ସବୁଠି ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ସରକାରଙ୍କୁ ଟାର୍ଗେଟ୍‌ କରି ଗର୍ଜିଲେ ବିରୋଧୀ

ରାଜ୍ୟରେ ଆଇନର ଶାସନ ଚାଲିନି: ନରସିଂହ
ସରକାରଙ୍କୁ ସୁହାଇଲା ପରି ପୁଲିସ କାର୍ଯ୍ୟ କରୁଛି: ବିଷ୍ଣୁ
ଅପରାଧ ପ୍ରତି ମୁଖ୍ୟମନ୍ତ୍ରୀ ଶୂନ୍ୟ ସହନଶୀଳ: ଶାସକ
ଆଲୋଚନା ବେଳେ ପ୍ରତାପଙ୍କୁ ବିରୋଧ କଲେ ମୋହନ

ଭୁବନେଶ୍ୱର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ନାହିଁ। ରାଜଧାନୀରୁ ପଲ୍ଲୀ ଯାଏ ସ୍ଥିତି ବିଗିଡ଼ିଗଲାଣି। ଅପରାଧୀଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଶାସକ ଦଳ ଇସାରାରେ ପୁଲିସ କାର୍ଯ୍ୟ କରୁଛି। ଶ୍ବେତପତ୍ରରେ ଅପରାଧର ସ୍ଥିତିକୁ ଚପାଇ ଦିଆଯାଇଛି। ବୁଧବାର ଦିନ ବିଧାନସଭାରେ ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଦଳର ସଭ୍ୟମାନେ ସରକାରଙ୍କୁ ଏମିତି ଢଙ୍ଗରେ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ କ୍ଷମତାସୀନ ବିଜେଡି ବିଧାୟକମାନେ ଯୁକ୍ତି କରିଛନ୍ତି ଯେ ରାଜ୍ୟରେ ଆଇନଶୃଙ୍ଖଳା ଠିକ ଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ଲୋକଙ୍କ ଆସ୍ଥା ବଢ଼ିଛି।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଲେ, ରାଜଧାନୀରୁ ଘଷିପୁରାର ପଲ୍ଲୀ ପର୍ଯ୍ୟନ୍ତ ଆଇନଶୃଙ୍ଖଳା ପରିସ୍ଥିତି ଠିକ ନାହିଁ। ବୀରମିତ୍ରପୁର କାରାଗାର ମୃତ୍ୟୁର କାରଣ ଏ ଯାଏ ଜଣାପଡ଼ିନି। ଏଠି ମହିଳା ସୁରକ୍ଷିତ ନୁହନ୍ତି। ଅପରାଧକୁ ଦମନ କରିବା ପାଇଁ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ। ସେଥିପାଇଁ ଅପରାଧିକ ମାମଲା ବଢ଼ିଚାଲିଛି। ରାଜ୍ୟସାରା ନିଶା କାରବାର ବ୍ୟାପିଗଲାଣି। ନିକଟରେ ଢେଙ୍କାନାଳରେ ବିଜେପି ନେତ୍ରୀ ଜୟନ୍ତୀ ପାତ୍ରଙ୍କ ଘରେ ଏକାଧିକ ବାର ଆକ୍ରମଣ ହୋଇଥିଲା। ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରେ ବୋମାମାଡ଼ ହୋଇଥିଲା। ଓଡ଼ିଶାରୁ ବାଂଲାଦେଶ ଗୋଚାଲାଣ ହେଉଛି। ସରକାର ଏହାକୁ ରୋକିପାରୁ ନାହାନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିଲା ବେଳେ ପୁଲିସ କେବଳ ସରକାରଙ୍କୁ ସୁହାଇଲା ପରି କାର୍ଯ୍ୟ କରୁଛି।

The New Indian Express

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ରାଜ୍ୟରେ ଆଇନର ଶାସନ ଚାଲିନି। ଜଙ୍ଗଲ ରାଜ୍‌ ଚାଲିଛି। ଯିଏ ଯାହା ପାରୁଛି କରୁଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନ ତାହାର ଉଦାହରଣ। ନିର୍ବାଚନରେ ଜିତିବା ପାଇଁ ଗୁଣ୍ଡାମାନଙ୍କୁ ଶାସକ ଦଳ ଲଗାଇଥିଲା। ପୁଲିସ ଅଫିସରମାନେ ସିଧାସଳଖ ଭୋଟରଙ୍କୁ ଲାଞ୍ଚ ଦେବା ପାଇଁ ନିୟୋଜିତ ହୋଇଥିଲେ। ବଲାଙ୍ଗୀର ପୌରପାଳିକାର ୭ ନମ୍ବର ୱାର୍ଡରେ ଏମିତି ଘଟଣା ଘଟିଥିଲା। ବ୍ରଜରାଜନଗର ଉପନିର୍ବାଚନ ବେଳେ ଏମିତି ଘଟିଥିବାର ଦେଖିବାକୁ ମିଳିଥିଲା। ନିର୍ବାଚନରେ କେମିତି ଅର୍ଥବଳ ଓ ବାହୁବଳର ବ୍ୟାପକ ବ୍ୟବହାର ହୁଏ, ତାହାର ଉଦାହରଣ ବିଜେଡି ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଥର ନିର୍ବାଚନ ଜିତିସାରିଲେଣି। ତାହା ପରେ ବି ନିର୍ବାଚନ ଜିତିବାକୁ କାହିଁକି ପୁଲିସ ବଳ ଓ ଅପରାଧୀଙ୍କୁ ନିୟୋଜିତ କରୁଛନ୍ତି? ସରକାର ଗୃହରେ ଯେଉଁ ଶ୍ବେତପତ୍ର ଜାରି କରିଛନ୍ତି, ସେଥିରେ ରାଜ୍ୟର ଅପରାଧ ସ୍ଥିତିକୁ ଚପାଇ ଦିଆଯାଇଛି। ଶ୍ରୀ ମିଶ୍ର କହିଲେ, ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀଙ୍କୁ ସମର୍ଥନ କରି ମୁଖ୍ୟମନ୍ତ୍ରୀ ଏମିତି ବାର୍ତ୍ତା ଦେଉଛନ୍ତି ଯେମିତି ଆଦିବାସୀଙ୍କ ବିକାଶ ପାଇଁ ସେ ବହୁତ ତତ୍ପର। କିନ୍ତୁ ବାସ୍ତବରେ ଏ ସରକାର ଆଦିବାସୀଙ୍କ ବିକାଶ ପାଇଁ ଆଗ୍ରହୀ ନୁହେଁ। ସାନ୍ତାଳୀ ଭାଷା ଏକ ଆଦିବାସୀ ଭାଷା। ଏହାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରାଯାଇଛି। ଓଡ଼ିଶାରେ ଏହାକୁ ଦ୍ବିତୀୟ ସରକାରୀ ଭାଷାର ମାନ୍ୟତା ଦେବାକୁ ଆଦିବାସୀମାନେ ବହୁ ଦିନ ହେଲା ଦାବି କରିଆସୁଛନ୍ତି। କିନ୍ତୁ ସରକାର କିଛି ପଦକ୍ଷେପ ନେଲେ ନାହିଁ। ସାନ୍ତାଳୀ ଭା‌ଷାର ବିକାଶ ପାଇଁ କିଛି କରୁନାହାନ୍ତି। ଆଦିବାସୀଙ୍କ ବିକାଶ ନାଁରେ ସରକାର କେବଳ ରାଜନୀତି କରୁଛନ୍ତି। ପୁଲିସ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ନାଁରେ କେତେ ଭିଜିଲାନ୍ସ ମାମଲା ହେଉଛି, ତାହାର ତଥ୍ୟ ମାଗିଲେ ମିଳୁ ନାହିଁ। କୋଟି କୋଟି ଟଙ୍କାର ଖଣି ଦୁର୍ନୀତିରେ ଭିଜିଲାନ୍ସ ମାମଲା ହେଉନି।

ବିଜେପି ସଭ୍ୟ ସନାତନ ବିଜୁଳି କହିଥିଲେ ଯେ ମହିଳାମାନେ ସୁରକ୍ଷିତ ନାହାନ୍ତି। ମୁକେଶ ମହାଲିଙ୍ଗ କହିଥିଲେ, ସାଧାରଣ ପ୍ରଶାସନ ବିଭାଗରେ ଓଏସ୍‌ଡି ନିଯୁକ୍ତି ବନ୍ଦ କରାଯାଉ। ଅବସର ପରେ ଓଏସ୍‌ଡି ନିଯୁକ୍ତି ପ୍ରକ୍ରିୟା ଭୁଲ୍‌ ଉଦାହରଣ ସୃଷ୍ଟି କରୁଛି। କୁସୁମ ଟେଟେ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାରଙ୍କୁ ସମାଲୋଚନା କରିଥିଲେ।

କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ ରାଜ୍ୟରେ ନାରୀ ନିର୍ଯାତନା ବଢ଼ୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଭୁବନେଶ୍ବରରେ ଗରିବ ଲୋକଙ୍କୁ ନବୀନ ସରକାର ଆଦୌ ଜମି ଦେଇ ନ ଥିଲା ବେଳେ କେବଳ ଧନୀ ଲୋକଙ୍କୁ ଦେଉଛନ୍ତି। ସନ୍ତୋଷ ସିଂହ ସାଲୁଜା କହିଥିଲେ, ପୁଲିସ ବିଭାଗକୁ ସରକାର ଯଥେଷ୍ଟ କର୍ମଚାରୀ ଦିଅନ୍ତୁ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦିଆଯାଉ। ଗତ ତିନି ବର୍ଷ ୪ ମାସରେ ରାଜ୍ୟରେ ୧୫ ହଜାରରୁ ଅଧିକ ଦୁଷ୍କର୍ମ ମାମଲା ହୋଇଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ତାରା ପ୍ରସାଦ ବାହିନୀପତି କହିଲେ, ସରକାର ପୁଲିସ ବିଭାଗ ପାଇଁ କିଛି ଆଖିଦୃଶିଆ କାମ କରିନାହାନ୍ତି। ସାଧାରଣ ଥାନା ଘରଟିଏ ବି କରିବାକୁ ବହୁ ସମୟ ଲାଗୁଛି। ଉପା ସରକାର ସମୟରେ ହୋଇଥିବା ଥାନା ଆଧୁନିକୀକରଣ କାର୍ଯ୍ୟ ବନ୍ଦ ହୋଇଯାଇଛି।

Orissa Post

ଅନ୍ୟପକ୍ଷରେ ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ କହିଲେ, ଅପରାଧ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଶୂନ୍ୟ ସହନଶୀଳତା ନୀତି ଯୋଗୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଅଛି। ସେଥିପାଇଁ ପୁଞ୍ଜିନିବେଶକାରୀ ଓ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି। ଅରୁଣ ସାହୁ କହିଲେ, ସ୍ଥିର ଶାସନ ଓ ସୁଦୃଢ଼ ପ୍ରଶାସନ ଦେଇପାରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମର୍ଥନ ବଢ଼ିଚାଲିଛି। ଯେତେବେଳେ ସାଧାରଣ ଜନତା ସୁରକ୍ଷା ପାଇଥାଏ ଓ ରାଜ୍ୟରେ ଶୃଙ୍ଖଳା ଥାଏ, ସେତେବେଳେ ଲୋକ ସରକାରଙ୍କ ଉପରେ ଆସ୍ଥା ସ୍ଥାପନ କରିଥା’ନ୍ତି। ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ତାହା ହିଁ ଘଟୁଛି। ଲୋକମାନେ ତାଙ୍କୁ ବାରମ୍ବାର ଆଶୀର୍ବାଦ କରିଚାଲିଛନ୍ତି। ରାଜ୍ୟର ସ୍ବଚ୍ଛ ଖଣି ନୀତିକୁ ଖୋଦ୍ ପ୍ରଧାନମନ୍ତ୍ରୀ ସଂସଦରେ ପ୍ରଶଂସା କରିଛନ୍ତି। ଏଠି ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରହିଛି। ଏ ଦିଗରେ ମୁଖ୍ୟମନ୍ତ୍ରୀ ସାରା ଦେଶକୁ ଦିଶା ଦେଖାଇଛନ୍ତି। ପୁଲିସ ପ୍ରଶାସନରେ ରାଜନୈତିକ ହସ୍ତକ୍ଷେପ ନାହିଁ। କାରଣ ମୁଖ୍ୟମନ୍ତ୍ରୀ ଆମକୁ ଶୃଙ୍ଖଳା ଶିଖାଇଛନ୍ତି। ଦେବୀ ପ୍ରସାଦ ମିଶ୍ର କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ରହିଛି। ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣରେ ଅଛି। ସାଇବର୍‌ ଅରାପଧ ରୋକିବାକୁ ସରକାର ପଦକ୍ଷେପ ନେଉଛନ୍ତି। ପ୍ରତାପ ଜେନା କହିଥିଲେ, ବିଜେପି ଶାସିତ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ଆଇନଶୃଙ୍ଖଳା ବହୁତ ଭଲ ଅଛି। ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ କହିଲେ, ବିରୋଧୀମାନେ ଗଠନମୂଳକ ସମାଲୋଚନା କରନ୍ତୁ। ଅଯଥା ସମାଲୋଚନା କରି ଅଧିକାରୀମାନଙ୍କ ନୈତିକ ମନୋବଳ ହ୍ରାସ କରନ୍ତୁ ନାହିଁ। ଦେବେଶ ଆଚାର୍ଯ୍ୟ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ସମ୍ପର୍କରେ କହିଥିଲେ। ଲତିକା ପ୍ରଧାନ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର