ବିଧାନସଭାରେ ସରକାରଙ୍କୁ ଘେରିଲେ ବିରୋଧୀ: ରାଜ୍ୟରେ ଆଇନର ଶାସନ ଚାଲିନି

ଭୁବନେଶ୍ବର, ୨୧/୩ (ଇମିସ): ରାଜ୍ୟରେ ଆଇନର ଶାସନ ଚାଲିନି। ଜଙ୍ଗଲୀ ରାଜ୍ ଚାଲିଛି। ପ୍ରତି ବର୍ଷ ଅପରାଧ ହାର ବଢ଼ୁଛି। ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବାରେ ପୁଲିସ୍ ବିଫଳ ହୋଇଛି। ରାଜ୍ୟରେ ପୁଲିସ୍ ଆଦୌ ନିରପେକ୍ଷ ନୁହେଁ। ରାଜନୈତିକ କାମରେ ପୁଲିସକୁ ମାତ୍ରାଧିକ ବ୍ୟବହାର କରାଯାଉଛି। ଆଜି ବିଧାନସଭାରେ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କ ବିରୋଧରେ ଏମିତି ଗର୍ଜିଛନ୍ତି ବିରୋଧୀ ଦଳ। ଜବାବରେ ଶାସକ ଦଳ ପକ୍ଷରୁ କୁହାଯାଇଥିଲା, ବିରୋଧୀଙ୍କ ଅଭିଯୋଗ ମନଗଢ଼ା। ରାଜ୍ୟରେ ଆଇନର ଶାସନ ଠିକ୍ ଭାବେ ଚାଲିଥିବାରୁ ଜନତା ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରୁଛନ୍ତି। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଲେ ଯେ ଗୋଟିଏ ସରକାରର ପ୍ରଧାନ କର୍ତ୍ତବ୍ୟ ହେଲା ଧନଜୀବନର ସୁରକ୍ଷା। କିନ୍ତୁ ଏ କ୍ଷେତ୍ରରେ ରାଜ୍ୟ ପୁଲିସ ବିଫଳ ହେଉଛି। ୧ ଲକ୍ଷ ଲୋକରେ ଆମ ରାଜ୍ୟରେ ୧୩୦ ଜଣ ପୁଲିସ୍ କର୍ମଚାରୀ ଅଛନ୍ତି। କିନ୍ତୁ ଜାତୀୟ ସ୍ତରରେ ଏହି ସଂଖ୍ୟା ୧୫୬। ପଡ଼ୋଶୀ ଛତିଶଗଡ଼ରେ ବି ୧ ଲକ୍ଷ ଲୋକରେ ୨୨୧ ଜଣ
ପୁଲିସ୍ କର୍ମଚାରୀ ଅଛନ୍ତି। ପୁଲିସ୍ ବିଭାଗରେ ଖାଲି ଥିବା ପଦବି ପୂରଣ କରାଯାଉନି। ପୁଲିସ୍ ଆଧୁନିକୀକରଣ ପାଇଁ ଯଥେଷ୍ଟ ଖର୍ଚ୍ଚ ହେଉନି। ରାଜ୍ୟ ପୁଲିସ ବିଭାଗ ବିଶୃଙ୍ଖଳିତ ହୋଇପଡ଼ିଛି। କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି।

ଭିଜିଲାନ୍ସରେ ବର୍ଷ ବର୍ଷ ଧରି ମାମଲା ପଡ଼ିରହୁଛି। ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର କାରଣ ୫୦ ଦିନ ପରେ ବି ଜଣାପଡ଼ିଲା ନାହିଁ। ଅଭିଯୁକ୍ତ ଗୋପାଳକୁ ପାଗଳ କରିବା ପାଇଁ ଓଡ଼ିଶା ପୁଲିସ ଏତେ ବ୍ୟାକୁଳ କାହିଁକି? ମୃତ ବ୍ୟକ୍ତିଙ୍କୁ ଆଇସିୟୁରେ ରଖି ଅପରେସନର ନାଟକ କରାଗଲା। ପାଇଖାନାରୁ କାଗଜ ବାହାରିଲା ବୋଲି ଆଈମା’ କାହାଣୀ ବି କୁହାଗଲା। କେତେଦିନ ଭିତରେ ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହେବ, ସରକାର ସ୍ପଷ୍ଟ କରନ୍ତୁ। ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତର ରହସ୍ୟଜନକ ମୃତ୍ୟୁ ହୋଇଛି। ମାହାଙ୍ଗା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ବି ହତ୍ୟା କରିଦିଆଗଲା। ତିର୍ତୋଲ ବିଧାୟକଙ୍କ ବିରୋଧରେ ଏତଲାକୁ ପୁଲିସ ପଞ୍ଜୀକରଣ କଲାନାହିଁ। ପୁଲିସ୍ ଏବେ ରାଜନୈତିକ ଉଦ୍ଦେଶ୍ୟରେ ଏବେ ବ୍ୟବହାର ହେଉଛି। ପୁଲିସ ନିର୍ବାଚନ ବେଳେ ମଦ ଓ ଟଙ୍କା ବାଣ୍ଟୁଥିବା ବେଳେ ବିରୋଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମୋ ବିରୋଧରେ ବିଚିତ୍ର ପ୍ରକାର ମାମଲା କରାଯାଇଛି। ଏମିତିକି ଯୋଉ ଧାରା ନାହିଁ ସେହି ଧାରାରେ ମାମଲା ହୋଇଛି। ଓଡ଼ିଶା ପୁଲିସ ଦକ୍ଷ ଓ ନିରପେକ୍ଷ ହେବା ଦରକାର। ମୋତେ ପୁଲିସର ବିରୋଧୀ ବୋଲି ଚିତ୍ରଣ କରାଯାଉଛି। କିନ୍ତୁ ଏକଦା ଥାନା ଆକ୍ରମଣ ସମୟରେ ମୁଁ ପୁଲିସ ଅଫିସରଙ୍କୁ ଉଦ୍ଧାର କରିଥିଲି। ଅନେକ ନିର୍ଦ୍ଦୋଷୀଙ୍କୁ ଅପରାଧୀ ସଜାଇ ଦିଆଯାଉଛି, ଅନେକ ଜେଲ ଓଭରଲୋଡ଼ ହୋଇଯାଇଛି। ଏଥିପାଇଁ ଏକ କମିଟି କରାଯିବା ସହ ପୁଲିସର ତ୍ରୁଟି ପାଇଁ ଜେଲରେ ଥିବା କଏଦୀଙ୍କୁ ମୁକ୍ତ କରାଯିବା ଦରକାର। ସେହିପରି ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ୍ ପାଇଁ ଆନ୍ଦୋଳନ କରୁଥିବା ଆଇନଜୀବୀଙ୍କ ଉପରେ ପୁଲିସ ଅତ୍ୟାଚାର କଲା। ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ବିରୋଧରେ ୩୦୭ ଦଫା ଲଗାଯାଇଛି। ଗୋଟିଏ ସ୍ଥାନରେ ଜଣେ ଅଧିକାରୀ ଅଧିକ ଦିନ ରହିଲେ ଦୁର୍ନୀତିର ସମ୍ଭାବନା ଥାଏ। ତେଣୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବଦଳି ଓ ନିଯୁକ୍ତି ପାଇଁ ସ୍ବତନ୍ତ୍ର ନୀତି କରିବାକୁ ସେ ଦାବି କରିଥିଲେ।

ଧନଜୀବନ ସୁରକ୍ଷା ଦେବାରେ ପୁଲିସ୍ ବିଫଳ: ଜୟନାରାୟଣ
ରାଜ୍ୟରେ ପୁଲିସରାଜ୍ ଚାଲିଛି: ନରସିଂହ

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ଧନଜୀବନ ସୁରକ୍ଷା ଦେବାରେ ପୁଲିସ ବିଫଳ ହୋଇଛି। ରାଜ୍ୟରେ ଆଇନର ଶାସନ ନାହିଁ, ପୁଲିସ ନିରପେକ୍ଷ ନୁହେଁ। ଓଡ଼ିଶାରେ ଏବେ ପୁଲିସ ରାଜ ଚାଲିଛି। ଦଣ୍ଡବିଧାନ ହାରରେ ଓଡ଼ିଶା ଦେଶରେ ତଳଆଡ଼ୁ ଦୁଇ ନମ୍ବର। ତଦନ୍ତ ଓ ଆଇନଶୃଙ୍ଖଳାକୁ ଅଲଗା କରାଗଲେ ହିଁ ଦଣ୍ଡବିଧାନ ହାର ବଢ଼ିପାରିବ। ଏବେବି ସରକାରୀ ଓକିଲଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ନିଯୁକ୍ତ କରାଯାଉଛି। ନବ ଦାସ ହତ୍ୟାକାଣ୍ଡ ଜଙ୍ଗଲରାଜର ଜ୍ୱଳନ୍ତ ଉଦାହରଣ। ଦିନ ଦିପହରରେ ଜଣେ ପୁଲିସ ମନ୍ତ୍ରୀଙ୍କୁ ହତ୍ୟା କରିଦେଲେ। କିନ୍ତୁ ଏଯାଏ ହତ୍ୟାର ଉଦ୍ଦେଶ୍ୟ ଜଣାପଡ଼ିଲାନି। ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରିବା ପାଇଁ ସରକାର ଲାଗି ପଡ଼ିଛନ୍ତି। ତେଣୁ ସନ୍ଦେହ ଉପୁଜୁଛି। ରାଜ୍ୟରେ ପୁଲିସ କର୍ମଚାରୀଙ୍କ ଅଭାବ ରହିଛି ପ୍ରଶ୍ନ ପଚାରିଲେ ସରକାର ତଥ୍ୟ ଲୁଚାଉଛନ୍ତି। ରାଜ୍ୟରେ ହତ୍ୟା ଓ ଦୁଷ୍କର୍ମ ସାମାନ୍ୟ କମିଥିଲେ ବି ବାକି ଅପରାଧ ବଢ଼ିଛି। ପ୍ରତିବର୍ଷ ଅପରାଧ ହାର ବଢ଼ିବାରେ ଲାଗିଛି। ସରକାର ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳ ବୋଲି କହୁଛନ୍ତି। କିନ୍ତୁ ତଳଠାରୁ ଉପର ପର୍ଯ୍ୟନ୍ତ ଦୁର୍ନୀତି ମାଡ଼ିଗଲାଣି। ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି। ସବୁ ବ୍ଲକ୍‌ରେ ପିସି କାରବାର ଚାଲିଛି। ଖଣି, ପାଣି ସବୁଥିରେ ଦୁର୍ନୀତି। ଶିଳ୍ପ ସଂସ୍ଥାମାନଙ୍କ ଉପରେ ୫ ହଜାର କୋଟି ଟଙ୍କାର ଜଳକର ବାକି ରହିଛି। ଧାନ କିଣାରେ ବି ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ବିରୋଧୀ ଦଳ ବିରୋଧରେ ମିଛ ଅଭିଯୋଗ ଅଣାଯାଉଛି ବୋଲି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ।

ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ମହିଳା ଅପରାଧରେ ଓଡ଼ିଶା ଦେଶରେ ତୃତୀୟ। ପ୍ରତି ୧ଲକ୍ଷ ମହିଳାରେ ୧୩୭.୮ ଜଣ ମହିଳା ଅପରାଧର ଶିକାର ହେଉଛନ୍ତି। ପ୍ରତିଦିନ ହାରାହାରି ୫୦୦ଟି ଅପରାଧ ଘଟୁଛି। ୨୦୨୧ରେ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ପୁରସ୍କାର ମିଳିଲା, କିନ୍ତୁ ରାଜ୍ୟରେ ଅପରାଧ ବଢ଼ିଗଲା।ନବଦାସ ହତ୍ୟାକଣ୍ଡରେ ଗୋପାଳ ଦାସ ଏକମାତ୍ର ହତ୍ୟାକାରୀ ନା ଆଉ କିଏ ଅଛନ୍ତି ତାହା କାହିଁକି ସରକାର ସ୍ପଷ୍ଟ କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଜିରୋ ଟଲରାନ୍ସ କଥା କହୁଥିଲେ। କିନ୍ତୁ ବିଜେପି ସହ ମେଣ୍ଟ ଭାଙ୍ଗିବା ଦିନ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଚରିତ୍ର ବଦଳିଯାଇଛି। ବିଜେପି ପକ୍ଷରୁ ନବକିଶୋର ମାଝୀ, ସନାତନ ବିଜୁଳି, କୁସୁମ ଟେଟେ, ଗଣେଶ ରାମ ସିଂହ ଖୁଣ୍ଟିଆ, ଶଙ୍କର ଓରାମ, ସୁବାସ ପାଣିଗ୍ରାହୀ ଓ ସୂରଜ ସୂର୍ଯ୍ୟବଂଶୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ପୁଲିସ ବିଭାଗରେ ୧୪ହଜାର ପଦବି ଖାଲି ପଡ଼ିଛି। ଆଧୁନିକୀକରଣ ହେଉନି। ଭୁବନେଶ୍ବରରେ ଏକ ଠକ ଦମ୍ପତି ୧୨ରୁ ୧୫କୋଟି ଠକି ନେଇଥିଲେ ହେଁ ସେମାନେ ଜଣେ ପୁଲିସ ଅଧିକାରୀଙ୍କ ସମ୍ପର୍କୀୟ ବୋଲି ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି। ଏହା କି ପ୍ରକାରର ପୁଲିସ ବ୍ୟବସ୍ଥା। ମହମ୍ମଦ ମୋକିମ୍ କହିଥିଲେ ଯେ ଅପରାଧ କଥା ଉଠିଲେ ଶାସକ ଦଳ ଓଡ଼ିଶାକୁ ଉତ୍ତର ପ୍ରଦେଶ ସହ ତୁଳନା କରୁଛନ୍ତି। କିନ୍ତୁ ‌ଉତ୍ତରପ୍ରଦେଶର ଲୋକ ସଂଖ୍ୟା ଓଡ଼ିଶାର ଚାରିଗୁଣା ହୋଇଥିବା ବେଳେ ଆମର ଅପରାଧ ହାର ଦେଖିଲେ ତାଙ୍କ ଠାରୁ ଅଧିକ ତାହା ଜାଣିପାରୁନାହାନ୍ତି। ସାଇବର ଅପରାଧ ଦେଶରେ ୩.୯% ଥିବାବେଳେ ଓଡ଼ିଶାରେ ୧୩.୫% ରେ ପହଞ୍ଚିଲାଣି। ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଶାସକ ଦଳ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଲେ, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅପରାଧ ହାର କମ୍ ରହିଛି। ନକ୍ସଲ ଉପଦ୍ରବକୁ ନିୟନ୍ତ୍ରଣ କରିବାରେ ପୁଲିସ ସଫଳ ହୋଇଛି। କ୍ରାଇମବ୍ରାଞ୍ଚ୍ ଓ ପୁଲିସ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରୁଛି। ଦଣ୍ଡବିଧାନ ହାର ବଢ଼ିଛି। ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ନେଇ ଓଡ଼ିଶା ଜାତୟ ସ୍ତରରେ ଉଦାହରଣ ସୃଷ୍ଟି କରିଛି। ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ ହୋଇଥିବାରୁ ଶିଳ୍ପ ପାଇଁ ପୁଞ୍ଜିନିବେଶ ବଢ଼ୁଛି। ନବ ଦାସଙ୍କ ହତ୍ୟା ମାମଲାରେ କାହାକୁ ପାଗଳ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନି। ଯଦି କାହା ପାଖରେ କିଛି ତଥ୍ୟ ଅଛି, ତେବେ କ୍ରାଇମ୍ବ୍ରାଞ୍ଚ୍କୁ ଦିଅନ୍ତୁ। ବିରୋଧୀ କେବଳ ମିଛ କାହାଣୀ ବଖାଣୁଛନ୍ତି। ଅମର ଶତପଥୀ କହିଲେ, ଜଣେ ପୁଲିସ୍‌ ଏଏସ୍‌ଆଇ ଭୁଲ୍‌ କଲା ବୋଲି ସବୁ ପୁଲିସ୍‌ କାହିଁକି ଅପବାଦ ମୁଣ୍ଡାଇବେ। ପୁଲିସକୁ ବଦନାମ କରିବାକୁ ଅପଚେଷ୍ଟା ହେଉଛି। ଅରୁଣ ସାହୁ କହିଲେ, ଦେଶରେ ଗଣତାନ୍ତ୍ରିକ ଆତଙ୍କବାଦ ଚାଲିଛି। କିନ୍ତୁ ଓଡ଼ିଶାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି। ଶାସକ ଦଳ ପକ୍ଷରୁ ବ୍ୟୋମକେଶ ରାୟ, ଲତିକା ପ୍ରଧାନ, ରମେଶ ଚନ୍ଦ୍ର ବେହେରା ଓ ମିନାକ୍ଷୀ ମହନ୍ତ ଆଲୋଚନାରେ ଭାଗ ନେଇଥିଲେ।

 

ସମ୍ବନ୍ଧିତ ଖବର