ନକଲି ଡାକ୍ତରର ଅସଲି ଡାକ୍ତର ପତ୍ନୀ ଗିରଫ

ଭୁବନେଶ୍ବର: ବହୁଦିନ ଧରି ପୁଲିସକୁ ଚକ୍‌ମା ଦେଇ ଲୁଚକାଳି ଖେଳୁଥିବା ନକଲି ଡାକ୍ତର ରଙ୍ଗିଲା ରମେଶର ଦ୍ବିତୀୟ ପତ୍ନୀ ଶେଷରେ କମିସନରେଟ୍‌ ପୁଲିସ ହାତରେ ଧରାପଡ଼ିଛି। ମହିଳା ଥାନା ପୁଲିସ ତାକୁ ଝାଡ଼ଖଣ୍ଡରୁ ଗିରଫ କରିଛି। ସେ ହେଲେ କମଳା ସ୍ବାଇଁ(୪୪)। କମଳା ବୃତ୍ତିଗତ ଭାବେ ଜଣେ ଡାକ୍ତର ହୋଇଥିଲେ ବି ରମେଶ ସହ ମିଶି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଚୂନା ଲଗାଇଥିଲେ। ଗିରଫ ପରେ ଆଜି ତାଙ୍କୁ ଭୁବନେଶ୍ବର ଅଣାଯାଇଛି। ଆସନ୍ତାକାଲି କୋର୍ଟ ଚାଲାଣ ପରେ ତାଙ୍କୁ ରିମାଣ୍ଡରେ ଅଣିବା ପାଇଁ ଯୋଜନା କରାଯଉଛି।

ସୂଚନା ମୁତାବକ, ୨୦୦୨ ମସିହାରେ କମଳା କାର୍ଡିଓଲୋଜି ଟ୍ରେନିଂ ପାଇଁ ହାଇଦ୍ରାବାଦ ଯାଇଥିଲେ। ସେହି ସମୟରେ ସେଠାରେ ରମେଶ ସହ ତାଙ୍କର ଭେଟ ହୋଇଥିଲା। ରମେଶ ତାଙ୍କୁ ପାଲରେ ପକାଇଥିଲା। କମଳା ପାରାଦ୍ବୀପସ୍ଥିତ ଇଫ୍‌କୋରେ ଡାକ୍ତର ଥିବା ଜାଣିବା ପରେ ତାଙ୍କୁ ବିବାହ ପାଇଁ ଯୋଜନା କରିଥିଲା। ଆଉ ସଫଳ ବି ହୋଇଥିଲା। ଭେଟ ହେବାର ୩ମାସ ମଧ୍ୟରେ ତାଙ୍କୁ ବାହା ହୋଇଥିଲା। ଏହାପରେ ଉଭୟ ସେଠାରେ ମିଶି ରହିଥିଲେ। ହେଲେ ରମେଶର କଳା କାରନାମା କମଳାଙ୍କ ପାଖରେ ବେଶି ଦିନ ଲୁଚିନଥିଲା।

କମଳା ରମେଶର ସବୁ ଗୁମର ଜାଣିଥିଲେ। ଆଉ ଏହାପରେ ଉଭୟ ମିଶି ଲୋକଙ୍କୁ ଠକିବାପାଇଁ ଯୋଜନା କରିଥିଲେ। କମଳା ରମେଶଙ୍କୁ କେନ୍ଦ୍ର ସରକାରଙ୍କ କର୍ମଚାରୀ କହି ପରିଚିତ କରାଉଥିଲେ। ରମେଶଙ୍କର ଉପରିସ୍ଥ ଅଧିକାରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଭଲ ସମ୍ପର୍କ ଥିବା କହି କହି କାହାକୁ ଚାକିରି ତ କାହାକୁ ବ୍ୟବସାୟ କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ। ତେବେ କିଛି ବର୍ଷ ପରେ କମଳାଙ୍କର ପ୍ରୟାଗରାଜକୁ ବଦଳି ହୋଇଥିଲା। ସେଠାରେ ଥାଇ ମଧ୍ୟ ରମେଶଙ୍କ ସହ ସମ୍ପର୍କରେ ରହି ଲୋକଙ୍କୁ ଠକି ଚାଲିଥିଲେ। ରମେଶ ଗିରଫ ହେବା ପରେ କମଳାଙ୍କ ଭୂମିକା ପଦାକୁ ଆସିଥିଲା। ତାଙ୍କୁ ଜେରା ପାଇଁ ପୁଲିସ ବାରମ୍ବାର ଡକାଇଥିଲେ ମଧ୍ୟ ସେ ଆସିନଥିଲେ। ପୁଲିସ ଗିରଫଦାରୀ ଭୟରେ ଝାଡଖଣ୍ଡସ୍ଥିତ ଘରକୁ ଚାଲିଆସିଥିଲେ। ଠିକଣା ଠାବ ପରେ ସୋମବାର ରାତିରେ ମହିଳା ଥାନା, ସ୍ପେସାଲ୍‌ ସ୍କ୍ବାର୍ଡର ପୁଲିସର ଏକ ଟିମ୍‌ ଝାଡଖଣ୍ଡସ୍ଥିତ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର