ଭୁବନେଶ୍ବର: ଡାକ୍ତର ନାହାନ୍ତି। ଆବଶ୍ୟକ କର୍ମଚାରୀ ବି ଅଭାବ। ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଯଥେଷ୍ଟ ନୁହେଁ। ମେଡିକାଲ କଲେଜ ଖୋଲାଚାଲିଛି, କିନ୍ତୁ ପ୍ରଫେସର ନାହାନ୍ତି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ଥିତି ଆହୁରି ସଙ୍ଗୀନ୍। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌ରେ ବିଭିନ୍ନ ପରୀକ୍ଷା ପାଇଁ ଆନୁଷଙ୍ଗିକ ସରଞ୍ଜାମ ନାହିଁ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାର ଠିକ୍ ସମୟରେ ଦେୟ ଦେଉ ନ ଥିବାରୁ ବହୁ ଘରୋଇ ହସ୍ପିଟାଲ୍ ଚିକିତ୍ସା କରିବାକୁ ମନା କରୁଛନ୍ତି। ଆଜି ବିଧାନସଭାରେ ଏମିତି ଭାବେ ରାଜ୍ୟ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ରକୁ ଦେଖାଇଥିଲେ ବିରୋଧୀ ଦଳ ସଭ୍ୟମାନେ। ସିଧାସଳଖ ଜଣାଇଦେଇଥିଲେ ଯେ ସରକାର ପ୍ରଚାରରେ ମାତିଛନ୍ତି। କିନ୍ତୁ କ୍ଷେତ୍ର ସ୍ତରରେ ବାସ୍ତବ ସ୍ଥିତି ସମ୍ପୂର୍ଣ୍ଣ ଓଲଟା।

Advertisment

ଆଜି ବିଧାନସଭାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୨,୩୪୨ କୋଟି ୪୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଉପସ୍ଥାପନ କରାଯାଇଥିଲା। ଆଲୋଚନା ଆରମ୍ଭ କରି ବିଜେପି ସଭ୍ୟ ମୁକେଶ ମହାଲିଙ୍ଗ କହିଥିଲେ, ସ୍ବାସ୍ଥ୍ୟ ବିଭାଗରେ ଠିକା ନିଯୁକ୍ତି ସମ୍ପୂର୍ଣ୍ଣ ବନ୍ଦ ହେଉ। ମେଡିକାଲ କଲେଜଗୁଡ଼ିକରେ ଆଇସିୟୁ ଶଯ୍ୟା ବୃଦ୍ଧି କରାଯାଉ। ରାଜ୍ୟରେ କୌଣସି ସରକାରୀ ହସ୍ପିଟାଲରେ ଆଇଭିଏଫ୍ ସେଣ୍ଟର୍ ନାହିଁ। ଭିମ୍‌ସାର୍‌ରେ ଗୋଟିଏ ଆଇଭିଏଫ୍ ସେଣ୍ଟର୍ ଖୋଲିବାର ବ୍ୟବସ୍ଥା କରାଯାଉ। ରାଜ୍ୟରେ ଆୟୁଷ୍ମାନ୍ ଯୋଜନା ତୁରନ୍ତ ଲାଗୁ କରାଯିବାର ବ୍ୟବସ୍ଥା କରାଯାଉ। ଡାକ୍ତର ବୁଧାନ ମୁର୍ମୁ ପ୍ରତି ନିର୍ବାଚନମଣ୍ଡଳୀରେ ଗୋଟିଏ ଗୋଟିଏ ସ୍ବର୍ଗରଥର ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ। ରାଜ୍ୟରେ ଏତେ ଡାକ୍ତର ଓ କର୍ମଚାରୀ ପଦବି ଖାଲି ଥିଲା ବେଳେ ସରକାର କିପରି ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଉଥିବାର ପ୍ରଚାର କରୁଛନ୍ତି ବୋଲି ନିତ୍ୟାନନ୍ଦ ଗଣ୍ଡ ପ୍ରଶ୍ନ କରିଥିଲେ। କୁସୁମ ଟେଟେ ସୁନ୍ଦରଗଡ଼ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଜିଲ୍ଲାରେ ମେଡିକାଲ କଲେଜ ଓ ଏମ୍ସ୍ ପ୍ରତିଷ୍ଠା ପାଇଁ ସେ ଦାବି କରିଥିଲେ।

କଂଗ୍ରେସ ସଭ୍ୟ ଅଧିରାଜ ମୋହନ ପାଣିଗ୍ରାହୀ କହିଲେ, ଭୁବନେଶ୍ବର ଓ ଆଖପାଖ କିଛି ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ଆଡ଼େ ଡାକ୍ତର ନାହାନ୍ତି। କେବିକେରେ ନିଯୁକ୍ତି ପାଇଁ ସରକାର ୩୦ ହଜାର ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ଦେଉଛନ୍ତି। କିନ୍ତୁ ନିଯୁକ୍ତି ହେଲା ପରେ ସେଠାରେ ଡାକ୍ତର ରହୁ ନାହାନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସରକାର ଘରୋଇ ହସ୍ପିଟାଲ୍ ପାଉଣା ଦେଉ ନଥିବାରୁ ରୋଗୀମାନେ ହଇରାଣ ହେଉଛନ୍ତି। ନୂଆପଡ଼ାରେ ୫୦%ରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଛି। ପଡ଼ୋଶୀ ରାଜ୍ୟକୁ ରୋଗୀ ନେବା ପାଇଁ ଆନ୍ତଃରାଜ୍ୟ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ। ସି ଏସ୍ ରାଜନ୍ ଏକ୍କା କହିଥିଲେ, ୮୮% ପ୍ରାଥିମକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ମହିଳା ଓ ଶିଶୁଙ୍କୁ ସରକାର ଫୋକସ୍‌ରେ ରଖିଛନ୍ତି ବୋଲି ପ୍ରଚାର କରୁଥିଲେ ବି ସେମାନଙ୍କ ସ୍ବାସ୍ଥ୍ୟ ସ୍ଥିତି ଚିନ୍ତାଜନକ। ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ୍‌+ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ସେଠାରେ ୬ଟି ବିଭାଗରେ ପ୍ରଫେସର ନାହାନ୍ତି। କେବଳ ପୁରସ୍କାର ଗୋଟାଇଲେ ହେବ ନାହିଁ, ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାକୁ ବାସ୍ତବ ଉଦ୍ୟମ କରାଯାଉ। ମହମ୍ମଦ ମୋକିମ୍ କହିଥିଲେ ଯେ କଟକ ହେଉଛି ରାଜ୍ୟ ଚିକିତ୍ସା ରାଜଧାନୀ। ଏସ୍‌ସିବିକୁ ବିଶ୍ବସ୍ତରୀୟ ହସ୍ପିଟାଲ୍ କରିବାର ସ୍ବପ୍ନ ଦେଖାଉଥିଲେ ମଧ୍ୟ ସେଠାରେ ଯଥେଷ୍ଟ ଡାକ୍ତର ନାହାନ୍ତି। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌ରେ ସର୍ବନିମ୍ନ ଭିତ୍ତିଭୂମି ନାହିଁ।

ଶାସକ ଦଳ ସଭ୍ୟମାନେ ଯୁକ୍ତି କରିଥିଲେ ଯେ କୋଭିଡ୍ ସମୟରେ ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଠିକ୍ ଭାବେ ପରିଚାଳନା କରିଥିଲେ। ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ଓଡ଼ିଶା ଉଚ୍ଚ ପ୍ରଶଂସିତ ହୋଇଛି। ଏବେ ସବୁ ସରକାରୀ ହସ୍ପିଟାଲ୍‌ରେ ଯଥେଷ୍ଟ ଔଷଧ ମହଜୁଦ୍ ରହିଛି। ସ୍ବାସ୍ଥ୍ୟ ବିଭାଗର ବଜେଟ୍ ବି ବଢ଼ିଛି। ଶାସକ ଦଳ ପକ୍ଷରୁ ଅମର ଶତପଥୀ, ଡାକ୍ତର ନୃସିଂହ ସାହୁ, ସ୍ନେହାଙ୍ଗିନୀ ଛୁରିଆ, ଦିବ୍ୟଶଙ୍କର ମିଶ୍ର, ଡାକ୍ତର ପ୍ରମୋଦ ମଲ୍ଲିକ, ଦେବେଶ ଆଚାର୍ଯ୍ୟ, ମିନାକ୍ଷୀ ମହନ୍ତ ଓ ମୌଷଧୀ ବାଗ୍ ଆଲୋଚନାରେ ଭାଗ ନେଇଥିଲେ। ସ୍ବାଧୀନ ସଭ୍ୟ ମକରନ୍ଦ ମୁଦୁଲି ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଆଲୋଚନାର ଉତ୍ତର ରଖି ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ରାଜ୍ୟରେ ସ୍ବାସ୍ଥ୍ୟସେବାର ଏକ ଗୋଲାପି ଚିତ୍ର ଉପସ୍ଥାପନ କରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟରେ ସ୍ବାସ୍ଥ୍ୟସେବା ଠିକ୍ ଚାଲିଛି। ଗରିବ ଲୋକ ସୁବିଧା ପାଉଛନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି। ଟିକାକରଣ, ଯକ୍ଷ୍ମା ଓ ମ୍ୟାଲେରିଆ ନିୟନ୍ତ୍ରଣରେ ଓଡ଼ିଶା ବହୁ ଆଗରେ ରହିଛି। କୋଭିଡ୍-୧୯ରେ ମାଗଣା ଚିକିତ୍ସା ଯୋଗାଇ ଓଡ଼ିଶା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ବରଗଡ଼ରେ କ୍ୟାନ୍‌ସର ହସ୍ପିଟାଲ୍ ଖୋଲିଛନ୍ତି। ଝାରସୁଗୁଡ଼ାରେ ଏକ ମେଡିକାଲ କଲେଜ ଖୋଲିବା ପାଇଁ ଆଧ୍ୟାତ୍ମିକ ଗୁରୁ ରବିଶଙ୍କର ପ୍ରସ୍ତାବ ଦେଇଛନ୍ତି। ଏସ୍‌ସିବି ମେଡିକାଲ କଲେଜରେ ୪୦୦୦ ଶଯ୍ୟା ପାଇଁ ବ୍ୟବସ୍ଥା କରାଯାଉଛି। ସବୁ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ୍‌କୁ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ପାଇଁ ସ୍ବତନ୍ତ୍ର ଫିଡର୍ ବ୍ୟବସ୍ଥା କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ୧୬ଟି ଉପଯୋଜନା କାର୍ଯ୍ୟକାରୀ କରାଯାଉଛି। ରୋଗୀମାନଙ୍କୁ ସରକାରୀ ହସ୍ପିଟାଲ୍‌‌ରେ ବିନା ମୂଲ୍ୟରେ ଔଷଧ ବିତରଣ, ଆମ୍ବୁଲାନ୍ସ ସେବା, ରୋଗ ନିରୂପଣ, ରକ୍ତ ଯୋଗାଣ, କର୍କଟ ରୋଗର ସେବା ଓ କେମୋଥେରାପି ଇତ୍ୟାଦି ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ଯୋଜନା ମାଧ୍ୟମରେ ହସ୍ପିଟାଲ୍‌ଗୁଡ଼ିକରେ ଭିତ୍ତିଭୂମିର ଉନ୍ନତୀକରଣ, ଏସ୍‌ସିବି ମେଡିକାଲ କଲେଜର ସମ୍ପ୍ରସାରଣ ଏବଂ ପବ୍ଲିକ୍ ହେଲ୍ଥ୍ ରେସ୍ପନ୍ସ ଫଣ୍ଡ୍ ନିମନ୍ତେ ୨୩୩୫ କୋଟି ୧୪ ଲକ୍ଷ ୭୩ ହଜାର ଟଙ୍କାର ବ୍ୟୟବରାଦ କରାଯାଇଛି। ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପାଇଁ ୧୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ଆଲୋଚନା ପରେ ଖର୍ଚ୍ଚଦାବି ପାରିତ ହୋଇଥିଲା।