ଭୁବନେଶ୍ୱର: ଭୁବନେଶ୍ବରରେ ଆବର୍ଜନା ଉଠାଇବା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ଟେଣ୍ଡର ହେଲା। ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ସ୍ବୀକୃତିକ୍ରମେ ଟେଣ୍ଡରରେ ସଫଳ ଏଜେନ୍ସିମାନେ ଗତ ଏପ୍ରିଲରୁ ସହରର ଘରକୁ ଘର ବୁଲି ଆବର୍ଜନା ଉଠାଉଛନ୍ତି। କିନ୍ତୁ ନିଜେ ବିଏମ୍ସି ଏହି ଟେଣ୍ଡର ସର୍ତ୍ତାବଳୀକୁ ଉଲ୍ଲଂଘନ କରିଛି। ଗାଡ଼ି ପିଛା ଜଣେ ଚାଳକ ଓ ଜଣେ ସହାୟକ ନିଯୁକ୍ତି ନେଇ ସର୍ତ୍ତ ଥିଲେ ବି ଠିକାସଂସ୍ଥାଙ୍କୁ ଦରଦ ଦେଖାଇବାକୁ ଯାଇ ଅନ୍ୟ ଜଣେ ସହାୟକ ନିଯୁକ୍ତି ଦେଇ ବିଏମ୍ସି ୩ ମାସରେ ୩ କୋଟି ଟଙ୍କା ବାଣ୍ଟି ଦେଇଛି। ଗତ ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ଟଙ୍କା ଦିଆଯାଇଛି। ତେବେ ଏନେଇ ଏଜେନ୍ସିମାନେ ବିରୋଧ କରିବା ପରେ ବିଏମ୍ସି ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରି ଆବଶ୍ୟକତା ଅନୁଯାୟୀ ହେଲ୍ପର ଦିଆଯିବ ବୋଲି କହିଛି।
ବଡ଼କଥା ହେଉଛି, ଏହି ଟେଣ୍ଡର ସର୍ତ୍ତାବଳୀ ଉଲ୍ଲଂଘନ ପ୍ରକ୍ରିୟାକୁ ବାହାରେ ପ୍ରଘଟ ନ କରିବାକୁ ଖୋଦ୍ ବିଏମ୍ସି ଭିତିରିଆ ବୁଝାମଣା କରିଛି। କର୍ପୋରେସନ୍ ବୈଠକରେ ଏହି ପ୍ରସଙ୍ଗ ପାରିତ କରାଯାଇଛି ଏବଂ ଏହାକୁ ସାର୍ବଜନୀନ ନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ପୂର୍ବରୁ ବି ଟେଣ୍ଡରକୁ ନେଇ ବହୁ ବିବାଦ ମୁଣ୍ଡାଇଛି ବିଏମ୍ସି। କେବେ ଅନଭିଜ୍ଞ ସଂସ୍ଥା ତ କେବେ ତଥ୍ୟ ଲୁଚାଇବା ପାଇଁ ହାଇକୋର୍ଟଙ୍କ ଆଦେଶରେ ଠିକାସଂସ୍ଥାକୁ ଅଧାରୁ ବିଦା କରିବାକୁ ପଡ଼ିଛି। ଏଭଳି ସ୍ଥିତିରେ ନିଜେ ବିଏମ୍ସି ଟେଣ୍ଡର ସର୍ତ୍ତ ଉଲ୍ଲଂଘନ କରି ବିବାଦରେ ଫସିଛି। ଟେଣ୍ଡରରୁ ବାଦ୍ ପଡ଼ିଥିବା ଏଜେନ୍ସିମାନେ ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରି-ବିଡିଂ ବୈଠକରେ ଜଣେ ହେଲ୍ପର୍ରେ କାମ କରିବା ସମ୍ଭବ ନଥିବାରୁ ଦୁଇଜଣ ହେଲ୍ପର୍ଗାଡ଼ି ପିଛା ଦିଅନ୍ତୁ ବୋଲି ଟେଣ୍ଡରରେ ଭାଗ ନେବାକୁ ଇଚ୍ଛୁକ ଏଜେନ୍ସିମାନେ କହିଥିଲେ। ମାତ୍ର ବିଏମ୍ସି ମନା କରି ଦେଇଥିଲା। ଯେଉଁ ସର୍ତ୍ତାବଳୀ ଆଧାରରେ ସେମାନେ ଟେଣ୍ଡର୍ରୁ ବାଦ୍ ପଡ଼ିଥିଲେ, ସେହି ସର୍ତ୍ତାବଳୀକୁ ଉଲ୍ଲଂଘନ କରି ଅଧିକ ହେଲ୍ପର୍ନିଯୁକ୍ତି ବେଆଇନ ବୋଲି ଏବେ ଏଜେନ୍ସିମାନେ କହୁଛନ୍ତି।
ବିଏମ୍ସି ଘରକୁ ଘର ବୁଲି ପୃଥକ୍ବର୍ଜ୍ୟ ସଂଗ୍ରହ ଓ ଆଇଇସି କାର୍ଯ୍ୟ ପାଇଁ ୬ଟି ପ୍ୟାକେଜ୍ରେ ଟେଣ୍ଡର(ପତ୍ର ସଂଖ୍ୟା-୪୦୪୯୭/୦୧.୦୬.୨୦୨୪) ଆହ୍ବାନ କରିଥିଲା। ୯ଟି ସଂସ୍ଥା ଆବେଦନ କଲେ ଓ ଯାଞ୍ଚ ପରେ ୬ଟି ଠିକାସଂସ୍ଥାକୁ ଚୟନ କରାଗଲା। ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାଙ୍କନ ପରେ ବୈଷୟିକ ଜ୍ଞାନ ଆଧାରରେ ବେସିକ୍ସ ମ୍ୟୁନିସିପାଲ୍ୱେଷ୍ଟ ଭେଞ୍ଚର୍ସ ଲିମିଟେଡ୍, ଫିଡ୍ବ୍ୟାକ ଫାଉଣ୍ଡେସନ୍ଆଣ୍ଡ୍ଚାରିଟେବଲ୍ଟ୍ରଷ୍ଟ ଓ ବିକାଶ ସଂସ୍ଥାକୁ ୩ ବର୍ଷ ପାଇଁ ଟେଣ୍ଡର ମିଳିଛି। ୬୭ ୱାର୍ଡକୁ ୬ଟି ପ୍ୟାକେଜ୍ରେ ବିଭକ୍ତ କରି ପ୍ରତି ସଂସ୍ଥାକୁ ୨ଟି ଲେଖାଏ ପ୍ୟାକେଜ୍ ଦିଆଯାଇଛି। ବେସିକ୍ସକୁ ନର୍ଥ ଜୋନ୍ଅଧୀନ ୱାର୍ଡ, ଫିଡ୍ବ୍ୟାକକୁ ସାଉଥ୍ଇଷ୍ଟ ଜୋନ୍ଅଧୀନ ୱାର୍ଡ ଓ ବିକାଶକୁ ସାଉଥ୍ୱେଷ୍ଟ ଜୋନ୍ଅଧୀନ ୱାର୍ଡ ମିଳିଛି। ଟେଣ୍ଡର ସର୍ତ୍ତ କହୁଛି, ପ୍ରତି ଅଳିଆ ଗାଡ଼ି ୧ହଜାର ଘରୁ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ଆବର୍ଜନା ଉଠାଇବ। ଗାଡ଼ିରେ ଜଣେ ଡ୍ରାଇଭର ଓ ଜଣେ ହେଲ୍ପର୍ରହିବେ। ୬୭ଟି ୱାର୍ଡ ପାଇଁ ସର୍ବମୋଟ ୪୩୫ଜଣ ଡ୍ରାଇଭର ଓ ୪୩୫ଜଣ ହେଲ୍ପର୍ରହିବେ। ବିଏମ୍ସି ଡ୍ରାଇଭରଙ୍କୁ ଅର୍ଦ୍ଧକୁଶଳୀ ଓ ହେଲ୍ପରଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ମଜୁରି ଦେବ।
ଗତ କର୍ପୋରେସନ୍ ବୈଠକରେ ବିଏମ୍ସିର ପ୍ରସ୍ତାବ ନମ୍ବର-୭(୧୭)ରେ ଏହି ପ୍ରସଙ୍ଗ ଉଠିଥିଲା। ଯେଉଁଥିରେ ଖୋଦ୍ ବିଏମ୍ସି ନିଜ ଦୋଷ ସ୍ବୀକାର କରି କହିଛି, ଟେଣ୍ଡର ନିୟମ ଅନୁସାରେ ପ୍ରତି ଗାଡ଼ି ପିଛା ଜଣେ ହେଲ୍ପର ନିୟୋଜନର ବ୍ୟବସ୍ଥା ରହିଛି। ଅତିରିକ୍ତ ହେଲ୍ପର୍ ନିଯୁକ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଟେଣ୍ଡର ନିୟମାବଳୀର ଉଲ୍ଲଂଘନ ଓ ଅଡିଟ୍ ଅବଜେକ୍ସନ୍ ସୃଷ୍ଟି କରିପାରେ। ପୂର୍ବ ଟେଣ୍ଡରରେ ଦୁଇଜଣ ହେଲ୍ପର୍ ଥିଲେ। ନୂତନ ଏଜେନ୍ସି କାମ ଆରମ୍ଭ ବେଳେ ପରିଚାଳନାଗତ ଅସୁବିଧାକୁ ନଜରରେ ରଖି କର୍ତ୍ତୃପକ୍ଷ ଗାଡ଼ି ପିଛା ଜଣେ ଅତିରିକ୍ତ ହେଲ୍ପର୍ ନିଯୁକ୍ତିକୁ ଅସ୍ଥାୟୀ ଭାବେ ୩ ମାସ(ଜୁଲାଇ ୧ରୁ ସେପ୍ଟେମ୍ବର ୩୦) ପାଇଁ ଅନୁମୋଦନ କରିଛନ୍ତି। କିନ୍ତୁ ଏହାର କୌଣସି ପ୍ରସାରଣ କରାଯିବନି। ଆଇନଗତ ଦୃଷ୍ଟିରୁ ଏହି ପଦକ୍ଷେପ ଅନୁମୋଦିତ ନୁହେଁ। ଏହା ଫଳରେ କର୍ପୋରେସନ୍କୁ ମାସିକ ଅତିରିକ୍ତ ୧ କୋଟି ଟଙ୍କାର ଅର୍ଥଭାର ପଡ଼ୁଛି। ଏଣୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ନିୟମିତ ଅତିରିକ୍ତ ହେଲ୍ପର୍ ଦିଆଯାଇଥିଲା। ପରେ ଏହି ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଛି। ଆବଶ୍ୟକତା ସ୍ଥଳେ ଅତିରିକ୍ତ ହେଲ୍ପର ନିୟୋଜନ କରାଯିବ ବୋଲି ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି।