ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ଝଟ୍‌କା: ପିଏଚ୍‌ଡି ଅଧ୍ୟାପକଙ୍କ ଇନକ୍ରିମେଣ୍ଟ ପ୍ରତ୍ୟାହାର ନିର୍ଦ୍ଦେଶ ବେଆଇନ

କଟକ : ପିଏଚ୍‌ଡି କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଂଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟ୍‌କା ଲାଗିଛି। ଉଚ୍ଚଶିକ୍ଷା ବିଭାଗର ୨୦୧୫, ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଆବେଦନକାରୀ ଅଧ୍ୟାପକଙ୍କୁ ପୂର୍ବ ଭଳି ଇନକ୍ରିମେଣ୍ଟ ସୁବିଧା ପ୍ରଦାନ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ଦୈତାରୀ ସାହୁଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେଉଁମାନେ ଅଧ୍ୟାପକ (କଲେଜ ବ୍ରାଞ୍ଚ) ପଦରେ ଅବସ୍ଥାପିତ ହେବା ପୂର୍ବରୁ ପିଏଚଡି କରିଥିବେ ସେମାନଙ୍କୁ ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟ ପ୍ରଦାନ ପାଇଁ ୨୦୧୪, ଅଗଷ୍ଟ ୫ରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏହି ସୁବିଧା ୨୦୧୨, ସେପ୍ଟେମ୍ବର ୧୫ ପୂର୍ବରୁ ଅଧ୍ୟାପକ (କଲେଜ ବ୍ରାଞ୍ଚ) ପଦରେ ଯୋଗ ଦେଇଥିବା ବ୍ୟକ୍ତିଙ୍କୁ ମିଳି ପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମ‌ାରେ ସ୍ପଷ୍ଟ କରାଯାଇଥିଲା। ସବୁ ମାନଦଣ୍ଡ ପୂରଣ କରୁଥିବା ଆବେଦନକାରୀ ଅଧ୍ୟାପକଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ବିଭାଗ ୨୦୧୫, ଜାନୁଆରି ୭ରେ ନିର୍ଦ୍ଦେଶନାମା ଜାରି କରି ୨୦୧୪, ଅଗଷ୍ଟ ୫ର ଚିଠି ପ୍ରତ୍ୟାହାର କରିଥିଲା। ଏଥି ସହିତ ୨୦୧୪, ଅଗଷ୍ଟ ୫ର ନିର୍ଦ୍ଦେଶ ଆଧାରରେ ପ୍ରଦାନ କରାଯାଇଥିବା ଆଡଭାନ୍ସ ଇନକ୍ରିମେଣ୍ଟ ବାବଦ ଅର୍ଥ ଅଧ୍ୟାପକଙ୍କ ନିକଟରୁ ଆଦାୟ ପାଇଁ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା। ଏପରି ନିର୍ଦ୍ଦେଶକୁ ବିରୋଧ କରି ୨୦୧୫ରେ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ (ସ୍ୟାଟ୍)ରେ ମାମଲା ରୁଜୁ କରାଯାଇଥିଲା। ୨୦୧୫, ଏପ୍ରିଲ ୨୪ରେ ସ୍ୟାଟ୍ ମାମଲାର ଶୁଣାଣି କରି ସରକାରଙ୍କୁ ନୋଟିସ୍ ଜାରି କରିବା ସହିତ ୨୦୧୫, ଜାନୁଆରି ୭ର ନିର୍ଦ୍ଦେଶ ଆଧାରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସ୍ୟାଟ୍ ଉଚ୍ଛେଦ ପରେ ମାମଲା ଶୁଣାଣି ପାଇଁ ହାଇକୋର୍ଟକୁ ସ୍ଥାନାନ୍ତର ହୋଇ ଆସିଥିଲା। ହାଇକୋର୍ଟ ଚୂଡାନ୍ତ ରାୟରେ ଆବେଦନକାରୀଙ୍କ ପ୍ରସଂଗରେ ୨୦୧୫, ଜାନୁଆରି ୭ର ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ୧୯୯୯ରେ ଇତିହାସ ବିଭାଗରେ କନିଷ୍ଠ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲେ। ୨୦୧୦ରେ ଆବେଦନକାରୀ ପିଏଚଡି ହାସଲ କରିଥିଲେ। ୨୦୧୨ରେ ଓଡ଼ିଶା ଏଜୁକେସନ୍ ସର୍ଭିସ (କଲେଜ ବ୍ରାଞ୍ଚ) ପାହ୍ୟାରେ ଅବସ୍ଥାପିତ ହୋଇଥିଲେ। ୨୦୧୪, ଅଗଷ୍ଟ ୫ର ନିର୍ଦ୍ଦେଶ ଆଧାରରେ ରେଭେନ୍ସା ଜୁନିଅର କଲେଜରେ କାର୍ଯ୍ୟରତ ଥିବା ଆବେଦନକାରୀଙ୍କୁ ପିଏଚଡି ଅଧ୍ୟାପକଙ୍କ ପାଇଁ କରାଯାଇଥିବା ଆଡଭାନ୍ସ ଇନକ୍ରିମେଣ୍ଟ ସୁବିଧା ମିଳିଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଥିବା ‌େବଳେ ଆଇନଜୀବୀ ପ୍ରିୟମ୍ବଦା ନାଥ ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର