ବିଜେଡିକୁ ଢଳୁଛନ୍ତି ବିରୋଧୀ; ଯୋଗେଶ, ପ୍ରଫୁଲ୍ଲଙ୍କ ପରେ ଏବେ ଅନେକଙ୍କ ନାମ

ଏପଟେ ଲୋକସଭା, ବିଧାନସଭାରେ ବିଜେଡି ଦୁର୍ବଳ

ସୁନ୍ଦରଗଡ଼ : ୨୦୧୯ ସାଧାରଣ ନିର୍ବାଚନର କିଛିମାସ ପୂର୍ବରୁ ପୂର୍ବତନ କଂଗ୍ରେସ ବିଧାୟକ ଯୋଗେଶ ସିଂ ବିଜେଡିରେ ସାମିଲ ହୋଇ ଶଙ୍ଗ ଚିହ୍ନରେ ନିର୍ବାଚନ ଲଢ଼ିଥିଲେ। ୨୦୧୯ ନିର୍ବାଚନରେ ଏକ ନାଟକୀୟ ଘଟଣାକ୍ରମେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇ ନିର୍ବାଚନକୁ ଓହ୍ଲାଇଥିବା କୁସୁମ ଟେଟେଙ୍କଠାରୁ ଯୋଗେଶ ପରାଜିତ ହୋଇଥିଲେ। ତାଙ୍କ ପ‌ରେ ପଞ୍ଚାୟତ ନିର୍ବାଚନ ସମୟରେ ତଳସରା ବିଧାନସଭାର ଅନ୍ୟ ଜଣେ ପୂର୍ବତନ କଂଗ୍ରେସ ବିଧାୟକ ଡ. ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗଦେଇଥିଲେ। ପଞ୍ଚାୟତ ନିର୍ବାଚନରେ ତଳସରା କ୍ଷେତ୍ରରେ ତାଙ୍କ ଭୂମିକା ବିବାଦୀୟ ହୋଇ ପଡ଼ିଥିବା ବେଳେ ଏ ଯାଏ ଦଳ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଚେହେରା ଭାବେ ଉପସ୍ଥାପିତ କରିନାହିଁ। ତେବେ, ଯୋଗେଶ ଓ ପ୍ରଫୁଲ୍ଲଙ୍କ ପରେ ବିରୋଧୀ ବିଜେପି ଓ କଂଗ୍ରେସର ଅନେକ ଚେହେରା ବିଜେଡିରେ ସାମିଲ ହେବାକୁ ପାଦ ବଢ଼ାଇଥିବା ଚର୍ଚ୍ଚାହେଉଛି। ସେଥିମଧ୍ୟରେ ବି‌ଜେପିର ୨ ଜଣ, କଂଗ୍ରେସର ଜଣେ ଓ ଅନ୍ୟଜଣେ ଚର୍ଚ୍ଚିତ ଆଦିବାସୀ ନେତାଙ୍କ ନାମ ଶୁଣିବାକୁ ମିଳୁଛି। ଆଦିବାସୀ ନେତାଜଣକ ତାଙ୍କ ସହ ପୁଅକୁ ମଧ୍ୟ ଥଇଥାନ କରିବାକୁ ଚାହୁଥିବା ସୂଚନା ମିଳିଛି। କେବଳ ବିଜେଡି ମୁଖିଆଙ୍କ ସବୁଜସଂକେତକୁ ଅପେକ୍ଷା କରିଥିବା କୁହାଯାଉଛି।

ହେଲେ ବିଜେଡି ଯିବାକୁ କାହିଁକି ଏ ନେତାମାନେ ମନ ବଳାଇଛନ୍ତି ତାକୁ ନେଇ ଭିନ୍ନଚର୍ଚ୍ଚା ଆରମ୍ଭ ହୋଇଯାଇଛି। କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ କଂଗ୍ରେସ ନେତା ଦଳ ଛାଡ଼ି ବିଜେଡି ଯିବାକୁ ସ୍ଥିର କରିଥିବା ଆଲୋଚନା ହେଉଛି। ସେହିପରି ଗତ ସାଧାରଣ ନିର୍ବାଜନରେ ବିଜେପି ଲୋକସଭା ସହ ୩ଟି ବିଧ‌ାନସଭା ଦଖଲ କରିଥିବା ସତ୍ତ୍ବେ ଗତ ପଞ୍ଚାୟତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ୨ ନେତାଙ୍କୁ ଚିନ୍ତାରେ ପକାଇଛି। ଦଳର ଲୋକପ୍ରିୟତା ହ୍ରାସପାଇବା ପଛରେ ଦଳର ମଙ୍ଗୁଆଳଙ୍କ ଅପାରଗତାକୁ ଦାୟୀ କରାଯାଇଛି। ଦଳର ମୁଖିଆମାନେ ହାତ ଟେକି ଦେଇଥିବବେଳେ ପଞ୍ଚାୟତ ପ୍ରାର୍ଥୀମାନଙ୍କୁ ମୈଦାନରେ ଏକପ୍ରକାର ଏକା ଛାଡ଼ି ଦିଆଯାଇଥିଲା। ବିଶେଷକରି, ଦଳର ସାଂସଦ ଅନେକଥର କେନ୍ଦ୍ରମନ୍ତ୍ରୀ ହେବାପରେ ମଧ୍ୟ ଜିଲ୍ଲାରେ କୌଣସି ଆଖିଦୃଶିଆ କାମ ନ କରିବା, ତୃଣମୂଳସ୍ତରରେ ଦଳୀୟକର୍ମୀଙ୍କୁ ଉପେକ୍ଷା ତଥା ନିର୍ବାଚନରେ ଯୋଜନାବଦ୍ଧ ଭାବେ ନ ଲଢ଼ିବା ଦଳ ପାଇଁ ମହଙ୍ଗା ପଡ଼ିଥିବା ଆଲୋଚନା ହେଉଛି। ଆଗକୁ ମଧ୍ୟ ଏ ସ୍ଥିତି ଜାରି ରହିଲେ, ସେମାନଙ୍କ ନିର୍ବାଚନ ଜିତିବା କଠିନ ହୋଇଯିବ ବୋଲି ବିରୋଧୀ ନେତାମାନେ ଆଶଙ୍କା କରୁଛନ୍ତି। ଅନ୍ୟପଟେ ବିରୋଧୀ ଅପେକ୍ଷା ଶାସକଦଳରେ ରହିଲେ ବିକାଶମୂଳକ କାମ କରିବା ଅତି ସହଜ ହେବ ମନେକରି ଏହି ନେତାମାନେ ବିଜେଡିକୁ ଯିବାକୁ ମନ ବଳାଇଥିବା ଚର୍ଚ୍ଚା ହେଉଛି। ତେବେ ଚର୍ଚ୍ଚାରେ ଥିବା ଏହି ୪ ନେତା ବିଜେଡିରେ କେବେ ସାମିଲ ହେବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।

ଅନ୍ୟପଟେ, ରାଜ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରଚଣ୍ଡ ହାୱା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାକୁ ଏଯାଏଁ ପହଞ୍ଚି ପାରିନାହିଁ। ବିଗତ ଦିନର ସାଧାରଣ ନିର୍ବାଚନଗୁଡ଼ିକରେ ବିଜେଡିର ପ୍ରଦର୍ଶନ ଅତି ନୈରାଶ୍ୟଜନକ ଥିବା ବେଳେ ନବୀନ ସୁନ୍ଦରଗଡ଼ବାସୀଙ୍କ ମନ ଜିଣିବାରେ ସକ୍ଷମ ହୋଇପାରି ନଥିବା ଚର୍ଚ୍ଚା ହେଉଛି। ୫ଟି ନିର୍ବାଚନକୁ ସାମ୍ନା କରିଥିବା ଦଳ ଏ ଯାଏ ସୁନ୍ଦରଗଡ଼ ଲୋକସଭାରେ ଖାତା ଖୋଲିପାରିନାହିଁ। ସେହିପରି ବିଧାନସଭା ନିର୍ବାଚନରେ ମଧ୍ୟ ଦଳର ସ୍ଥିତି ଅତ୍ୟନ୍ତ ଦୁର୍ବଳ ରହିଛି। ଏ ଯାଏ ଅନୁଷ୍ଠିତ ନିର୍ବାଚନରେ ୭ଟି ବିଧାନସଭାରୁ ବିଜେଡି ୨ରୁ ୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଭଳି ସ୍ଥିତିରେ ଜିଲ୍ଲାରେ ଦଳକୁ ଆହୁରି ମଜଭୁତ୍‌ କରିବାପାଇଁ ବିଜେଡି ଅନ୍ୟଦଳର ନେତାଙ୍କୁ ଆପଣାଇବା ପ‌ାଇଁ ଅପେକ୍ଷାରେ ଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର