନ ଖୋଲେ, ତାକୁ ଭଙ୍ଗାଯାଇ ରତ୍ନଭଣ୍ଡାର ଖୋଲାଯିବ। କିଭଳି ଖୋଲାଯିବ, ସେ ସଂପର୍କିତ ଏସ୍‌ଓପି ପ୍ରସ୍ତୁତ ହେବ। ଏସ୍‌ଓପିକୁ ସରକାରଙ୍କ ଅନୁମତି ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ମୁଖ୍ୟ ପ୍ରଶାସକ ଏ ଦିଗରେ ପଦକ୍ଷେପ ନେବେ। ଏସ୍‌ଓପି ଘୋଷଣା ପରେ ଆଜିର ବିବରଣୀ ଅନୁସାରେ ପଦକ୍ଷେପ ନିଆଯିବ। ଆଶା କରୁଛୁ, ଆସନ୍ତା ୯ ତାରିଖରେ ଏହି ଏସ୍‌ଓପି ଆମର ହସ୍ତଗତ ହୋଇଯିବ। ଦ୍ବିତୀୟ କଥା ହେଉଛି, ରତ୍ନଭଣ୍ଡାର ଖୋଲିଲେ, ଏଥିରେ ଥିବା ଅଳଙ୍କାରର ଗଣତି ଓ ମଣତି ସହ ମରାମତି ସଂକ୍ରାନ୍ତରେ ଏସ୍‌ଓପି ଜାରି କରାଯିବ। ସରକାରଙ୍କୁ ତୁରନ୍ତ ମରାମତି ପାଇଁ ପ୍ରସ୍ତାବ ଦିଆଯିବ। ଯେହେତୁ ଅଳଙ୍କାର ରଖି ମରାମତି କରିବା ସମ୍ଭବପର ନୁହେଁ, ଅଳଙ୍କାରକୁ ଶ୍ରୀମନ୍ଦିର ଭିତରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିବ। ରତ୍ନଭଣ୍ଡାରରେ ଦୈନନ୍ଦିନ ବ୍ୟବହାର ଅଳଙ୍କାର ବି ରହିଛି। ଏଣୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ କରି ଅଳଙ୍କାର କେଉଁଠି ସୁରକ୍ଷିତ ରହିପାରିବ, ତାର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରିବ, ସେ ଉପରେ ବିଧିବଦ୍ଧ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ସଂକ୍ରାନ୍ତ ଏସ୍‌ଓପି ବି କମିଟି ଜାରି କରିବ। ଅଲଗା ଜାଗାକୁ ନେବା ସଙ୍ଗେ ସଙ୍ଗେ ତାର କିପରି ଗଣତି ଓ ମଣତି ହେବ, ସେ ନେଇ ପଦକ୍ଷେପ ନିଆଯିବ। ଯେହେତୁ ଆମେ ବସି ଗଣତି ଓ ମଣତି କରିବା ସମ୍ଭବପର ନୁହେଁ, ସେ ଦୃଷ୍ଟିରୁ ଗହଣା ଚିହ୍ନା ଲୋକଙ୍କୁ ଆଣି ଏହା କରିବାକୁ ପଡ଼ିବ।

ଓଜନ ସଙ୍ଗେ ସଙ୍ଗେ ଏହାର ମାନ ପରଖାଯିବ। ସେ ସଂକ୍ରାନ୍ତରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବ ଓ ଆବଶ୍ୟକ ପଦକ୍ଷେପ ନେବ। ଏକ ସବ୍‌କମିଟି ଗଠନ କରି ଏହି ବ୍ୟବସ୍ଥା କରିବ। ୧୯୭୮ ମସିହାରେ ମାଡ୍ରାସ ଆଦି ସ୍ଥାନରୁ ଲୋକେ ଆସି ଗଣତି କରିଥିଲେ। ଯେହେତୁ ଏତେ ଦିନ ତଳେ ଗଣତି ଓ ମଣତି ହୋଇଥିଲା, ଏବେ ଜାଣିବା ଓ ଚିହ୍ନିବା କଷ୍ଟକର। ଜଷ୍ଟିସ ରଥ କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚ କମିଟି ଦାୟିତ୍ବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତିର ତଦାରଖ କରିବା। ଏଣୁ ଗଣତି ଓ ମଣତି କିଏ କରିବେ, ଆମେ କେବଳ ପ୍ରସ୍ତାବ ଦେଇପାରିବୁ, ନିଷ୍ପତ୍ତି ନେଇ ପାରିବୁନି। ଆମେ ଆଶା ରଖିଛୁ, ତିନି ଠାକୁର ଚଳିତ ରଥଯାତ୍ରା ସାରି ଶ୍ରୀମନ୍ଦିରକୁ ଆସିବା ପୂର୍ବରୁ ଅଳଙ୍କାର ସ୍ଥାନାନ୍ତର ଓ ମରାମତି କାମ ସାରିବାକୁ। ନୀତିକାନ୍ତି ହେଉଛି ଆମର ପ୍ରାଥମିକତା ଓ ଭକ୍ତଙ୍କ ଦର୍ଶନ ଦ୍ବିତୀୟ। ଗତଥର ବହୁ ସମୟ ଗଣତି ପାଇଁ ଲାଗିଥିଲା। ଏବେ ବୈଷୟିକ ଜ୍ଞାନକୌଶଳ ଆସିଲାଣି। କେତେ ଶୀଘ୍ର ଗଣତି ଓ ମଣତି କାମ ସରିବ, ସେ ଦିଗରେ ଦୃଷ୍ଟି ଦେଉଛୁ। ନୀତିକାନ୍ତିରେ ବିଘ୍ନ ନ ଘଟାଇ ଓ ଦର୍ଶନ ବନ୍ଦ ନ କରି ଯେଭଳି ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ମଣତି ସହ ମରାମତି କାମ ଶେଷ ହେବ, ସେ ଉପରେ ଗୁରୁତ୍ବ ଦିଆଯିବ। ୯ ତାରିଖ ସକାଳ ୧୦ଟାରେ କମିଟିର ଆଗାମୀ ବୈଠକ ବସିବ ବୋଲି ଜଷ୍ଟିସ ରଥ କହିଛନ୍ତି। ସେ କହିଛନ୍ତି, ମୁଁ ଶ୍ରୀମନ୍ଦିର ସହ ବହୁଦିନରୁ ଜଡ଼ିତ ଅଛି। ମୋ ବାପା ଶ୍ରୀମନ୍ଦିରର ଓକିଲ ଥିଲେ। ମୁଁ ବି ଶ୍ରୀମନ୍ଦିରର ଓକିଲ ଥିଲି। କମିଟି ଉପଯୁକ୍ତ ସମୟ ଭିତରେ ଗଣତି ଓ ମଣତି କାମ ସାରିବ ବୋଲି ସେ କହିଛନ୍ତି।